ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ବିକଳ ଚିତ୍ର : ଅଧାରୁ କାମ ଛାଡ଼ି ଠିକାଦାର ଛୁ’, ଦୀର୍ଘ ପାଞ୍ଚ ବର୍ଷ ହେଲା ହୀନସ୍ତା ହେଉଛନ୍ତି ୫ ଖଣ୍ତ ଗାଁର ଲୋକେ

ନୂଆଗାଁ : ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ପାଞ୍ଚ ବର୍ଷ ହେବ ୫ ଖଣ୍ତ ଗାଁର ଲୋକେ ରାସ୍ତା ପାଇଁ ହିନସ୍ତା ହେଉଛନ୍ତି। ଗ୍ରାମବାସୀମାନେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାସ୍ତା ନିର୍ମାଣ ହେବାର ନାଁ ଗନ୍ଧ ଉଠୁନି। ଏବେ ଠିକାଦାର ଅଧାପନ୍ତରିଆ ଅବସ୍ଥାରେ କାମ ଛାଡ଼ି ଛୁ ମାରିଥିବା ବେଳେ ବିଭାଗ କହୁଛି ଠିକାଦାର ଶୁଣୁନି। ଏମିତି ଏକ ଘଟଣା ନୂଆଗାଁ ବ୍ଲକ୍ ମହୀପୁର ପଞ୍ଚାୟତ ମାଳିସରଠାରୁ ନନ୍ଦିଘୋଷପୁର ରାସ୍ତା କାମରେ ଦେଖିବାକୁ ମିଳିଛି।

ଖବରରୁ ପ୍ରକାଶ, ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥଠାରୁ ନନ୍ଦିଘୋଷପୁର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯୋଜନା କରାଗଲା। ଏଥି ପାଇଁ ବିଭାଗ ପକ୍ଷରୁ ୨ କୋଟି ୭୫ ଲକ୍ଷ ୫୯ ହଜାର ୪ ଶହ ୭୨ ଟଙ୍କା ବ୍ୟୟବରାଦ ହେଲା। ରାସ୍ତା ୨୬/୭/୨୦୧୪ରେ ଆରମ୍ଭ ହୋଇ ୨୫/୬/୨୦୧୫ ରେ ଶେଷ କରିବାକୁ ଫଳକ ମରାଯାଇଛି। ଭୁବନେଶ୍ବରର ପଳାଶୁଣି ଅଞ୍ଚଳର ଠିକାଦାର ପ୍ରଶାନ୍ତ କୁମାର ବିଧାରଙ୍କ ନାମରେ କାର୍ଯ୍ୟାଦେଶ ରହିଛି। ଠିକାଦାର ମଝିରେ ମଝିରେ ଆସି ଅଳ୍ପ କିଛି କାମ କରିଦେଇ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ। ଏମିତି ଚାହୁଁଚାହୁଁ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି। ଗ୍ରାମବାସୀମାନେ ରାସ୍ତା ନିର୍ମାଣ ନେଇ ଅସନ୍ତୋଷ ପ୍ରକାଶ ସହିତ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିଥିଲେ। ଜିଲ୍ଲାପାଳ ତୁରନ୍ତ ରାସ୍ତା ନିର୍ମାଣ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ କିଛିଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ହୋଇଥିଲା। ଏହା ପରେ ଠିକାଦାର ଅଳ୍ପକିଛି କାମ କରିଦେଇ ପୁଣି କୁଆଡ଼େ ଉଭାନ୍ ହୋଇଗଲା। ଏବେ ରାସ୍ତା କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ରାସ୍ତା ନଥିବାରୁ ଲୋକେ କାଦୁଅ ପଚପଚ ରାସ୍ତାରେ ବହୁ ଦୟନୀୟ ଅବସ୍ଥାରେ ଯିବାଆସିବା କରୁଛନ୍ତି। ବର୍ଷାଦିନ ହୋଇଥିବାରୁ ଛାତ୍ରଛାତ୍ରୀମାନେ ୩ରୁ ୪ କିଲୋମିଟର ରାସ୍ତା ଚାଲିଚାଲି ସ୍କୁଲ୍‌-କଲେଜକୁ ଯାଉଛନ୍ତି। ବର୍ଷାଦିନ ହୋଇଥିବାରୁ ରାସ୍ତାରେ ଯିବାଆସିବା କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଛି।

ଏହି ରାସ୍ତା ଉପରେ ମାଳିସର ସହିତ ନନ୍ଦିଘୋଷପୁର, କମଳାପାଟଣା, ଆନ୍ଦିକିଆରି, ବାଣୁଆସାହି ଆଦି ଗ୍ରାମର ଅଢେଇ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି। ରାସ୍ତାଟି ଏନ୍ଏଚ୍‌କୁ ସଂଯୋଗ କରୁଥିଲେ ମଧ୍ୟ ପ୍ରଶାସନର ଚିନ୍ତା ନାହିଁ। ତେବେ ରାସ୍ତା ନିର୍ମାଣକୁ ଇତିମଧ୍ୟରେ ୫ ବର୍ଷରୁ ଅଧିକ ସମୟ ବିତିଯାଇଛି। ଏହି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାହା ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ଏପଟେ ଠିକାଦାରକୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ସେ ଶୁଣୁନଥିବା ବିଭାଗୀୟ କର୍ମଚାରୀମାନେ କହିଛନ୍ତି। ଏବେ ଠିକାଦରକୁ ୩ ଥର ନୋଟିସ୍‌ ଜାରି କରାଯାଇଛି। ଯଦି ଏହା ଭିତରେ ସେ କାମ ନ କରେ ତେବେ ସେହି କାମକୁ ବାତିଲ୍ କରାଯାଇ ଅନ୍ୟ ଠିକାଦାରକୁ ସେହି ରାସ୍ତା ନିର୍ମାଣ କରିବାକୁ ଦାୟିତ୍ବ ଦିଆଯିବ ବୋଲି ଯନ୍ତ୍ରୀ ଶରତ ପଢିଆରୀ କହିଛନ୍ତି।

ସମ୍ବନ୍ଧିତ ଖବର