ଜୟପୁର: କୋରାପୁଟଜିଲ୍ଲାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଅନୁଗୁଳକୁ ସ୍ଥାନାନ୍ତର କରିବା ପାଇଁ ଷଡଯନ୍ତ୍ର କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳଦିବସ ଅବସରେ କୋଟିଆ ଗସ୍ତରେ ଆସିଛନ୍ତି ବୋଲି ଜୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ। କୋଟିଆ ଗ୍ରାମପୁଂଜକୁ ନେଇ ଲାଗି ରହିଥିବା ବିବାଦକୁ ନେଇ ରାଜ୍ୟସରକାର ସୁପ୍ରିମକୋର୍ଟରେ ମାମଲା ଲଢ଼ୁଛି। ଅପରପକ୍ଷରେ କେବେ ବି ଓଡିଶାରୁ ଥିବା ତିନି ଜଣ ମନ୍ତ୍ରୀ କେନ୍ଦ୍ରରେ ରହିଥିବା ବେଳେ ଓ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ପ୍ରସଙ୍ଗରେ ଗୋଟିଏ ପଦୁଟିଏ କେବେ ବି କହିବା ସେ ଜାଣି ନାହାନ୍ତି ବୋଲି କହିଛନ୍ତି ଶ୍ରୀ ମାଝୀ। ଯଦି ତାଙ୍କର ଏତେ ଦରଦ ରହିଛି ତେବେ କେନ୍ଦ୍ର ଗୃହ ବିଭାଗ ଜରିଆରେ ୨ଟି ରାଜ୍ୟର ସମସ୍ୟାକୁ କାହିଁକି ସମାଧାନ କରାଉନାହାନ୍ତି।

Advertisment

କେନ୍ଦ୍ରସରକାର ଓ ଗୃହ ବିଭାଗର ଏହା ମୌଳିକ ଓପ୍ରାଥମିକ ଦାୟିତ୍ବ ଉଭୟ ରାଜ୍ୟର ସମସ୍ୟା ସମାଧାନ କରାଇବା କଥା। ସେଭଳି କେବେ କରାଇଛନ୍ତି କି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି। ଆନ୍ଧ୍ର ପ୍ରଦେଶ ଏହି ପଂଚାୟତକୁ ବିବାଦୀୟ କରିବା ପାଇଁ ଷଡଯନ୍ତ୍ର କରି ଆସୁଛି। ଏହାକୁ ବିଜେଡି ସରକାର ପଣ୍ଡ କରୁଛି। ୧୬୦କୋଟି ଖର୍ଚ୍ଚ କରି କୋଟିଆ ପଂଚାୟତର ରୁପରେଖରେ ପରିବର୍ତ୍ତନ କରିବା ସହ ସେଠାରେ ବସବାସ କରୁଥିବା ଲୋକଙ୍କର ଜୀବନମାନରେ ବ୍ୟାପକ ପରିବର୍ତ୍ତନ କରି ପାରିଛି ରାଜ୍ୟ ସରକାର।

ଅଭିବକ୍ତ କୋରାପୁଟ ଜିଲ୍ଲାର ସମାଗ୍ରୀକ ବିକାଶ ପାଇଁ କେନ୍ଦ୍ର ସରକାର କଣ କରିଛନ୍ତି ତାହାର ଉତ୍ତର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି। ୨୦୦୯ମସିହାରେ ବିଶ୍ବବିଦ୍ୟାଳୟ ଆରମ୍ଭ ପର ଠାରୁ ୭ଟି ବିଭାଗରେ ୧୪ଟି ବିଷୟରୁ ଅଧିକା ପାଠ୍ୟକ୍ରମ ବଢ଼ୁନି। ଚଣ୍ଡିଗଡରେ କିନ୍ତୁ ପ୍ରତିବର୍ଷ ବଢ଼ୁଛି। ଶିକ୍ଷକ ମରୁଡ଼ିରେ ଯୁଜୁଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ। ୧୭ଜଣ ସହକାରୀ ପ୍ରଫେସର ଓ୨ଜଣ ସ୍ଥାୟୀ ପ୍ରଫେସରରେ ଏତେ ବଡ଼ ବିଶ୍ବବିଦ୍ୟାଳୟ ଚାଳିଛି। ଏଠାରେ ୧୩୮ଜଣ ଟିଚିଂ ଓ ୯୧ଜଣ ନନ ଟିଚିଂ ଏଭଳି ୨୨୯ଟି ପଦବୀ ଖାଲି ପଡ଼ିଛି। ଖାଲି ପଡ଼ିଥିବା ପଦବୀ ପୁରଣ ପାଇଁ କେନ୍ଦ୍ର ସରକାର କେବେ ବି ବିଞାପନ ଦେଇଛନ୍ତି କି ? ଏ ପର୍ଯ୍ୟନ୍ତ ପ୍ରଶାସନିକ ଭବନର ନିର୍ମାଣ ସରିନଥିବା ବେଳେ ସେରିକଲଚର ବିଭାଗର ଅତିଥି ଗୃହରେ ଏହା ଚାଳିବା କେତେ ଦୁର ଯୁକ୍ତିଯୁକ୍ତ। ଏହି ସ୍ଥିତିରେ ଏକାଡେମୀ କାଉନସିଲ ବୈଠକ କରି ସାଟେଲାଇଟ୍ ଷ୍ଠଡି ସେଣ୍ଟର ଅନୁଗୁଳରେ କରି ଏଠାରୁ ଉପକୁଳପତିଙ୍କ କାର୍ଯ୍ୟାଳୟକୁ ବି ସ୍ଥାନାନ୍ତର କରି ଧିରେ ଧିରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ସ୍ଥାନାନ୍ତର କରିବା ଷଡଯନ୍ତ୍ରକୁ ଫଳପ୍ରଦ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି।

ତିନୋଟି ଆଦିବାସୀ ଜାତି ଝୋଡିଆ ବା ଝୋଡିଆ ପରଜା, ଦୁରୁଆ ବା ଦୁରଭା, କୋଣ୍ଡାଦୋରା ବା କୋଣ୍ଡାରେଡ୍ଡୀକୁ ଆଦିବାସୀ ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ସହଯୋଗ କରି ଆସୁଛନ୍ତି, ସେମାନେ ଆଦିମ ଜନଜାତି ବୋଲି ରିପୋର୍ଟ ଦେବା ପରେ ବି କେନ୍ଦ୍ର ସରକାର ଆଦିବାସୀ ବୋଲି କାହିଁକି ଘୋଷଣା କରୁନାହାନ୍ତି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି। ଏହା ଫଳରେ ଏହି ତିନି ଆଦିବାସୀ ସଂପ୍ରଦାୟ ନିଜର ସମ୍ବିଧାନିକ ଓ ମୌଳିକ ଅଧିକାରରୁ ବଂଚିତ।
ଦୁରଦୃଷ୍ଟି ଓ ଅଣଦେଖାର ଅଭାବ ଯୋଗୁଁ ରାଜ୍ୟସରକାର ଅସ୍ଥାୟୀ ବିଦ୍ୟାଳୟ କୋଠା ଓ ଜମି ଆଦି ଯୋଗାଇବାକୁ ପ୍ରସ୍ତୁତ ରହିବା ବାଦେ ବି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କାହିଁକି କେନ୍ଦ୍ର ଶିକ୍ଷାମନ୍ତ୍ରୀ କୁଣ୍ଠାବୋଧ କରୁଛନ୍ତି।

ନବରଙ୍ଗପୁର-ଜୟପୁର-ମାଲକାନଗିରୀ ରେଳ ଲାଇନ ପାଇଁ ଜମି ଓ ୫୦ପ୍ରତିଶତ ଅନୁଦାନ ଅର୍ଥ ରାଶି ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେଉଥିଲେ ହେଁ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏହା ହୋଇ ପାରିନି। କେବିକେ ଜିଲ୍ଲାର ବିକାଶ ପାଇଁ ସରକାରୀ ଯୋଜନା ବିଆରଜିଏଫ୍, ଆରଏଲଟିଏପି, ନରେଗାରେ ଟଙ୍କା କାଟ କରିବା ସହ କେବିକେ ଅନୁଦାନ ବନ୍ଦ କରାଯାଇଛି। ଏଭଳି ୮୦ପ୍ରତିଶତ ଯୋଜନାକୁ ବନ୍ଦ କରିଛି କେନ୍ଦ୍ର । ମୁଖ୍ୟମନ୍ତ୍ରୀ ବିଜୁ କେବିକେ, ଆଇଟିଡିଏ ଏବଂ ବ୍ଲକ ପାଇଁ ସ୍ବତନ୍ତ୍ର ନିଜସ୍ବ ଯୋଜନା କରି ନଥିଲେ ଅଭିବକ୍ତ କୋରାପୁଟ ଜିଲ୍ଲାର ସମାଗ୍ରୀକ ବିକାଶ ହୋଇ ପାରି ନଥାନ୍ତା। ଆଜି ଅଭିବକ୍ତ କୋରାପୁଟ ଜିଲ୍ଲା ସମଗ୍ର ଦେଶରେ ସ୍ବତନ୍ତ୍ର ବିକଶିତ ହେବା ପଛରେ ରାଜ୍ୟସରକାରଙ୍କ ଭୁମିକା ଗୁରୁତ୍ବପୁର୍ଣ୍ଣ ବୋଲି କହିଛନ୍ତି ଶ୍ରୀ ମାଝୀ।