ଜୟପୁର: ଚାଷୀଙ୍କ ଜମିରେ ଚକଡ଼ା ପୋକ ଲାଗି କ୍ଷତି ହେବା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ଦୈବିଦୁର୍ବିପାକରେ ପସଲ ନଷ୍ଟ ହେଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ପସଲ ବୀମା ଯୋଜନାରୁ ବୀମା ଟଙ୍କା ଠିକଣା ସମୟରେ ମିଳୁ ନଥିବାରୁ ଜିଲ୍ଲାର ଚାଷୀମାନେ ଏହି ବୀମା କରିବାରୁ ମୁହଁ ଫେରାଇଛନ୍ତି। ଜିଲ୍ଲାର ୧୪ଟି ବ୍ଲକରେ ୧ଲକ୍ଷ ୬୬ହଜାର ୭୩୪ଜଣ ବିଭିନ୍ନ ବର୍ଗର ଚାଷୀ ପରିବାର ୨ଲକ୍ଷ ୯୧ହଜାର ୪୦୭ହେକ୍ଟର ଜମିରେ ଚାଷ କରୁଛନ୍ତି। ଏଥରକ ଜମିର ପ୍ଲଟକୁ ନେଇ ବୀମା କରାଯାଉଛି। ସେହି କ୍ରମରେ ତାହାର ମାତ୍ର ୧୪.୨୫% ପ୍ରତିଶତ ଅର୍ଥାତ ୨୦ହଜାର୪୪୧.୬ହେକ୍ଟର ଜମି ପାଇଁ ହିଁ ଚାଷୀ ବୀମା କରିଛନ୍ତି। ଯାହାକି ଚାଷୀ ଓ ଚାଷ କରୁଥିବା ଜମିର ପରିମାଣକୁ ଦେଖାଗଲେ ସମୁଦ୍ରକୁ ଶଙ୍ଖେ।

Advertisment

ସୂଚନାଯୋଗ୍ୟ,  ଜିଲ୍ଲାର ୧୪ଟି ବ୍ଲକରେ ଖରିଫରେ ଧାନ ୮୫ହଜାର ୧୬୨ହେକ୍ଟର, ମକା ୨୦ହଜାର ୭୬୦ହେକ୍ଟର, କ୍ଷୁଦ୍ର ଖାଦ୍ୟ ଶସ୍ୟ ୨୧ହଜାର ୭୦ହେକ୍ଟର, ଡାଲି ଜାତୀୟ ୨୨ହଜାର ୩୪୭ହେକ୍ଟର, ତୈଳବୀଜ ୨୩୨୭୨ହେକ୍ଟର, ପନିପରିବା ଓ ଅନ୍ୟାନ୍ୟ ୩୨୭୮୬ହେକ୍ଟର,  ମରିଚ , ଅଦା ଆଦି ୧୧ହଜାର ୪୫୦ହେକ୍ଟର ଏଭଳି ୨ଲକ୍ଷ ୯୧ହଜାର ୪୦୭ହେକ୍ଟର ଜମିରେ ଖରିଫ ଚାଷ କରାଯାଉଛି। ଏମାନଙ୍କ ମଧ୍ୟରୁ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା, ଲ୍ୟାମ୍ପ ଆଦିରୁ ଋଣ ନେଇଥିବା ୨୬୩୭୭ଜଣ ଓ  ଋଣ ନେଇ ନଥିବା ୨୮୮୫୨ଜଣ ରହିଛନ୍ତି। ସେଭଳି ପ୍ରଧାନମନ୍ତ୍ରୀ ପସଲବୀମା ବିଭିନ୍ନ ବ୍ଲକର ୨୫୮ଟି ୟୁନିଟରେ ୩୨ହଜାର ୪୬୩ଜଣ ଚାଷୀ ୨୦ହଜାର୪୪୧.୬ହେକ୍ଟର ଜମି ପାଇଁ ୮ଲକ୍ଷ ୧୮ହଜାର ୫୬୨ଟଙ୍କା ୭୬ପଇସା ଦାଖଲ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଛନ୍ତି। ରାଜ୍ୟସରକାର ଏମାନଙ୍କ ବଳକା ବୀମା ଦେୟ ଦେଉଥିଲେ ହେଁ ଚାଷୀ ମାନେ ଏହି ଯୋଜନାରେ ସାମିଲ ହେବାରୁ କାହିଁକି ମୁହଁ ଫେରାଉଛନ୍ତି ତାହାର ସଠିକ ଭାବେ ଯାଂଚ କରି ଏଭଳି ଭଲ ଯୋଜନାରେ ଅଧିକାରୁ ଅଧିକା ଚାଷୀ ଯେଭଳି ସାମିଲ ହୋଇ ପାରିବେ ସେ ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପୂର୍ବ ପଦ୍ଧତିକୁ ରାଜ୍ୟସରକାର ପରିବର୍ତ୍ତନ କରିଛନ୍ତି। ଏଣିକି ପ୍ଲଟୱାରୀ ବୀମା ଦେୟ ଆଦାୟ କରାଯାଉଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଏବର୍ଷ ଅଧିକା ଚାଷୀ ଓ ଅଧିକା ଜମିରେ ବୀମା କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି। କୃଷି କର୍ମଚାରୀ ମାନେ ଚା‌ଷୀଙ୍କ ଜମି ନିକଟକୁ ଯାଇ ପ୍ଲଟ ୱାରୀ ବୀମା କରାଉଛନ୍ତି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟକୃଷି ଅଧିକାରୀ।