କଟକ: ଅର୍ଥତତ୍ତ୍ବ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଜେଲରେ ବେଆଇନ ଅଟକ ଅଭିଯୋଗ କରି ଦାୟର କରିଥିବା ଆବେଦନରେ ସରକାରଙ୍କ ପକ୍ଷରୁ ଆବେଦନକାରୀଙ୍କ ବିରୋଧରେ ଥିବା ମାମଲା ସଂପର୍କରେ ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟର ବିଭିନ୍ନ ଥାନାରେ ପ୍ରଦୀପଙ୍କ ବିରୋଧରେ ରୁଜୁ ମାମଲା ଗୁଡିକ ମଧ୍ୟରୁ ସୁପ୍ରିମକୋର୍ଟଙ୍କ ୨୦୧୪, ମେ’୯ର ନିର୍ଦ୍ଦେଶ ପରେ କେତେ ସଂଖ୍ୟକ ମାମଲାର ତଦନ୍ତ ଭାର ସିବିଆଇ ନେଇଥିଲା ସେ ନେଇ ସରକାର ତଥ୍ୟ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଅର୍ଥତତ୍ତ୍ବ ଠକେଇ ଅଭିଯୋଗ ନେଇ ଆବେଦନକାରୀଙ୍କ ବିରୋଧରେ ଏକାଧିକ ମାମଲା ପୃଥକ ଭାବେ ଶୁଣାଣି ଚାଲିବା ପ୍ରସଂଗରେ ଜବାବ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାର ହାଇକୋର୍ଟ ଶୁଣାଣି କରି ଜୁଲାଇ ୨୧ରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ପ୍ରଦୀପ ୨୦୧୩, ମେ’୧୩ରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୧୭, ଏପ୍ରିଲ ୬ରେ ଭୁବନେଶ୍ବର ସ୍ପେଶାଲ ସିଜେଏମ୍ ଅଦାଲତ ଅର୍ଥତତ୍ତ୍ବ ଠକେଇ ନେଇ ଥିବା ସିବିଆଇ ମାମଲାରେ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହାପରେ ସମ୍ବଲପୁର ସିଜେଏମ୍ ଅଦାଲତ ଅର୍ଥତତ୍ତ୍ବ ଠକେଇ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ତାଙ୍କୁ ୨୦୧୭, ନଭେମ୍ବର ୧୫ରେ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏଥି ସହିତ ରାଜ୍ୟର ବିଭିନ୍ନ ଅଦାଲତରେ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଇତି ମଧ୍ୟରେ ସେ ୭ ବର୍ଷ ଜେଲ ଦଣ୍ଡ ଭୋଗ କରି ସାରିଥିବା ବେଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ୨୦୧୪ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅନୁସାରେ ପ୍ରଦୀପଙ୍କ ବିରୋଧରେ ଅର୍ଥତତ୍ତ୍ବ ନେଇ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ ସିବିଆଇ କରିବା କଥା। କିନ୍ତୁ ସିବିଆଇକୁ କେତେକ ମାମଲାର ତଦନ୍ତ ଭାର ଦିଆଯାଇଥିଲା। ଅନ୍ୟ କେତେକ ମାମଲା ପୃଥକ ଭାବେ ତଦନ୍ତ ପରେ ଅଦାଲତରେ ବିଚାରାଧୀନ ରହିଛି। ଗୋଟିଏ ପ୍ରସଂଗକୁ ନେଇ ତାଙ୍କ ବିରୋଧରେ ଏକାଧିକ ମାମଲା ପୃଥକ ଭାବେ ଚାଲିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ଥିବା ମାମଲା ଗୁଡିକୁ ରଦ୍ଦ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ସିଦ୍ଧାର୍ଥ ଦାସ ଓ ସୌମ୍ୟରଂଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/high-court-new-india-express.jpg)