ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ଟ୍ରଲର ଓ ଚିଙ୍ଗୁଡ଼ି ଘେରିରେ ଉଜ୍ଜଳା ଗ୍ୟାସ୍‌, ଠକଙ୍କ ଜାଲରେ ୬୦ ଗୃହିଣୀ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଖୋଲାମେଲା ଦୁର୍ନୀତି ହୋଇଛି। ଗତକାଲି ଇଣ୍ଡିଆନ୍‌ ଅଏଲ ଦୁର୍ନୀତିରେ ସଂପୃକ୍ତ ଥିବା ବିତରକ ଏମ୍‌/ଏସ୍‌ ରାଜନଗର ଇଣ୍ଡେନକୁ ନିଲମ୍ବିତ କରିଛି। ୩ ତେଲ କମ୍ପାନୀର ଅଧିକାରୀ ଏହି ଦୁର୍ନୀତିର ଅଧିକ ତଦନ୍ତ କରିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଦୁଇଟି ଗାଁର ୬୦ଜଣ ହିତାଧିକାରୀଙ୍କ ନାଁରେ ଗ୍ୟାସ୍‌ ସଂଯୋଗ ଦର୍ଶାଇ ଲୁଟି ନିଆଯାଇଛି। ଏହି ଦୁର୍ନୀତିରେ ଏଚ୍‌ପି ଗ୍ୟାସର ବିତରକ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତ ଗର୍ତ ଗାଁର ପୂର୍ଣ୍ଣିମା ପାତ୍ର ଗରିବ ପରିବାରର ହୋଇଥିବାରୁ ତାଙ୍କର ନାଁ ଏଏଚଏଲ ଟିନ୍‌ ତାଲିକାରେ ଥିଲା। ଦେଢବର୍ଷ ତଳେ ଚାଆଁରାକୋଲ୍ଲା ଓ ଗର୍ତ ଗାଁର ଯୋଗାଣ ବିଭାଗର ରିଟେଲର ଅଜିତ୍‌ ଖାଣ୍ଡା ତାଙ୍କୁ ସବ୍‌ସିଡିରେ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଦିଆଯିବ ବୋଲି କହି ଆଧାରକାର୍ଡ, ଫଟୋ ପରିଚୟପତ୍ର ଓ ରାସନକାର୍ଡ ଆଣିଥିଲେ। ମାତ୍ର ତାଙ୍କୁ ଗ୍ୟାସ୍‌ ସଂଯୋଗ ଦିଆଯାଇ ନ ଥିଲା। ଘରଠାରୁ ୫ କିମି ଦୂରରେ ୪ ମାସ ତଳେ ରଂଗଣୀଠାରେ ଖୋଲିଥିବା ବିଏସ୍‌ ଇଣ୍ଡେନ ଗ୍ରାମୀଣ ବିତରକ ସଂସ୍ଥାରେ ସେ ଗ୍ୟାସ ସଂଯୋଗ ପାଇଁ କାଗଜପତ୍ର ଦେଇଥିଲେ। ମାତ୍ର ବର୍ଷକ ତଳୁ ତାଙ୍କ ନାଁରେ ଗ୍ୟାସ୍‌ ସଂଯୋଗ ହୋଇସାରିଥିବା ସେ ୨ମାସ ତଳେ ଜାଣିବାକୁ ପାଇଥିଲେ। ଏହାପରେ ପୂର୍ଣ୍ଣିମାଙ୍କ ସ୍ୱାମୀ ଗଣେଶ ରିଟେଲର ଅଜିତ୍‌ ଖାଣ୍ଡାଙ୍କୁ ଭେଟି ତାଙ୍କ ଗ୍ୟାସ ଓ ଚୂଲା ମାଗିଥିଲେ। କିନ୍ତୁ ୨ ହଜାର ଟଙ୍କା ଦେଲେ ଗ୍ୟାସ୍‌ ମିଳିବ, ଗ୍ୟାସ୍‌ ଟ୍ରଲରରେ ବ୍ୟବହୃତ ହେଉଛି କହି ତାଙ୍କୁ ଫେରାଇ ଦିଆଯାଇଥିଲା ବୋଲି ଗଣେଶ ଅଭିଯୋଗ କରିଛନ୍ତି। ସେହି ଗାଁର ଅନୁକୂଳ ସିଂଙ୍କ ପତ୍ନୀ ଲତାବାଳାଙ୍କ ଠାରୁ ୨ବର୍ଷ ତଳେ ରିଟେଲର ଗ୍ୟାସ୍‌ ସଂଯୋଗ ଦେବା ପାଇଁ କାଗଜପତ୍ର ନେଇଥିଲେ। କିନ୍ତୁ ଦେଢବର୍ଷ ତଳୁ ଏଚପିର ବାସୁଦେବ ଗ୍ୟାସ୍‌ ଏଜେନ୍ସିରୁ ତାଙ୍କ ଗ୍ୟାସ ଉଠିସାରିଛି। ସେ କିନ୍ତୁ ଗ୍ୟାସ୍‌ ସଂଯୋଗ ପାଇ ନାହାନ୍ତି। ସେହି ଗାଁରେ ସଂଧ୍ୟାରାଣୀ ଗୁଡ଼ିଆଙ୍କ ଅଭିଯୋଗ ମୁତାବକ ୫ମାସ ତଳୁ ତାଙ୍କ ନାଁରେ ରିଟେଲର ଗ୍ୟାସ୍‌ ସଂଯୋଗ କେହି ଉଠାଇ ନେଇଛନ୍ତି।

କେବଳ ପୂର୍ଣ୍ଣିମା, ସଂଧ୍ୟାରାଣୀ କିମ୍ବା ଲତାବାଳା ନୁହନ୍ତି, ରଂଗଣୀ ପଞ୍ଚାୟତର ଚାଆଁରାକୋଲ୍ଲା ଓ କେରୁଆଁପାଳ ପଞ୍ଚାୟତର ଗର୍ତ ଗାଁର ଗୌରୀ ପାତ୍ର, ଗୀତାରାଣୀ ଖାଣ୍ଡା, କବିତା ରାଣୀ ମାଇତି, ସାବିତ୍ରୀ ସାସମଲ, ନମିତା ବାଳା ସିଂ, ସୀତାବାଳା ସିଂ, ଲକ୍ଷ୍ମୀପ୍ରିୟା ମଣ୍ଡଳ, କବିତାରାଣୀ ମିର୍ଦ୍ଧା, କନକରାଣୀ ମିର୍ଦ୍ଧା, ପୁଷ୍ପା ମିର୍ଦ୍ଧା ପ୍ରମୁଖ ୬୦ଜଣ ଗୃହିଣୀଙ୍କ ନାଁରେ ବର୍ଷେ ଦେଢ ବର୍ଷ ତଳୁ ବାସୁଦେବ ଗ୍ୟାସ ଏଜେନ୍ସି ଡାମରପୁରରେ ଗ୍ୟାସ ସଂଯୋଗ ଦିଆଯାଇଥିବା ଦର୍ଶାଯାଉଥିବା ବେଳେ ସେମାନେ କିନ୍ତୁ ଆଜିଯାଏଁ ଗ୍ୟାସ୍‌ ସଂଯୋଗ ପାଇନାହାନ୍ତି। ସେମାନଙ୍କ ନାଁରେ ଉଠିଥିବା ଗ୍ୟାସ ଭର୍ତ୍ତି ଟାଙ୍କି ଓ ଚୂଲାକୁ ଟ୍ରଲର ଓ ଚିଙ୍ଗୁଡି ଘେରିରେ ବ୍ୟବହାର ପାଇଁ କଳାବଜାରରେ ବିକ୍ରି କରିଦିଆଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର