ନବରଙ୍ଗପୁର : ବିଦେଶୀ ଯୁବତୀଙ୍କ ସହ ପୂର୍ବତନ ସାଂସଦ ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଭିଡିଓ ଭାଇରାଲ ଘଟଣାକୁ ପ୍ରସଙ୍ଗ କରି ଆକ୍ରମଣାତ୍ମକ ମୁଦ୍ରାକୁ ଆସିଛି ବିଜେଡି। ଏହି ଘଟଣାକୁ ନେଇ ଆସନ୍ତାକାଲି ରାସ୍ତାକୁ ଓହ୍ଲାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଏପରିକି ୫ଘଣ୍ଟା ଧରି ବନ୍ଦ ପାଳନ ପାଇଁ ଆଜି ଆହ୍ବାନ ଦେଇଛି। ଏନେଇ ଆଜି ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ପ୍ରହ୍ଲାଦ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୂର୍ବରୁ ବିଦେଶୀ ଯୁବତୀଙ୍କ ସହ ପ୍ରଦୀପ ମାଝୀଙ୍କ କିଛି ଫଟୋ ଭାଇରାଲ ହୋଇଥିଲା। ଏନେଇ ଏକ ନିର୍ଧିଷ୍ଟ ଗଣମାଧ୍ୟମରେ ବି ଉକ୍ତ ଫଟୋ ସହ ଖବର ପ୍ରକାଶ ପାଇଥିଲା। ସେହି ସମୟରେ ପ୍ରଦୀପ ମାଝୀ ଉକ୍ତ ଗଣମାଧ୍ୟମ ସଂସ୍ଥା ବିରୋଧରେ ମାମଲା କରିବେ ବୋଲି କହିଥିଲେ। ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିବା ବେଳେ ଉକ୍ତ ମାମଲା କୁଆଡ଼େ ଗଲା ବୋଲି ଆଜି ପ୍ରଶ୍ନ କରିଛନ୍ତି ଶ୍ରୀ ତ୍ରିପାଠୀ। ବର୍ତମାନ ପୁଣି ବିଦେଶୀ ଯୁବତୀଙ୍କ ସହ ପ୍ରଦୀପଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓର ସତ୍ୟତାକୁ ନେଇ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ। ତେଣୁ ଏଭଳି ଜଣେ ନେତାଙ୍କ ଠାରୁ ଏଆଇସିସି ସଭାପତି ଓ ପିସିସି ସଭାପତି ତୁରନ୍ତ ସମର୍ଥନ ପ୍ରତ୍ୟାହାର କରନ୍ତୁ। ତାଙ୍କ ପ୍ରାର୍ଥିତ୍ବକୁ ବି କଂଗ୍ରେସ ପକ୍ଷରୁ ରଦ୍ଦ କରାଯାଉ ବୋଲି ବିଜେଡି ଦାବି କରିଛନ୍ତି। ସେହିପରି ଏମିତି ଜଣେ ନେତାଙ୍କୁ ସଂସଦକୁ ବି ପଠାଇବା ଉଚିତ ନୁହେଁ। ଏହାର ପ୍ରତିବାଦ କରି ଆସନ୍ତାକାଲି ଜିଲ୍ଲା ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ନବରଙ୍ଗପୁରରେ ବନ୍ଦ ପାଳନ କରାଯିବ। ସମସ୍ତ ଦୋକାନ ବଜାର ସହ ଗାଡ଼ି ଚଳାଳ ଏହି ସମୟ ମଧ୍ୟରେ ବନ୍ଦ ରହିବ ବୋଲି ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/pra.jpg)