ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ନଗଦ ଟଙ୍କାରେ ଗ୍ୟାସ୍‌, ଖାତାରେ ଋଣ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ପରିବାରର ଗୃହିଣୀମାନଙ୍କୁ ଗ୍ୟାସ ସ˚ଯୋଗ ନାଁରେ ହୋଇଥିବା ଦୁର୍ନୀତିର ଆଉ ଏକ ଫର୍ଦ ସାମ୍ନାକୁ ଆସିଛି। ଗରିବ ହିତାଧିକାରୀମାନେ ଧାର କରଜ କରି ନଗଦ ଟଙ୍କା ଦେଇ ଉଜ୍ଜଳା ସ˚ଯୋଗ ନେଇଥିବାବେଳେ ସେମାନଙ୍କ ନାଁରେ ଋଣ ଗଡୁଛି।

ସେହିଭଳି, ଜଣେ ହିତାଧିକାରୀ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକ ସାତଭାୟା ପଞ୍ଚାୟତ ମୂଳ ବଗପାଟିଆ ଗାଁର ସୁରେଶ ପରିଡ଼ାଙ୍କ ସ୍ତ୍ରୀ ମିନତୀ। ମିନତୀ ୨୦୧୬ ଡିସେମ୍ବରରେ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସ˚ଯୋଗ ଆଣିଥିଲେ। ରାଜନଗର ଇଣ୍ତେନ୍‌ ବିତରକଙ୍କ କର୍ମଚାରୀ ବଗପାଟିଆ ଗାଁରେ ପହଞ୍ଚି ମୀନତୀଙ୍କ ନାଁରେ ଏଏଚଏଲ ଟିନ୍‌ ନମ୍ବର ରହିଥିବା କହିଥିଲେ। ତାଙ୍କ ନିକଟରୁ କାଗଜପତ୍ର ଆଣିବା ସହ ଗ୍ୟାସ ସ˚ଯୋଗ ଦେବା ପାଇଁ ୨୮ଶହ ଟଙ୍କା ବି ଆଣିଥିଲେ। ମୀନତୀ ଗ୍ୟାସ ସ˚ଯୋଗ ଆଣିବା ପରେ ୬ ଥର ଗ୍ୟାସ ଭରି ସାରିଥିଲେ ବି ତାଙ୍କ ଆକାଉଣ୍ଟକୁ ସବ୍‌ସିଡି ଟଙ୍କା ଆସିନାହିଁ। ସେ ବୁଝାବୁଝି କରିବା ପରେ ବିତରକଙ୍କ କର୍ମଚାରୀ ତାଙ୍କୁ ବଣ୍ତ ପେପର ଦେଇଥିଲେ ଯେଉଁଥିରେ ସେ ଋଣରେ ଗ୍ୟାସ ସ˚ଯୋଗ ନେଇଥିବା ଦର୍ଶାଯାଇଛି। ଷ୍ଟୋଭ (ଚୁଲା) ୯୯୦ ଟଙ୍କା ଓ ରିଫିଲ୍‌ ୬୨୯ ଟଙ୍କା ମିଶାଇ ମୋଟ ୧୬୧୯ ଟଙ୍କା ଲୋନ୍‌ ଥିବା ଦର୍ଶାଯାଇଛି। ସେ ନଗଦ ଟଙ୍କା ଦେଇ ଗ୍ୟାସ ଆଣିଥିବା ବେଳେ କାଗଜପତ୍ରରେ ଋଣରେ ଗ୍ୟାସ ସ˚ଯୋଗ ଦର୍ଶାଯାଇଥିବାରୁ ତାଙ୍କର ସବସିଡି ଅର୍ଥ ଆସୁ ନ ଥିବା ନେଇ ମୀନତୀ ଅଭିଯୋଗ କରିଛନ୍ତି।

କେବଳ ମୀନତୀ ନୁହନ୍ତି, ସେହି ଗାଁର ମୋହିନୀ ମଣ୍ତଳ, ରୁନିଆ ନାୟକ, ମାଳତୀ ମଣ୍ତଳ, ସବିତା ମଣ୍ତଳ, ସୁଭଦ୍ରା ମଣ୍ତଳ, ମୀନତୀ ପରିଡା, ଗୀତା ସର୍ଦାର, ସାବିତ୍ରୀ ଗାଇନି ପ୍ରଭୃତି ଶହେରୁ ଅଧିକ ମହିଳା ୨୦୧୬ରେ ଉଜ୍ଜଳା ଯୋଜନାରେ ଗ୍ୟାସ ସ˚ଯୋଗ ଆଣିଥିଲେ। ମହିଳାମାନେ ୧୬ଶହ ଟଙ୍କା ବଦଳରେ ୨୮ଶହ ଟଙ୍କା ଲେଖାଏଁ ରାଜନଗର ଇଣ୍ତେନ କର୍ମଚାରୀଙ୍କୁ ଦେଇ ଉଜ୍ଜଳା ସ˚ଯୋଗ ଆଣିଥିଲେ। ମାତ୍ର ବିତରକ ସେମାନଙ୍କଠାରୁ ନଗଦ ଟଙ୍କା ନେବା ପରେ କାଗଜପତ୍ରରେ ସେମାନେ ଲୋନରେ ଉଜ୍ଜଳା ସ˚ଯୋଗ ନେଇଥିବା ଦର୍ଶାଇଛନ୍ତି। ଫଳରେ ଟାଙ୍କି ଭରିଲେ ସବ୍‌ସିଡି ଅର୍ଥ ମିଳୁନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି।

ସରକାର ୧୬ଶହ ଟଙ୍କାରେ ଗ୍ୟାସ ସ˚ଯୋଗ ଦେଉଥିବା କହୁଥିବା ବେଳେ ଠକେଇର ଶିକାର ହୋଇଥିବା ହିତାଧିକାରୀମାନଙ୍କଠାରୁ ୨୮ଶହ ଟଙ୍କା ଲେଖାଏଁ ନିଆଯାଇ ଗ୍ୟାସ ସ˚ଯୋଗ ଦିଆଯାଇଥିଲା। ୫/୬ ଥର ଗ୍ୟାସ ଭରିବା ପରେ ମଧୢ ଆକାଉ˚ଟକୁ ସବସିଡି ଅର୍ଥ ଆସୁନି। ବିତରକ ହିତାଧିକାରୀଙ୍କଠାରୁ ନଗଦ ଟଙ୍କା ନେବା ପରେ କାଗଜପତ୍ରରେ ସେମାନେ ଋଣରେ ଉଜ୍ଜଳା ସ˚ଯୋଗ ନେଇଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ରାଜନଗର ବ୍ଲକରେ ଶହ ଶହ ହିତାଧିକାରୀ ଏପରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର