ବ୍ରହ୍ମପୁର: ଗ୍ରିନ୍‌ ନୋବେଲ ପୁରସ୍କାର ବିଜେତା ତଥା ଲୋକଶକ୍ତି ଅଭିଯାନର ସମ୍ପାଦକ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଗତକାଲି ରାୟଗଡ଼ାର ଏକ ହୋଟେଲ୍‌ରୁ କିଛି ବ୍ୟକ୍ତି ଉଠାଇ ଆଣି ବ୍ରହ୍ମପୁର ହିଲପାଟଣାସ୍ଥିତ ତାଙ୍କ ଘରେ ଛାଡ଼ି ପଳାଇଥିଲେ। ହାତ ବାନ୍ଧି,‌ ମୁହଁ ଘୋଡ଼ାଇ ତାଙ୍କ ସହ ସେମାନେ ଅତ୍ୟନ୍ତ ଅମାନୁଷିକ ଆଚରଣ କରିଥିଲେ। ଏ ସମ୍ପର୍କରେ ଆଜି ସେ ‌ଉକ୍ତ ହୋଟେଲ୍‌ ମାଲିକଙ୍କୁ ପଚାରିବାରୁ, ଯେଉଁମାନେ ତାଙ୍କୁ ଉଠାଇ ଆଣିଥିଲେ, ସେମାନେ ପୁଲିସର ପରିଚୟ ଦେବାରୁ ସେ ପ୍ରତିବାଦ କଲେନି ବୋଲି ହୋଟେଲ୍‌ ମାଲିକ କହିଥିଲେ। ତେଣୁ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରି ରାୟଗଡ଼ା ଏସ୍‌ପିଙ୍କ ଜରିଆରେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଡାକ ଯୋଗେ ଏତଲା ପଠାଇଥିବା ଆଜି ଶ୍ରୀ ସାମାନ୍ତରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ଏଭଳି ଅମାନୁଷିକ ଆଚରଣ, ତାଙ୍କୁ ଦିଆଯାଇଥିବା ନିର୍ଯାତନା ପଛରେ ଥିବା କାରଣ ସମ୍ପର୍କରେ ମଧ୍ୟ ସତ ପଦାକୁ ଅଣାଯାଉ ବୋଲି ଦାବି କରିଛନ୍ତି।

Advertisment

ଶ୍ରୀ ସାମନ୍ତରା ଆହୁରି କହିଛନ୍ତି, ଗ୍ରାମସଭାର ବିନାନୁମତିରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ସିଜିମାଳି ଓ କୁଟ୍ରୁମାଳି ଖଣି ଲିଜ୍ ଦିଆଯାଇଛି। ସେ ଅଂଚଳରେ ଖଣିଖନନ ପୂର୍ବରୁ ଜନଶୁଣାଣି, ଗ୍ରାମସଭା ଆଦି ପ୍ରକ୍ରିୟା ହିଁ ହୋଇନାହିଁ। ଗତ ୧୨ ତାରିଖରେ ମୈତ୍ରୀ କମ୍ପାନିର ଜ‌େଣ ଅଧିକାରୀ ସିଜିମାଳି ପରିଦର୍ଶନରେ ଯାଇଥିବା ବେଳେ ‌ସ୍ଥାନୀୟ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ। କିନ୍ତୁ ଏନେଇ ଉକ୍ତ କମ୍ପାନି ଅଧିକାରୀ ୯୪ ଜଣଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ୨୧ ନିରୀହ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ଗତ ୧୮ତାରିଖରେ ଅଖିଳ ଭାରତ କିଷାନ୍ ମଜଦୁର୍‌ ସଭାର ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ସାଂଗଠନିକ କାର୍ଯ୍ୟରେ ଯୋଗଦେବାକୁ କାଶୀପୁର ଯାଇଥିବା ବେଳେ ତାଙ୍କୁ ଟିକିରି ଥାନାରେ ବେଆଇନ ଭାବେ ପ୍ରାୟ ଦେଢ଼ଘଣ୍ଟା ଅଟକ ରଖାଯାଇଥିଲା। ଶ୍ରୀ ସାମନ୍ତରା ଉପରୋକ୍ତ ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା କର୍ମୀ ଓ ଅନ୍ୟ ଲୋକଙ୍କୁ ଭେଟି ସେମାନଙ୍କୁ ଆଇନଗତ ସହାୟତା ଯୋଗାଇଦେବା ପାଇଁ ରାୟଗଡ଼ା ଯାଇଥିଲେ। ଅପରାହ୍‌ଣ ୪ଟାରେ ସମ୍ପୃକ୍ତ କମ୍ପାନି ଓ ପୁଲିସର ବେଆଇନ କାର୍ଯ୍ୟ ଏବଂ ଦମନଲୀଳା ସମ୍ପର୍କରେ ବକ୍ତବ୍ୟ ରଖିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏହାକୁ ଭଣ୍ଡୁର କରିବା ପାଇଁ ତାଙ୍କୁ ଏହା ପୂର୍ବରୁ ହୋଟେଲ୍‌ରୁ ଅପହରଣ କରି ଆଣି ବ୍ରହ୍ମପୁରରେ ଛାଡ଼ି ଦିଆଗଲା। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସମ୍ପୃକ୍ତ ଲୋକଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏଥିସହ କମ୍ପାନି କର୍ତ୍ତୃପକ୍ଷଙ୍କୁ ବିରୋଧ କରି ଗିରଫ ହୋଇଥିବା ସ୍ଥାନୀୟ ଅଧିବାସୀଙ୍କୁ ମୁକ୍ତ କରାଯାଉ, ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ, ବିନା ଗ୍ରାମସଭା ସମ୍ମତିରେ ପ୍ରଦାନ କରାଯାଇଥିବା ସମସ୍ତ ଖଣି ଲିଜ୍ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ସାମନ୍ତରା ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଏହି ସମ୍ମିଳନୀରେ ଏଆଇକେଏମ୍‌ଏସ୍‌ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ବେଆଇନ ଖଣି ଲଜ୍ ଏବଂ ପୁଲିସର ଦମନଲୀଳା ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ।

କମ୍ପାନି ସ୍ବାର୍ଥ ପାଇଁ ବିଜେଡି ସରକାର ଆନ୍ଦୋଳନକାରୀଙ୍କୁ ଗିରଫ କରୁଛି

ଭୁବନେଶ୍ବର: କମ୍ପାନି ଏବଂ ପୁଞ୍ଜିପତିଙ୍କ ସ୍ବାର୍ଥ ପାଇଁ କାମ କରୁଛି ବିଜେଡି ସରକାର। ଲୋହିଆ ଏକାଡେମିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି କୁହାଯାଇଛି। ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ତଥା ଇନ୍‌ସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଲୋହିଆ ଏକାଡେମି ସଂପାଦକ ଦେବରାୟ ମହାପାତ୍ର, ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ, ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ, ଅଖିଳ ଭାରତ ଜନମଞ୍ଚର ଆବାହକ ରାଧାକାନ୍ତ ସେଠୀ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ସଭାପତି ପ୍ରଫେସର ଗୋଲଖ ବିହାରୀ ନାଥ, ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତିର ମୁଖପାତ୍ର ଦେବୀ ପ୍ରସାଦ ପୃଷ୍ଟି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।

ଏଥିରେ କୁହାଯାଇଥିଲା ଯେ ଜେଲରେ ଥିବା ଜନଆନ୍ଦୋଳନର ସାଥୀମାନଙ୍କୁ ଭେଟିବା ପାଇଁ ମଙ୍ଗଳବାର ପ୍ରଫୁଲ୍ଲ ସାମନ୍ତରା ରାୟଗଡ଼ା ଯାଇଥିଲେ। ପରେ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ କିଛି ସାଧା ପୋଷାକଧାରୀ ପୁଲିସ ତାଙ୍କୁ ରାୟଗଡ଼ା ସ୍ୱାଗତ ହୋଟେଲରୁ ଅପହରଣ କରି ନେଇଥିଲେ। ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା ଏସ୍‌ପି ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି ସଫେଇ ଦେଉଛନ୍ତି। କିନ୍ତୁ ସାରା ଦେଶରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କୁ ପୁଲିସ ସୁରକ୍ଷା ମଧ୍ୟରେ ରାତିରେ ବ୍ରହ୍ମପୁରରେ ଛଡ଼ା ଯାଇଥିଲା। ଆହୁରି ଅଭିଯୋଗ କରାଯାଇଥିଲା ଯେ ଅବିଭକ୍ତ କୋରାପୁଟ ସମେତ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସମ୍ପଦ ଲୁଣ୍ଠନ ବିରୋଧରେ ଲଗାତର ଜନଆନ୍ଦୋଳନ ଚାଲିଛି। କଳାହାଣ୍ଡି ଏବଂ ରାୟଗଡ଼ାର ନିୟମଗିରି ସୁରକ୍ଷା ସମିତି, କୋରାପୁଟର ମାଳି ପର୍ବତ ସୁରକ୍ଷା ସମିତି, କାଶୀପୁରର ସିଜିମାଳି ଓ କୁଟ୍ରୁମାଳି ସୁରକ୍ଷା ସମିତି ନେତୃତ୍ବରେ ଏହି ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଛି। ପ୍ରତିବାଦ ଓ ପ୍ରତିରୋଧକୁ ଦମନ କରିବା ପାଇଁ ରାଜ୍ୟ ସରକାର ଆନ୍ଦୋଳନର ନେତା ଓ କର୍ମୀମାନଙ୍କୁ ଅପହରଣ କରି ପରେ ମିଥ୍ୟା ମକଦ୍ଦମାରେ କୋର୍ଟଚାଲାଣ କରୁଛନ୍ତି। ଅଖିଳ ଭାରତ କିଷାନ ମଜଦୁର ସଭାର ସାଧାରଣ ସଂପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କୁ କାଶୀପୁର-ଟିକିରି ଥାନାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଟକ, ମାଳି ପର୍ବତ ସୁରକ୍ଷା ସମିତିର ସଂପାଦକ ଅଭି ସଦାପଲ୍ଲି ଓ ଉପ ସଭାପତି ଦାସ ଖରାଙ୍କୁ ଛତିଶଗଡ଼ ପୁଲିସ ଦ୍ୱାରା ଅପହରଣ ଓ ପରେ ଛାଡ଼ିବା ଘଟଣା ଏହାର ନଗ୍ନ ନମୁନା ବୋଲି କହିଥିଲେ।