ଶକ୍ତି ସୌରଭ ନନ୍ଦ
ଦେବଗଡ଼: ବଣପାହାଡ଼ ଘେରା ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଦେବଗଡ଼ ସହରବାସୀଙ୍କ ଜୀବନଧାରାର ପ୍ରମୁଖ ଉତ୍ସ ଏହି ଜଳପ୍ରପାତ ରାଜରାଜୁଡ଼ା ଅମଳରୁ ଆଜିପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଆସୁଛି। ଏବେ ଧୀରେ ଧୀରେ ଏହାର ଧାର ଶୁଖି ପାଣି ଝରିବା କମିବାରେ ଲାଗିଲାଣି। ଏ ନେଇ ପରିବେଶପ୍ରେମୀ, ବୁଦ୍ଧିଜୀବୀ ବେଶ୍‌ ଚିନ୍ତା ପ୍ରକଟ କରିଛନ୍ତି। ଘଞ୍ଚ ଅରଣ୍ୟ ବିଶିଷ୍ଟ ଅପୂର୍ବ ଶୋଭାରାଜି ଏହି ଜଳପ୍ରପାତର ଅବସ୍ଥିତି। କିନ୍ତୁ, ଦୁଃଖର ବିଷୟ ବର୍ତ୍ତମାନ ଜଳପ୍ରପାତର ପାଦଦେଶର ଥିବା ସଂରକ୍ଷିତ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଅବାଧ ଗଛ କଟା ଦ୍ବାରା ଉଭୟ ଜଙ୍ଗଲ ଶୋଭାରାଜି ନଷ୍ଟ ହେବାସହ ଜଳଧାର କମୁଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ ଦେବଗଡ଼ ସହରବାସୀଙ୍କ ପାଇଁ ଦୈନିକ ୩.୬ ଏମ୍‌ଏଲ୍‌ଡି ପାଣି ଆବଶ୍ୟକ। ସେଥିରୁ ପ୍ରଧାନପାଟ ଜଳପ୍ରପାତରୁ ମାତ୍ର ୧ ଲକ୍ଷ ଲିଟର ପାଣି ସଂଗୃହୀତ ହେଉଥିବା ବେଳେ ୧.୪ ଏମ୍‌ଏଲ୍‌ଡି ପାଣି ଗଭୀର ନଳକୂପରୁ ନିଆଯାଉଛି। ଏହିପରି ଭାବେ ସହରବାସୀଙ୍କ ମିଳୁଛି ମାତ୍ର ୨.୪ ଏମ୍‌ଏଲ୍‌ଡି ପାଣି। ଯାହାକି ସେମାନଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ଗୋଟିଏପଟେ ପ୍ରଧାନପାଟର ଜଳଧାର ଶୁଖିଯାଉଥିବା ବେଳେ ଅନ୍ୟପଟେ ଭୂତଳ ଜଳସ୍ତର ବି କମିବାରେ ଲାଗିଛି। ଫଳସ୍ବରୂପ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି। ପାଣି ଶୁଖି ଯାଉଥିବାରୁ ଆଗାମୀ କିଛିବର୍ଷ ଭିତରେ ପ୍ରଧାନପାଟ ତା’ର ସତ୍ତା ହରାଇବା ଆଶଙ୍କା ପ୍ରକାଶ ପାଇଛି। ତତ୍‌କାଳୀନ ବାମଣ୍ଡା ରାଜା ସଚିଦାନନ୍ଦ ତ୍ରିଭୂବନ ଦେବ ପ୍ରଧାନପାଟର ସୁରକ୍ଷା ନେଇ ଏକ ମାର୍ବଲ ଖୋଦିତ ଶିଳାଲିପିରେ ଜନସାଧାରଣଙ୍କ ସତର୍କ ସୂଚନା ଲେଖିଥିଲେ। ଦୂରଦର୍ଶୀ ରାଜା ସେ ସମୟରୁ ହିଁ ପ୍ରଧାନପାଟ ଜଙ୍ଗଲ ଧ୍ୱଂସ ଓ ପ୍ରଧାନପାଟ ଜଳପ୍ରପାତର ପାଣି ଶୁଖିବା ନେଇ ଆଶଙ୍କା ପ୍ରକାଶ କରି ଲୋକଙ୍କୁ ସଚେତନ କରିଥିଲେ। ଯାହା ଆଜି ସତ ହେବାକୁ ଯାଉଛି।