ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା: କେବିକେ ଅଞ୍ଚଳକୁ ସହାୟତା କମିଛି

ବଲାଙ୍ଗୀର : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମ୍‌କେଏସ୍‌ୱାଇ)ରେ କେବିକେ ଅଞ୍ଚଳ ପାଇଁ କେନ୍ଦ୍ରୀୟ ସହାୟତା କମିଛି। ସହାୟତା ହାର ହ୍ରାସ ପାଇବା ଦ୍ବାରା ଏହି ପଛୁଆ ଅଞ୍ଚଳରେ ଜଳସଚେନର ବିକାଶ ପ୍ରଭାବିତ ହେବାନେଇ ଆଶଙ୍କା ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମ୍‌କେଏସ୍‌ୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ୍‌ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ)। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକ୍ରମେ ଏଆଇବିପି କାର୍ଯ୍ୟକ୍ରମ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁରହିବ ବୋଲି ନୀତି ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ନୂଆଦିଲ୍ଲୀ ସଂସଦ ମାର୍ଗସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟର ଓଡ଼ିଶା ଜନ ସୂଚନା ଅଧିକାରୀ ରାଜେନ୍ଦ୍ର ସିଂହଙ୍କରୁ ମିଳିଥିବା ତଥ୍ୟ ଅନୁସାରେ, ଓଡ଼ିଶାର କେବିକେ ଅଞ୍ଚଳକୁ ବର୍ତ୍ତମାନ କେନ୍ଦ୍ର ରାଜ୍ୟ ସହାୟତା ହାର ୬୦ :୪୦ ରହିଛି । ଦେଶର ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନଙ୍କ ସହିତ ଓଡ଼ିଶାର କେବିକେ ଅଞ୍ଚଳକୁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ୯୦ :୧୦ ଥିଲା। ଏହି ସହାୟତା ହାର ହ୍ରାସ ପାଇବା ଦ୍ବାରା କେବିକେ ଅଞ୍ଚଳରେ ଜଳସଚେନର ବିକାଶ କେବଳ ପ୍ରଭାବିତ ହେବ ଏହା ନୁହେଁ, ଏକ ପଛୁଆ ଅଞ୍ଚଳ ଭାବେ କେନ୍ଦ୍ର ସରକାରଙ୍କ ଯେଉଁ କେବିକେ ମାନ୍ୟତା ଥିଲା ତାହା ମଧ୍ୟ ଶେଷ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷି ଓ କୃଷକର ବିକାଶ ପାଇଁ ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ଭାରତ ସରକାର ୧୯୯୫-୯୬ ମସିହାରେ ଏଆଇବିପି ଯୋଜନା ଆରମ୍ଭ କରିଥିଲେ। ଜଳସେଚନ ରାଜ୍ୟର ବିଷୟବସ୍ତୁ ହୋଇଥିଲେ ମଧ୍ୟ ରାଜ୍ୟମାନଙ୍କର ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ। ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନଙ୍କୁ ଓ ଓଡ଼ିଶାର ଅବିଭକ୍ତ କେବିକେ ଅଞ୍ଚଳର ଜିଲ୍ଲାମାନଙ୍କୁ ତଥା ବର୍ତ୍ତମାନର ୮ଟି ଜିଲ୍ଲାକୁ ସାଧାରଣ ପାହ୍ୟା ରାଜ୍ୟ ଅପେକ୍ଷା ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତାର ବ୍ୟବସ୍ଥା ଥିଲା। ନୂଆପଡ଼ା ଜିଲ୍ଲାର ଲୋୟର ଇନ୍ଦ୍ର ଏହି ଯୋଜନାରେ ଅଧିକ ମାତ୍ରାରେ କେନ୍ଦ୍ରୀୟ ଅନୁଦାନ ପାଇଛି। ଏଆଇବିପି ଯୋଜନା ସଂଶୋଧିତ ହେବାଫଳରେ ୨୦୨୧ ମାର୍ଚ୍ଚ ମାସରୁ କେବିକେ ଅଞ୍ଚଳର ଅନେକ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡ଼ିକ ପୂର୍ବାପେକ୍ଷା କମ୍‌ ଆର୍ଥିକ ସହାୟତା ପାଉଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରିରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର