ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗୃହରେ କମ୍ପନ

ବିଜୁ ପକ୍କା ଘର ଯୋଜନା ଲୋଗୋ କାହିଁକି ଲାଗୁଛି : ବିଜେପି
ଆମେ ୪୦% ‌ଅର୍ଥ ଦେଉଛୁ, ଲୋଗୋ ଲାଗିବ : ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ଶୂନ୍ୟକାଳରେ ଗୃହ ସରଗରମ ହୋଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ପ୍ରଥମେ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। କେନ୍ଦ୍ର ଅର୍ଥରେ ରାଜ୍ୟ ସରକାର ନିଜର ପ୍ରଚାର କରି ବିଜୁ ପକ୍କା ଘର ଲୋଗୋ ଲଗାଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ବିଜେଡି ସଭ୍ୟମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ। ରାଜ୍ୟ ସରକାର ୪୦% ଅର୍ଥ ଦେଉଥିଲା ବେଳେ ଲୋଗୋ କାହିଁକି ଲାଗିବନି ବୋଲି ପାଲଟା ପ୍ରଶ୍ନ କରିଥି‌େଲ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା କହିଥିଲେ, ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର କରିବାକୁ ଅର୍ଥ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ତାହାକୁ ନିଜ ନାମରେ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ‌େଯାଜନାରେ ହେଉଥିବା ଘରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଥିବା ଟାଇଲ୍‌ ଲଗାଇବାକ୍ୁ ନିର୍ଦ୍ଦେଶ ଦିଆଯାଇଛି। ସଂଘୀୟ ବ୍ୟବସ୍ଥାରେ ଏହା ଆଦୌ ସୁସ୍ଥ ପରମ୍ପରା ନୁହେଁ। ବିଜୁ ବାବୁଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି। କିନ୍ତୁ ଓଡ଼ିଶାରେ ସରକାର ଏକ କେନ୍ଦ୍ରୀୟ ଯୋଜନାରେ ଏପରି ବିଜୁ ବାବୁଙ୍କ ଫଟୋ ଥିବା ଲୋଗୋ ବ୍ୟବହାର କରିବା ଠିକ୍ ହେଉ ନାହିଁ।

ଶ୍ରୀ ନାୟକଙ୍କ କଥାର ପ୍ରତିବାଦ କରିଥିଲେ ବିଜେଡି ସଭ୍ୟମାନେ। ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ପୂର୍ବରୁ ଇନ୍ଦିରା ଆବାସ ଯୋଜନା ନାଁରେ ଘର ଦିଆଯାଉଥିଲା। ବିଜେପିର ପ୍ରଧାନମନ୍ତ୍ରୀ ଆସିଲା ପରେ ନାଁ ବଦଳାଇ ଦେଲେ। କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅଂଶ ବି କମାଇଦେଲେ। ଯେତେବେଳେ ଆମେ ୪୦% ଦେଉଛୁ, ଆମ ଲୋଗୋ କାହିଁକି ନ ଲାଗିବ ?

ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଲେ, ବିଭିନ୍ନ ଆବାସ ଯୋଜନାରେ କେନ୍ଦ୍ର ସରକାର ୧୦୦% ଦିଅନ୍ତି। କିଛି କେନ୍ଦ୍ର ଓ ରାଜ୍ୟ ମିଶିକି କରାନ୍ତି। ଜବାହାରଲାଲ ନେହରୁଙ୍କୁ ସମୟରୁ ୧୦୦ ପ୍ରତିଶତ କେନ୍ଦ୍ର ଦେଉଥିଲା। କିନ୍ତୁ ମୋଦୀ ଆସିବା ପରେ ଏବେ ରାଜ୍ୟକୁ ୪୦% ଦେବାକୁ ପଡ଼ୁଛି। ଗତ ୩ ବର୍ଷରେ ଓଡ଼ିଶା ପାଇଁ ଯେଉଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, ସେଥିରୁ ରାଜ୍ୟ ନିଜେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ତେଣୁ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଇବାରେ ଅସୁବିଧା କେଉଁଠି ? ଏହା ବିରୋଧୀଙ୍କ ହୀନ ମାନସିକତା। ଲୋକ ଯେମିତି ଠିକ୍ ଭାବେ ଏହି ଯୋଜନାର ସୁବିଧା ପାଇବେ, ସେ ଦିଗରେ କାମ କରିବା ଆବଶ୍ୟକ। ଛୋଟ ଛୋଟ କଥାକୁ ନେଇ ତୁ ତୁ ମେ ମେ ହେବା ଠିକ୍ ନୁହେଁ।

ଜବାବରେ ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ, ଯଦି କେନ୍ଦ୍ର ଓ ରାଜ୍ୟ ମିଶିକି ଦେଉଛନ୍ତି, ତାହା ଫଳକରେ ଲେଖାଯାଉ। ଖାଲି ବିଜୁ ବାବୁଙ୍କ ଲୋଗୋ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ କାହିଁକି ଲିଭା ଯାଉଛି ? ସବୁ ଯୋଜନାରେ ବିଜୁ ବାବୁଙ୍କ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ବି ଦିଆଯାଉ। ୨୦୨୨ ସୁଦ୍ଧା ସମସ୍ତଙ୍କୁ କିପରି ଘର ମିଳିବ, ସେ ଦିଗରେ ରାଜ୍ୟ ସରକାର ରାସ୍ତା କାଢ଼ନ୍ତୁ। ଏହି ସମୟରେ କଂଗ୍ରେସର ସଭ୍ୟମାନେ କିଛି କହିବାକୁ ଚାହୁଁଥିଲା ବେଳେ ଶ୍ରୀ ନାୟକ ଆକ୍ଷେପ କରି କହିଥିଲେ, କଂଗ୍ରେସ ସଭ୍ୟମାନଙ୍କର ଏହି ପ୍ରସଙ୍ଗରେ କିଛି କହିବାର ସତ୍‌ସାହାସ ନାହିଁ। କଂଗ୍ରେସ ଅମଳରେ ୫୦ ଲକ୍ଷରୁ ଅଧିକ ଘର ମିଳିନି।

ପରେ କଂଗ୍ରେସ ସଭ୍ୟ ତାରା ବାହିନୀପତି କହିଥିଲେ, ଆମକୁ ଆକ୍ଷେପ କରିବା ନିନ୍ଦନୀୟ। ବିଜେଡି-ବିଜେପି ୯ ବର୍ଷ ମିଳିତ ଭାବେ ଶାସନ କଲ। ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନକୁ ଆସିବା ପୂର୍ବରୁ ଆବାସ ଯୋଜନାରେ କେନ୍ଦ୍ର ୯୦% ଓ ରାଜ୍ୟ ୧୦% ଅର୍ଥ ଦେଉଥିଲେ। କିନ୍ତୁ ମୋଦୀ ତାହାକୁ ୬୦-୪୦ କରିଦେଲେ। ଇନ୍ଦିରା ଆବାସ ଯୋଜନା ନାଁ ବଦଳାଇ ଦେଲେ। କେବିକେ ଯୋଜନା ପରି ବହୁ ଯୋଜନା ବନ୍ଦ କରିଦେଲେ। ନୂଆ କ’ଣ କରିଛ କୁହ?

ସମ୍ବନ୍ଧିତ ଖବର