ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବସ ଯୋଜନା (ଗ୍ରାମୀଣ)ରେ ୬.୭ଲକ୍ଷ ହିତାଧିକାରୀଙ୍କୁ ସାମିଲ୍‌ କରିବା ପାଇଁ ଆବାସ୍‌ ପ୍ଲସ୍‌ ପୋର୍ଟାଲ୍ ଖୋଲିବା ନିମନ୍ତେ ରାଜ୍ୟସଭାରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ବିଜେଡି ସାଂସଦ ଯେଉଁ ଦାବି କରିଛନ୍ତି ତାହା ଚୋରି ଉପରେ ସିନା ଚୋରି ସଦୃଶ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

Advertisment

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆସୁଥିବା ଅର୍ଥର ବାଟମାରଣା ହେଉଥିବା ବେଳେ ଦଳୀୟ ଆଧାର‌େର ଘର ବଣ୍ଟନ ହେଉଛି। ରାଜ୍ୟ ସରକାର ପ୍ରକୃତ ଯୋଜନାର ହିତାଧିକାରୀଙ୍କୁ ଘର ନଦେଇ ନିଜ ଦୋଷକୁ ଲୁଚାଇବାକୁ କେନ୍ଦ୍ର ଉପରେ ଆରୋପ ଲଗାଉଛନ୍ତି। ଯଦି ସସ୍ମିତ ପାତ୍ର ଓ ତାଙ୍କ ଦଳକୁ ଗରିବଙ୍କ ଘର ପାଇଁ ଏତେ ଚିନ୍ତା ତେବେ ଯେତେବେଳେ ଆବାସ୍‌ ପ୍ଲସ୍‌ରେ ୪ଥର ସମୟ ସୀମା ବୃଦ୍ଧି କରାଗଲା ସେତେବେଳେ ଗରିବଙ୍କ ପ୍ରତି ତାଙ୍କର ଦରଦ କୁଆଡ଼େ ଗଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ପ୍ରଥମେ ୨୦୧୮ରେ ଜୁନ୍‌ ୩୦, ସେପ୍ଟେମ୍ବର ୩୦, ନଭେମ୍ବର ୩୦‌ ଏବଂ ଶେଷରେ ମାର୍ଚ୍ଚ ୭, ୨୦୧୯ ପର୍ଯ୍ୟନ୍ତ ଆବାସ ପ୍ଲସ୍‌ରେ ଗୃହ ସାମିଲ୍‌ କରିବା ପାଇଁ ତାରିଖ ବୃଦ୍ଧି କରାଯାଇଥିଲା।

ଓଡ଼ିଶା, ତାମିଲନାଡୁ, ମହାରାଷ୍ଟ୍ର ଭଳି ରାଜ୍ୟର ସ୍ବତନ୍ତ୍ର ଅନୁରୋଧ ପରେ ଏହାକୁ ବଢ଼ା ଯାଇଥିଲା। ପଞ୍ଜୀକରଣ ପାଇଁ ସିଙ୍ଗିଲ୍ ୱିଣ୍ଡୋ ଦିଆଯାଇଥିଲା। ଏହାସତ୍ତ୍ବେ ସେତେବେଳେ କେବିକେ ସମେତ ୧୬ଜିଲ୍ଲାର ୬.୭ଲକ୍ଷ ହିତାଧିକାରୀଙ୍କୁ ସାମିଲ୍‌ ନକରି ଏବେ ସସ୍ମିତ୍ ପାତ୍ର କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବାତ୍ୟା ଓ ପଞ୍ଚାୟତ ନିର୍ବାଚନ ଆସିବାରୁ ବିଜେଡିର ଆବାସ ଯୋଜନା କଥା ମନେପଡ଼ିବା ଓ ଗରିବଙ୍କ ପାଇଁ ଆନ୍ତରିକତା ହଠାତ୍ ଜାଗ୍ରତ ହେବା ବିଡମ୍ବନାର ବିଷୟ ନୁହେଁ କି?

କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନାହିଁ। ପ୍ରଥମେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ସାର୍ବଜନୀନ କରନ୍ତୁ ତା’ପରେ କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଗରିବ ଆଦିବାସୀଙ୍କୁ ପିଏମ୍‍ଏୱାଇ ଘର ନଦେବାକୁ ଷଡଯନ୍ତ୍ର: ବିଜେଡି

ଭୁବନେଶ୍ୱର : ରାଜ୍ୟର କେବିକେ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଘର ପାଇବାରୁ ବଞ୍ଚିତ କରିବାକୁ ଓଡ଼ିଶା ବିଜେପି ଷଡଯନ୍ତ୍ର କରୁଛି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ୍ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶାର ୬ ଲକ୍ଷ ପରିବାର ବିରୁଦ୍ଧରେ ଏହି ଷଡଯନ୍ତ୍ର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଓଡିଶାର ବିଜେପି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମିଛରେ ଦାବି କରିଥିଲେ ଯେ ପିଏମ୍‍ଏୱାଇ ଯୋଜନାରେ ଅନିୟମିତତା ହୋଇଛି ଏବଂ ୬ ଲକ୍ଷ ଘର ଆଦିବାସୀଙ୍କୁ ଦିଆଯାଇ ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ୍‍ଏୱାଇ ଯୋଜନାର ଆୱାସ ପ୍ଲସ୍ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଥିଲେ, କାରଣ ୬ ମାସ ହେଲା ଓଡିଶା ବିଜେପିର ଷଡଯନ୍ତ୍ର ଯୋଗୁଁ କେନ୍ଦ୍ର ଦ୍ୱାରା ଆୱାସ ପ୍ଲସ ପୋର୍ଟାଲ ଖୋଲା ହେଲା ନାହିଁ କି ଓଡିଶାର ଲୋକଙ୍କୁ ୬ ଲକ୍ଷ ଘର ଯୋଗାଇ ଦିଆଗଲା ନାହିଁ। ଓଡିଶା ବିଜେପିର ଏହି ଓଡିଶା ବିରୋଧୀ, କେବିକେ ଅଞ୍ଚଳ ବିରୋଧୀ, ଆଦିବାସୀ ବିରୋଧୀ ଆଭିମୁଖ୍ୟକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ। ରାଜ୍ୟ ବିଜେପିର ଏହିଭଳି ମନୋବୃତ୍ତି ପାଇଁ ରାଜ୍ୟବାସୀ କେବେ କ୍ଷମା କରିବେନି ବୋଲି ଶ୍ରୀ ମହାନ୍ତି କହିଛନ୍ତି।