ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା ପ୍ରସଙ୍ଗ ଆଣିଲେ ଅପରାଜିତା

ନୂଆଦିଲ୍ଲୀ: ଓଡ଼ିଶାରେ ୩୨ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପତ୍ର ଲେଖିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ଲୋକସଭାରେ କେନ୍ଦ୍ର ଗ୍ରାମ୍ୟ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଉତ୍ତରରେ ଉଲ୍ଲେଖ କରାଯାଇଛି, ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯାଞ୍ଚ ପରେ ୪ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅନ୍ତର୍ଗତ ଗୃହ ମିଳିଛି। ୪ ଜଣ ଅନ୍ୟ ବ୍ୟକ୍ତି ନିଜର ପଞ୍ଜୀକୃତ ଜମି ବଦଳରେ ଅନ୍ୟ ଜମି ଉପରେ ଗୃହ ନିର୍ମାଣ କରିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଗଣମାଣିତ୍ରି ଗ୍ରାମ ପଞ୍ଚାୟତର ତତ୍କାଳୀନ କାର୍ଯ୍ୟକାରୀ ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ନିଲମ୍ବନ କରିଦିଆଯାଇଛି। ହିତାଧିକାରୀ ମାନଙ୍କ ଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ କରିଥିବାରୁ ଶିଶିର କୁମାର ମଙ୍ଗରାଜ, ଚିତ୍ତରଞ୍ଜନ ମହାରଣା, ସଚ୍ଚିଦାନନ୍ଦ ସାହୁଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି ବୋଲି ରାଜ୍ୟ ସରକାର ଜଣାଇଥିବା କେନ୍ଦ୍ର ମନ୍ତ୍ରୀ ତୋମାର ଉତ୍ତରରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏପ୍ରିଲ ୨୦୧୬ରୁ ନଭେମ୍ବର ୨୮, ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର କାର୍ଯ୍ୟକାରିତାରେ ଓଡ଼ିଶାରେ ୩୯ଟି ଅନିୟମିତାର ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର