ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ପୁରୁଷକୁ ମହିଳା ଦର୍ଶାଇ ଉଜ୍ଜଳା ଗ୍ୟାସ ସଂଯୋଗ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି। ଗରିବ ପରିବାରର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ପୁରୁଷଙ୍କୁ ମହିଳା ଦର୍ଶାଇ ଗ୍ୟାସ ସଂଯୋଗ ଦିଆଯାଇଛି। ଅନ୍ୟ ଜିଲ୍ଲାର ଏଏଚ୍‌ଏଲ୍‌ ଟିନ୍‌ ନମ୍ବର ବ୍ୟବହାର କରାଯାଇ ହିତାଧିକାରୀଙ୍କ ଗ୍ୟାସ ସଂଯୋଗ ହଡ଼ପ ଘଟଣାର ତଦନ୍ତ ଚାଲିଥିବା ବେଳେ ପୁରୁଷଙ୍କୁ ମହିଳା ଦର୍ଶାଇ ଗ୍ୟାସ ସଂଯୋଗ ଦିଆଯିବା ଘଟଣା ଆଲୋଡନ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ରାଜନଗରରେ ପୁରୁଷଙ୍କୁ ମହିଳା ଦର୍ଶାଇ ଗ୍ୟାସ ସଂଯୋଗ ବି ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ ଗୋବିନ୍ଦପୁର ଗାଁର ତ୍ରିଲୋଚନ ରାଉତଙ୍କ ଅବିବାହିତ ପୁଅ ତୁଷାରକାନ୍ତଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଦିଆଯାଇଛି। ତୁଷାରକାନ୍ତଙ୍କ ନାଁରେ ଏଚସିଏଲ ଟିନ୍‌ ନମ୍ବର ମଧ୍ୟ ନାହିଁ। ମାତ୍ର ତାଙ୍କୁ ଅନ୍‌ଲାଇନରେ ‘ଫିମେଲ୍‌’ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ରାଜନଗର ଇଣ୍ଡେନ ପକ୍ଷରୁ ଗ୍ୟାସ ସଂଯୋଗ ଦିଆଯାଇଛି। ତୁଷାରକାନ୍ତ ନିଜେ ଗ୍ୟାସ ଓ ଚୁଲା ନେଇଛନ୍ତି। ତୁଷାରକାନ୍ତଙ୍କ ମା’ ତିଳୋତ୍ତମାଙ୍କ ନାଁରେ ଇଣ୍ଡେନ ଗ୍ୟାସ ସଂଯୋଗ ଥିବା ବେଳେ ବାପା ତ୍ରିଲୋଚନଙ୍କ ନାଁରେ ବିପିଏଲ ହିତାଧିକାରୀ ଭାବେ ଇଣ୍ଡେନ ଗ୍ୟାସ ସଂଯୋଗ ଦିଆଯାଇଛି। ତ୍ରିଲୋଚନଙ୍କ ବଡ଼ପୁଅ ଶୁଭକାନ୍ତ ରାଜନଗର ଇଣ୍ଡେନରୁ ବ୍ୟାବସାୟିକ ଗ୍ୟାସ ସଂଯୋଗ ନେଇଛନ୍ତି। ଗୋଟିଏ ପରିବାରର ବାପା, ମା’ ଓ ବଡ଼ଭାଇଙ୍କ ନାଁରେ ଗ୍ୟାସ ସଂଯୋଗ ଥିବା ବେଳେ ଅବିବାହିତ ସାନପୁଅକୁ କିପରି ରାଜନଗର ଇଣ୍ଡେନ ପକ୍ଷରୁ ମହିଳା ଦର୍ଶାଇ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଦେଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହା ବାଦ୍‌, ନିୟମ ମୁତାବକ ପରିବାରରେ ଗ୍ୟାସ ସଂଯୋଗ ଥିଲେ ସେହି ପରିବାରକୁ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଦେଇ ହେବ ନାହିଁ। ହେଲେ, ତୁଷାରକାନ୍ତଙ୍କ ପରିବାରରେ ତିନିଟି ସଂଯୋଗ ଥିବା ସତ୍ତ୍ୱେ ତାଙ୍କୁ ଏହି ସଂଯୋଗ ଦିଆଯାଇଛି। ଏ ସଂପର୍କରେ ତୁଷାରକାନ୍ତଙ୍କ ବାପା ତ୍ରିଲୋଚନ କହିଛନ୍ତି, ‘ପୁଅ ନାଁରେ ଜେନେରାଲ ଗ୍ୟାସ ସଂଯୋଗ ପାଇଁ ଆବେଦନ କରିଥିଲି। ରାଜନଗର ଇଣ୍ଡେନର କର୍ମଚାରୀ ତାଙ୍କଠାରୁ ହଜାରେ ଟଙ୍କା ନେଇ ପୁଅ ନାଁରେ ଉଜ୍ଜଳା ଗ୍ୟାସ ସଂଯୋଗ ଦେଇଛନ୍ତି।’

ସୂଚନାଯୋଗ୍ୟ, ରାଜନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗୃହିଣୀଙ୍କ ନାଁରେ ଗ୍ୟାସ ସଂଯୋଗ ଦର୍ଶାଇ ଲୁଟ୍‌ କରାଯାଇଛି। ଏପରିକି ରାଜନଗର ଅଂଚଳର ପ୍ରକୃତ ହିତାଧିକାରୀଙ୍କ ଗ୍ୟାସ ସଂଯୋଗକୁ ଲୁଟି ନିଆଯାଇଛି। ଏଥି ସହ ବଲାଙ୍ଗୀର ଜିଲ୍ଲାର ହିତାଧିକାରୀଙ୍କ କୋଡ୍‌ ବ୍ୟବହାର କରାଯାଇ ଏହି ଯୋଜନାରେ ଗ୍ୟାସ୍‌ ସଂଯୋଗ ପାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଲୋନ୍‌ରେ ଗ୍ୟାସ୍‌ ସଂଯୋଗ ଦର୍ଶାଇ ବିତରକ ଗ୍ୟାସ୍‌ ଭର୍ତ୍ତି ଟାଙ୍କି, ଚୁଲା ସହିତ ସରକାରଙ୍କଠାରୁ ୧୬ଶହ ଟଙ୍କା ଲେଖାଏଁ ନେଇଛନ୍ତି।

୪ ବିତରକଙ୍କୁ ଗ୍ୟାସ୍‌ ବଣ୍ଟନ ଦାୟିତ୍ୱ

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦୁର୍ନୀତରେ ସଂପୃକ୍ତ ଥିବା ବିତରକ ମେସର୍ସ ରାଜନଗର ଇଣ୍ଡେନ୍‌କୁ ୧୪ ତାରିଖରେ ନିଲମ୍ବିତ କରାଯାଇଛି। ଇଣ୍ଡିଆନ୍‌ ଅଏଲ କମ୍ପାନୀ ପକ୍ଷରୁ ଏହି ଦୁର୍ନୀତିର ଅଧିକ ତଦନ୍ତ ଜାରି ରହିଛି। ରାଜନଗର ଇଣ୍ଡେନ୍‌ର ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ପାଇଁ କମ୍ପାନି ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜନଗର ବ୍ଲକ ରଂଗଣୀରେ ବିଏସ୍‌ ଇଣ୍ଡେନ ଗ୍ରାମୀଣ ବିତରକ, ଇଏଲ ସଦାଇ ଇଣ୍ଡେନ ଗ୍ରାମୀଣ ବିତରକ, ମେହେନ୍ଦୀନଗର, ଗୋବିନ୍ଦ ଗୋସ୍ୱାମୀ ଇଣ୍ଡେନ ଗ୍ରାମୀଣ ବିତରକ ଓ ଅଙ୍ଗୁଳାଇର ସାଇନାଥ ଇଣ୍ଡେନ ଗ୍ରାମୀଣ ବିତରକ ଗ୍ରାହକମାନଙ୍କୁ ସେବା ଯୋଗାଇବ ବୋଲି ଇଣ୍ଡେନର ଫିଲ୍ଡ ଅଫିସର ଅଙ୍କୁର ଅଭିନବ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମେସର୍ସ୍‌ ରାଜନଗର ଇଣ୍ଡେନ୍‌ ବିତରକଙ୍କୁ ନିଲମ୍ବିତ କରାଯିବା ପରେ ଭାରତୀୟ ତୈଳ ନିଗମର ମହୁଲିଆ ଗୋଦାମରେ ଥିବା ଖାଲି ଟାଙ୍କି ଓ ଗ୍ୟାସ୍‌ ଭର୍ତ୍ତି ଟାଙ୍କିର ଗଣତି ଚାଲିଛି। ଗତକାଲି ରାତି ସୁଦ୍ଧା ୩ଟି ଗାଡିରେ ୯୧୮ ଖାଲି ଟାଙ୍କି, ଲୋଡ୍‌ କରାଯାଇ ବାଲେଶ୍ୱର ଡିପୋକୁ ପଠାଯାଇଛି। ଷ୍ଟକ୍‌ ଅନୁଯାୟୀ କେତେ ଖାଲି ଟାଙ୍କି ଥିଲା, କେତେ ଗ୍ୟାସ ଭର୍ତ୍ତି ଟାଙ୍କି ଥିଲା, ସେ ନେଇ ହିସାବ ଚାଲିଛି ବୋଲି ଫିଲ୍ଡ ଅଫିସର ଶ୍ରୀ ଅଭିନବ କହିଛନ୍ତି।

ସମ୍ବନ୍ଧିତ ଖବର