ପ୍ରଦ୍ୟୁମ୍ନ ବଳ ଜୟନ୍ତୀ ସମାରୋହ: ସାଧାରଣ ଲୋକ ଗଣତନ୍ତ୍ରର ମେରୁଦଣ୍ଡ

ଭୁବନେଶ୍ବର : ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୮୯ତମ ଜୟନ୍ତୀ ଉତ୍ସବ ଆଜି ପ୍ରଗତିବାଦୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ଆୟୋଜିତ ପ୍ରଦ୍ୟୁମ୍ନ ବଳ ସମ୍ମାନ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧକୁ ପାଥେୟ କରି ବଞ୍ଚିଥିବା ଭଳି ଜଣେ ମଣିଷ। ସମାଜର ଉନ୍ନତି ତଥା ନିଷ୍ପେସିତ ଓ ଗରିବଙ୍କ ଲାଗି ଗଣତାନ୍ତ୍ରିକ ପ୍ରକ୍ରିୟାରେ ରହୁଥିବା ଅସୁବିଧା ବିରୋଧରେ ସେ ସର୍ବଦା ସ୍ବର ଉତ୍ତୋଳନ କରୁଥିଲେ। ଏଥିସହିତ ସେ କହିଥିଲେ ଯେ ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମେରୁଦଣ୍ଡ। ସରକାର ଏହାର ପରିଚାଳକ।

ସେହିପରି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରେଣ୍ୟ ଅତିଥି ଭାବେ ଭର୍ଚୁଆଲରେ ଯୋଗଦେଇ କହିଥିଲେ ଯେ ପ୍ରଦ୍ୟୁମ୍ନ ବଳ ଗୋଟିଏ ବିଚାରଧାରା। ଓଡ଼ିଶା ଭଳି ରାଜ୍ୟରେ ସରକାରଙ୍କଠାରୁ ଦୂରରେ ରହି ସାଧାରଣ ଲୋକଙ୍କ ଲାଗି କିଛି କରିବାର ସାହସ କରୁଥିବା ଲୋକଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ଏହି ସମାରୋହରେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟର ସଭାପତି ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇଥିଲେ।

ଏହି ଅବସରରେ ଗାନ୍ଧୀବାଦୀ ସର୍ବୋଦ୍ବୟ କର୍ମୀ ନିଶାକର ଦାସଙ୍କୁ ଚଳିତ ବର୍ଷର ପ୍ରଦ୍ୟୁମ୍ନ ବଳ ସମ୍ମାନରେ ସମ୍ମାନିତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧ ଜଣଙ୍କୁ ପ୍ରଦ୍ୟୁମ୍ନ ବଳ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଗତିବାଦୀର ନିର୍ଦ୍ଦେଶିକା ଡ. ମୋନାଲିସା ବଳ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଗତିବାଦୀର ଅଧ୍ୟକ୍ଷା ଶାଶ୍ବତୀ ବଳ ମଞ୍ଚାସୀନ ଥିବାବେଳେ ପ୍ରଗତିବାଦୀ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସେହିପରି ୱେବିନାର ଆଲୋଚନାରେ ବିପିୟୁଟିର ପୂର୍ବତନ କୁଳପତି ଡ. ଓଁକାରନାଥ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ରାଜ୍ୟ ସୂଚନା କମିସନର ଦିଲ୍ଲୀପ ବିଶୋୟୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ. ଲେନିନ ମହାନ୍ତି, ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଉଦ୍‌ଘାଟନୀ ଅଧିବେଶରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର