ଭୁବନେଶ୍ବର/କାମାକ୍ଷାନଗର: ବିଜେଡିର ପରିଚାଳନାକୁ ନେଇ ଲଗାତାର ଅସନ୍ତୋଷ ବ୍ୟକ୍ତ କରିବା ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପର ଆରୋପ ଲଗାଯାଇଛି। ତେବେ ବିଜେଡି ତାଙ୍କୁ ନିଲମ୍ବନ କରିବାର ଯଥେଷ୍ଟ ଆଗରୁ ସେ ନିଜ ଆଡ଼ୁ ଇସ୍ତଫା ଦେଇଥିଲେ ବୋଲି ପ୍ରଫୁଲ୍ଲ କହିଛନ୍ତି। ବିଜେଡି କ୍ଷମତାଚ୍ୟୁତ ହେଲା ପରେ ପ୍ରଥମ ଥର ପାଇଁ ପ୍ରଫୁଲ୍ଲଙ୍କ ପରି ଜଣେ ବଡ଼ ନେତାଙ୍କୁ ଦଳରୁ ବିଦା କରାଯାଇଛି। ଏହି ଘଟଣାଟି ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ଦଳର ଆଭ୍ୟନ୍ତରୀଣ ଛକାପଞ୍ଝା ବି ଜୋର୍‌ ଧରିଛି। 
Advertisment
ବିଜେଡି ଶାସନ ସମୟରେ ପ୍ରଫୁଲ୍ଲ ଥିଲେ ଜଣେ କ୍ଷମତାଶାଳୀ ବିଧାୟକ ଓ ମନ୍ତ୍ରୀ। ୨୦୦୪ରେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିବା ପୂର୍ବରୁ ସେ କେନ୍ଦୁପତ୍ର ଶ୍ରମିକ ସଙ୍ଗଠନର ନେତା ଭାବେ ଜଣାଶୁଣା ଥିଲେ। ଏହା ପରେ ସେ ବିଜେଡି ଟିକଟରେ କାମାକ୍ଷାନଗରରୁ ଲଗାତର ୪ ଥର ବିଧାୟକ ହୋଇଥିଲେ। ବିଜେଡି ଶାସନ ସମୟରେ ପ୍ରଫୁଲ୍ଲ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦ୍ବିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କର ବିଶ୍ବସ୍ତ ଥିଲେ। ସେଥି ପାଇଁ ତାଙ୍କୁ ଶେଷ ପାଞ୍ଚ ବର୍ଷ ପୂର୍ତ୍ତ ଓ ଖଣି ବିଭାଗ ପରି ଓଜନିଆ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାର ବିଜେଡି ରାଜନୀତିରେ ପ୍ରଫୁଲ୍ଲଙ୍କର ଅଖଣ୍ଡ ପତିଆରା ଥିଲା। ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୨୪ରେ ବିଜେଡି କ୍ଷମତାରୁ ଗଲା ପରେ ବିଭିନ୍ନ ସମୟରେ ଦଳର ବହୁ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରୁଥିଲେ। ସେମାନଙ୍କ ଭିତରେ ପ୍ରଫୁଲ୍ଲ ଆଗରେ ଥିଲେ। ଦଳ ଠିକ୍ ଭାବେ ବିରୋଧୀ ଦଳ ଭୂମିକା ନିର୍ବାହ କରୁନି ବୋଲି ସେ ଖୋଲାଖୋଲି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ତେବେ ତାଙ୍କର ଅସନ୍ତୋଷ ପାଇଁ ବିଜେଡି ତାଙ୍କୁ ସଂଗଠନରୁ ଦୂରେଇ ଦେଇଥିଲା। ତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ମିଳି ନଥିଲା।
ଏପରିକି ସଭାପତି ତାଙ୍କୁ ଡାକି ଆଲୋଚନା ବି କରି ନଥିଲେ। ସେ ନିଜେ ମଧ୍ୟ ଜିଲ୍ଲା ଓ ରାଜ୍ୟସ୍ତରରେ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ। ଗତକାଲି ପୁନର୍ବାର ଦଳର ପରିଚାଳନାକୁ ନେଇ ପ୍ରଫୁଲ୍ଲ ଅସନ୍ତୋଷ ଓଗାଳିଥିଲେ। ତେବେ ଗତକାଲି ବରିଷ୍ଠ ନେତା ପ୍ରତାପ ଜେନା ତାଙ୍କୁ ଅତ୍ୟନ୍ତ କଡ଼ା ଭାଷାରେ ସମାଲୋଚନା କରି ଶତାବ୍ଦୀର ସବୁଠାରୁ ବଡ଼ ସୁବିଧାବାଦୀ ନେତା ବୋଲି ଅଭିହିତ କରିଥିଲେ। ବରିଷ୍ଠ ନେତାଙ୍କ ଭିତ‌ରେ ଏପରି କଥା କଟାକଟି ଦଳକୁ ଅଡ଼ୁଆରେ ପକାଇ ଦେଇଥିଲା।  କିନ୍ତୁ ନିଲମ୍ବନକୁ ସ୍ବୀକାର କରିନାହାନ୍ତି ପ୍ରଫୁଲ୍ଲ। ସେ କହିଛନ୍ତି, ଆଜି ସକା‌ଳେ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ମୁଁ ଇସ୍ତଫା ଦେଇଛି। ବରିଷ୍ଠ ନେତାଙ୍କୁ ମଧ୍ୟ ଫୋନ୍‌ ଯୋଗେ ଅବଗତ କରାଇଥିଲି। ତାହା ପରେ ୧୧ ତାରିଖ ଲେଖା ଥାଇ ଏକ ଚିଠିରେ ମୋତେ ନିଲମ୍ବନ କରାଯାଇଛି। ଏମିତିକି କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଦିଆଯାଇ ନାହିଁ। ମୁଁ ଦଳ ପାଇଁ କାମ କରିଛି। ଦଳ କିପରି ଭଲ ଚାଲିବ ସେଥି ପାଇଁ ଆମେ କହୁଥିଲୁ। ନିର୍ବାଚନରେ ବିପର୍ଯ୍ୟୟର ସମୀକ୍ଷା କରିବାକୁ କହୁଥିଲୁ। ଲୋକଙ୍କ ଭଲ ପାଇବା ଯୋଗୁଁ ୨୦୨୪ ନିର୍ବାଚନରେ ମୁଁ ୮୦ ହଜାରରୁ ଅଧିକ ଭୋଟ୍ ପାଇଥିଲି। ଏବେ କୌଣସି ରାଜନୈତିକ ଦଳକୁ ନ ଯାଇ ପୂର୍ବଭଳି ସାମାଜିକ କାମରେ ରହିବି।
ପ୍ରତାପଙ୍କୁ ପ୍ରଫୁଲ୍ଲ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, କୌଣସି ନେତାଙ୍କ ସମ୍ପର୍କରେ ବ୍ୟକ୍ତିଗତ ଭାବେ ମୁଁ କିଛି କହିବାକୁ ଚାହେନି। ପ୍ରତାପ ଜେନା ଓଡ଼ିଶା ପାଇଁ କେତେ କାମ କରିଛନ୍ତି, ତାହା ଲୋକେ ଜାଣିଛନ୍ତି। ନବୀନ ପଟ୍ଟନାୟକ ତାଙ୍କୁ ୧୦ ବର୍ଷ କାଳ ମନ୍ତ୍ରୀ ପଦରେ ରଖିଥିଲେ। ହେଲେ ପ୍ରତାପଙ୍କୁ କାହିଁକି ଟିକଟ ମିଳିଲାନି, ସେ କଥା ସମସ୍ତଙ୍କୁ ଜଣା। ଦଳରୁ ଫ୍ରଫୁଲ୍ଲଙ୍କ ନିଲମ୍ବନ ବିଜ୍ଞପ୍ତି ବାହାରିଲା ପରେ ବିଜେଡିର ଚିରାଚରିତ ଧାରାରେ ଜଣଙ୍କ ପରେ ଜଣେ ନେତାଙ୍କୁ ତାଙ୍କ ବିରୋଧରେ ବିଷୋଦ୍‌ଗାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ ଓ ଲେନିନ ମହାନ୍ତି ଗଣମାଧ୍ୟମରେ ଏହି ନିଲମ୍ବନକୁ ଯଥାର୍ଥ ବୋଲି ଯୁକ୍ତି ବାଢ଼ିଛନ୍ତି। ଯେଉଁମାନେ ବରିଷ୍ଠ କହି ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି ଚେତାବନୀ ବି ଦିଆଯାଇଛି। କାହାକୁ ଇଙ୍ଗିତ କରି ଏପରି ମନ୍ତବ୍ୟ ନେତାମାନେ ଦେଉଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଫୁଲ୍ଲଙ୍କୁ ଜଣେ ସୁବିଧାବାଦୀ ନେତା ଭାବେ ଅଭିହିତ କରିବାକୁ ‌ଯୋଜନାବଦ୍ଧ ଉଦ୍ୟମ ହେଉଥିବା ଦେଖିବାକୁ ମିଳୁଛି।