ଚାଲିଗଲେ କମଳ ଦେଶ ରାଜକୁମାର: ସଙ୍ଗୀତ ଦୁନିଆ ସ୍ତବ୍ଧ, ଆଜି ପୁରୀରେ ଶେଷକୃତ୍ୟ

ଭୁବନେଶ୍ବର: ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମର ମୋ ହାତରେ ପୁଷ୍ପଧନୁ…’। ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ତାଙ୍କ ନିଧନରେ ଓଡ଼ିଶା ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ବଙ୍କ ପରଲୋକରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।

ଆଜି ଦିନରେ ବେଶ୍‌ ସ୍ବାଭାବିକ ଥିଲେ ପ୍ରଫୁଲ୍ଲ କର। ନିଜର ଦୈନନ୍ଦିନ କାର୍ଯ୍ୟ ସ୍ବାଭାବିକ କରିଥିଲେ। ରାତି ପ୍ରାୟ ୯ଟାରେ ରାତ୍ରିଭୋଜନ କରି ବିଶ୍ରାମ ନେଇଥିଲେ। ପ୍ରାୟ ସାଢ଼େ ୯ଟା ବେଳକୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଅକ୍ସ‌ିଜେନ୍ ସ୍ତର ହଠାତ୍‌ କମିଯାଇଥିଲା। ଏହାର କିଛି ସମୟ ଭିତରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କୁ ୮୩ ବର୍ଷ ହୋଇଥିଲା। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ‌‌ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ତାଙ୍କ ପରଲୋକ ଖବର ପାଇ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ୧୯୩୯ ଫେବୃଆରୀ ୧୬ରେ ପୁରୀଠାରେ ପ୍ରଫୁଲ୍ଲ କର ଜନ୍ମଗ୍ରହଣ କରିଥିଲେ। ବୈଦ୍ୟନାଥ କର ଓ ସୁଶୀଳା କରଙ୍କ ପୁତ୍ର ପ୍ରଫୁଲ୍ଲଙ୍କ ପରିବାର ସଙ୍ଗୀତମୟ ଥିଲା। ତାଙ୍କ ପିତାଙ୍କ ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ତବଲା ବାଦକ ଥିବାରୁ ବିଶିଷ୍ଟ କଳାକାରମାନେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞଙ୍କୁ ଶୁଣିବାର ସୁଯୋଗ ପାଇଥିଲେ। ଯାହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନପାଳନ ହୋଇଥିଲା। ଅଜା ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ ବୌଦ୍ଧିକ ଓ ଧାର୍ମିକ ପରିବେଶରେ ବଢିଥିଲେ। ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ ଭି ଏସ ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଂଗୀତ ବିଶାରଦ ଉପାଧି ହାସଲ କରିଥିଲେ।

ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ ପ୍ରଫୁଲ୍ଲ କର। ଏହା ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା। ଜଣେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଗୀତ ରଚନାରେ ସେ ଯେମିତି ସିଦ୍ଧହସ୍ତ ଥିଲେ, ତାହାକୁ ସଙ୍ଗୀତରେ ସଜାଇ ଓଡ଼ିଆ ଶ୍ରୋତାଙ୍କୁ ଚମତ୍କାର ଭେଟି ଦେଇଥିଲେ। ପୁଣି କଣ୍ଠଶିଳ୍ପୀ ଭାବେ ତାଙ୍କର ନିଆରା ସ୍ବର ଶ୍ରୋତାଙ୍କ ମନରେ ନିଆରା ଛାପ ଛାଡ଼ିଥିଲା। ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମମତା’ରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଥାପିଥିଲେ। ପ୍ରଥମ ଚଳଚ୍ଚିତ୍ରର ଆଠଟି ଯାକ ଗୀତ ସୁପର୍‌ହିଟ୍‌ ‌ହେବା ସହ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ଶ୍ରୀ କର। ଏହା ପରେ ଓଡ଼ିଆ ସଙ୍ଗୀତ ଜଗତରେ ସେ ବହୁ ବର୍ଷ ଧରି ଆଧିପତ୍ୟ ଜାହିର କରିଥିଲେ। ପ୍ରାୟ ୭୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସେ ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ପ୍ରାଚୁର୍ଯ୍ୟମୟ କରିଥିଲେ।

ଓଡ଼ିଆ ସଙ୍ଗୀତରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ ପ୍ରଫୁଲ୍ଲ କର। ବହୁ ପ୍ରସିଦ୍ଧ ସାହିତ୍ୟିକଙ୍କ କାଳଜୟୀ କବିତାକୁ ସେ ଗୀତର ରୂପ ଦେଇ ସଙ୍ଗୀତରେ ସଜାଇଥିଲେ। ସେଗୁଡ଼ିକ ମଧ୍ୟ ଶ୍ରୋତାଙ୍କ ମହଲରେ ବେଶ୍‌ ଆଦୃତି ଲାଭ କରିଥିଲା। ‌ଦୃଷ୍ଟିହୀନ ପିଲାଙ୍କୁ ନେଇ ସେ ‘କୃତାଞ୍ଜଳି’ ନାମରେ ଏକ କ୍ୟାସେଟ୍‌ କରିଥିଲେ। ଏହା ବେଶ୍‌ ଲୋକପ୍ରିୟ ହୋଇଥିଲା। ଶ୍ରୀ କର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ଗୀତ ଗାଇ ବହୁ କଣ୍ଠଶିଳ୍ପୀ ରାଜ୍ୟ ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୦୦୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ‘ଜୟ‌ଦେବ ପୁରସ୍କାର’ ସେ ଲାଭ କରିଥିଲେ। ୨୦୧୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ।

ସମ୍ବନ୍ଧିତ ଖବର