ବିଧାନସଭା ପରିସରରେ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜନେତା, ଏଭଳି ସ୍ମୃତିଚାରଣ କଲେ ନେତୃବୃନ୍ଦ

ଭୁବନେଶ୍ବର: ପରଲୋକଗତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ  ବିୟୋଗ ପରେ ମହାରଥୀଙ୍କ ସ୍ମୃତିଚାରଣ କରିଛନ୍ତି ବହୁ ନେତା। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ସେ ଜଣେ ନିର୍ଭୀକ ବ୍ୟକ୍ତି ଥିଲେ।  ପ୍ରଦୀପ ମହାରଥୀଙ୍କର କୌଣସି ପ୍ରକାରର ଭୟ ନ ଥିଲା। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ତାଙ୍କ ବିୟୋଗ ଦଳ ପାଇଁ ବଡ଼ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଦୀପ ମହାରଥୀଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି,  ପ୍ରଦୀପ ମହାରଥୀଙ୍କ କାମକୁ ମୁଁ ବହୁବାର ବିଧାନସଭାରେ  ପ୍ରଶଂସା କରିଛି । ଆମେ ଦୁହେଁ ମିଶି ବହୁ ଲୋକହିତକର କାର୍ଯ୍ୟ କରିଛୁ ବୋଲି ସୁରେଶ କୁମାର ରାଉତରାୟ କହିଛନ୍ତି।

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଶୋକ ବାର୍ତ୍ତାରେ କହିଛନ୍ତି ଯେ ପ୍ରଦୀପ ମହାରଥୀଙ୍କ ବିୟୋଗରେ ସେ ଗଭୀର ମର୍ମାହତ। ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଦୀପ ମହାରଥୀ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ। ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ବି ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର