ପ୍ରଦୀପ୍ତ, ରଘୁନାଥ ଗୁରୁତର ଅସୁସ୍ଥ

ଆରୋଗ୍ୟ କାମନା କଲେ ମୋଦୀ, ନବୀନ
ଗୁଲେରିଆଙ୍କ ସହ ପରାମର୍ଶ କରାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ବିରୋଧୀ ନେତା ପ୍ରଦୀପ୍ତ ନାଏକ ଓ ବିଶିଷ୍ଟ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ର କରୋନାରେ ସଂକ୍ରମିତ ହେଲା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଉଭୟ ଏବେ ଭୁବନେଶ୍ବର ଏମ୍‌ସ୍‌ରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବାରୁ ସେମାନଙ୍କୁ କୋଭିଡ୍‌ ଆଇସିୟୁରେ ରଖାଯାଇଛି। ଏମ୍‌ସର ଏକ ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି।

ଉଭୟଙ୍କ ସ୍ବାସ୍ବ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ନାଏକଙ୍କ ପତ୍ନୀ ଓ ଶ୍ରୀ ମହାପାତ୍ରଙ୍କ ପୁଅଙ୍କ ସହ ମୋଦୀ ଟେଲିଫୋନ୍ ଯୋଗେ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅଭିଜ୍ଞ ଡାକ୍ତରୀ ଦଳ ଏମ୍‌ସ୍‌ କର୍ତ୍ତୃପକ୍ଷଙ୍କ ସହ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ସମ୍ପର୍କରେ ଆଲୋଚନା କରିବାକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟଙ୍କ ଚିକିତ୍ସା ସମ୍ପର୍କରେ ପରାମର୍ଶ କରିବା ନିମନ୍ତେ ଏମ୍‌ସ୍‌, ନୂଆଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ଆର୍‌ ଗୁଲେରିଆଙ୍କ ସହ ଚିକିତ୍ସା କରୁଥିବା ଡାକ୍ତର, ଏମ୍‌ସ୍‌ ଭୁବନେଶ୍ବର ନିର୍ଦ୍ଦେଶିକା ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନାର ବ୍ୟବସ୍ଥା କରାଇଥିଲେ। ପ୍ରଫେସର ଗୁଲେରିଆ ଚିକିତ୍ସା ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ଶ୍ରୀ ପ୍ରଧାନ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର