ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏଥିରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ। କେଉଁଠି ରାସ୍ତା ନିର୍ମାଣ କାର୍ଯ୍ୟ ନସରୁଣୁ ରାସ୍ତା ଫାଟି ଆଁ କଲାଣି ତ ପୁଣି କେଉଁଠି ସମୟ ଅବଧୀର ବର୍ଷବର୍ଷ ପରେ ମଧ୍ୟ ଶେଷ ହୋଇ ପାରୁନି ନିର୍ମାଣ କାର୍ଯ୍ୟ। ଗ୍ରାମାଞ୍ଚଳଗୁଡ଼ିକର ବିଭିନ୍ନ ରାସ୍ତାକୁ ମୁଖ୍ୟ ସଡ଼କ ସହ ସଂଯୋଗ କରିବା କରିବା ତଥା ଗମନାଗମନ କ୍ଷେତ୍ରରେ ବିକାଶ ଘଟାଇବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଥିବା ବେଳେ ଦଶପଲ୍ଲା ବ୍ଲକ୍‌ରେ ଏହାର ବାସ୍ତବ ଚିତ୍ର ସରକାରୀ ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି, ଆର୍‌ଡି ରାସ୍ତାଠାରୁ ଶରଧାପୁରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ। ଏହି ଯୋଜନାରେ ମୋଟ ୫କିମି ୮୦୦ ମିଟର ରାସ୍ତା ନିର୍ମାଣ ପାଇଁ ୩ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରସ୍ଥିତ ଠିକାଦାର ମନୋଜ କୁମାର ସାହୁ ଏହି ରାସ୍ତା ନିର୍ମାଣ କରିଥିଲେ। ରାସ୍ତା ନିର୍ମାଣର ସମୟ ଅବଧୀ ୨୦୧୭ ଅକ୍ଟୋବର ୧୮ ତାରିଖଠାରୁ ଶେଷ ହୋଇଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହି ରାସ୍ତା ନିର୍ମାଣକୁ ୧ ବର୍ଷ ପୂରିନାହିଁ। ରାସ୍ତା ନିର୍ମାଣର କିଛି ଦିନ ପରେ ରାସ୍ତା ଉପରୁ ପିଚୁ (ବଜୁରି) ଝଡ଼ି ପଡ଼ିଥିବା ବେଳେ ଏବେ ବିଭିନ୍ନ ସ୍ଥାନରୁ ଛେଲା ଛେଲା ହୋଇ ପିଚୁ ଓ ମେଟାଲ ଉଠିବାରେ ଲାଗିଛି, ଯାହାକୁ ନେଇ ରାସ୍ତାର ସ୍ଥାୟିତ୍ବ ପ୍ରତି ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

Advertisment

ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ସହଭାଗିତାରେ ନିମ୍ନମାନର ରାସ୍ତା ନିର୍ମାଣ କରାଯାଇ ରାଜକୋଷରୁ କୋଟିକୋଟି ଟଙ୍କା ହରିଲୁଟ୍‌ କରାଯାଉଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଂଚଳବାସୀ ଦାବି କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ କହିବା ଅନୁଯାୟୀ ଏହା ଖରାପ ହୋଇଛି। ଏସ୍‌ଡିଓ ଏ ନେଇ ସଂପୃକ୍ତ ଠିକାଦାରଙ୍କୁ ଚିଠି କରିଥିବା ବେଳେ ବର୍ଷାଦିନ ପରେ ତଥା ଦଶହରାଠାରୁ ଏହାର ମରାମତି କରାଯିବ ବୋଲି କହିଛନ୍ତି।