ନୂଆଗାଁ : ବିବାଦ ଯୋଗୁଁ ରାସ୍ତା କାମ ସରୁ ନାହିଁ। ଫଳରେ ଜନସାଧାରଣ ରାସ୍ତା ପାଇଁ କଲବଲ ହେଉଥିବା ଦେଖିବାକୁ ମିଳିଛି। ନୂଆଗାଁ ବ୍ଲକ୍ ମାଳିସାହି ପଂଚାୟତ ବଳଭଦ୍ରପୁରଠାରୁ ଢିପାମାଳ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟରେ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି। ବଳଭଦ୍ରପୁରଠାରୁ ଢିପାମାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪କୋଟି ୭ଲକ୍ଷ ୩୨ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଠିକାଦାର କାମକୁ ଟେଣ୍ତର ଜରିଆରେ ନେଇ ୧୭/୪/୨୦୧୭ ତାରିଖରେ କାର୍ଯ୍ୟ ଆରମ୍ଭ କରି ୧୬/୩/୧୮ରେ ଶେଷ କରିବା ଧାର୍ଯ୍ୟ ହୋଇଥିଲା। ମାତ୍ର ୨ବର୍ଷ ହେଲା କାମ ଆରମ୍ଭ କରିଥିଲେ ମଧ୍ୟ କାର୍ଯ୍ୟର ଅବଧି ଏବଂ ଅଟକଳର ସୂଚନା ବୋର୍ଡ ଲଗା ଯାଇ ନାହିଁ।
କାମ ଆରମ୍ଭ ସମୟରୁ ଦୁଇ ଗାଁ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗୋଟିଏ ପଟେ ଆଦିବାସୀମାନେ ବଳଭଦ୍ରପୁର ଠାରୁ ଢିପାମାଳ ଦେଇ ରାସ୍ତା ନିର୍ମାଣ କରିବାକୁ ଜିଦ୍ ଧରି ବସିଥିଲାବେଳେ ଆଉ ଗୋଟିଏ ପଟେ ଗୁଡୁପାଙ୍ଗି ଗ୍ରାମବାସୀ ଗାଁ ଭିତର ଦେଇ ଢିପାମାଳ ରାସ୍ତା ନିର୍ମାଣ କରିବାକୁ ଅଡ଼ି ବସିଥିଲେ। ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବାରୁ ଗୁୁଡୁପାଙ୍ଗି ଗ୍ରାମବାସୀ ରାସ୍ତାକୁ ଅବରୋଧ କରିବା ସହିତ ରାସ୍ତା ଉପରେ କଣ୍ଟାବାଡ଼ ଦେଇ ବନ୍ଦ କରିଥିଲେ। ଏହି ସମୟରେ ଢିପାମାଳ ସମେତ ନୂଆସାହି, ରାଜନପଲ୍ଲୀ, ଚକାପଥର, ଗୋଛାବାରୀ ଆଦି ଗ୍ରାମର ଗ୍ରାମବାସୀମାନେ ବୈୖଠକ କରି ସମାଧାନ କରିବାକୁ ଚାହିଁଥିଲେ। କିନ୍ତୁ ଏଥିରେ ଗୁଡୁପାଙ୍ଗି ଗ୍ରାମବାସୀମାନେ ଅରାଜି ହେବାରୁ ଆଦିବାସୀମାନେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଥିଲେ। ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଡାକୁଆ ଉଭୟ ଗାଁର କମିଟି ମେମ୍ବର, ସ୍ଥାନୀୟ ସରପଂଚ, ତହସିଲଦାର, ଆର୍ଆଇ, ମାଳିସାହି ଫାଣ୍ତି ଅଧିକାରୀଙ୍କୁ ଡାକି ଆପୋସ ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗୁଡୁପାଙ୍ଗି ଗ୍ରାମବାସୀ ଜିଦ୍ରେ ଅଟଳ ରହି ଜିଲ୍ଲାପାଳଙ୍କ ବୈୖଠକକୁ ଆସି ନ ଥିଲେ। ଏହାପରେ ଗୁଡୁପାଙ୍ଗି ଦେଇ ରାସ୍ତା ନିର୍ମାଣ କରିବାକୁ ପ୍ରଥମେ ନିଷ୍ପତ୍ତି ହୋଇଥିଲା। ପରବର୍ତି ସମୟରେ ବଳଭଦ୍ରପୁର ଠାରୁ ଢିପାମାଳ ଦେଇ ରାସ୍ତା ନିର୍ମାଣ କରାଯିବ ବୋଲି ଅଧିକାରୀମାନେ ଆଦିବାସୀମାନଙ୍କୁ ଦୃଢତାର ସହ କହିଥିଲେ। ଠିକାଦାର ମନ୍ଥର ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଆଉ କିଛିକିଛି ସ୍ଥାନରେ ମୋରମ ମୋଟାଲ୍ ଠିକ୍ ଭାବେ କରିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏବେ ରାସ୍ତା ଉପରେ ମୋରମ ଏବଂ ପଥରଗୁଣ୍ତ ଢାଳିଥିବା ବେଳେ ଏବେ ସବୁ ବର୍ଷାପାଣିରେ ଧୋଇ ଯାଇଛି। ତେବେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ଅଂଚଳବାସୀ ନାପସନ୍ଦ କରିବା ସହିତ ତୁରନ୍ତ କାର୍ଯ୍ୟ ନିର୍ମାଣ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ କିଛି ଘରୋଇ ଜାଗା ଥିବାରୁ ତାକୁ ନେଇ କୋର୍ଟରେ ମାମଲା ବିଚରାଧିନ ରହିଛି। ବୋଲି ବିଭାଗୀୟ ଯନ୍ତ୍ରୀ ତିରୁପତି ଭେଙ୍କେଟେଶ୍ବର ପାଣି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Nuagaon-dhipamal.jpg)