ଅକ୍ଷୟଙ୍କଠାରୁ ହାର୍‌ମୋନିୟମ୍‌ ନେଉଥିଲେ ପ୍ରଫୁଲ୍ଲ

ଭୁବନେଶ୍ବର: ଓଡ଼ିଶା ସଙ୍ଗୀତ ଜଗତର ଦୁଇ ବିଶାଳ ଦ୍ରୁମ ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କର ଆଜି ଇହଧାମରେ ନାହାନ୍ତି। ଉଭୟଙ୍କ କୃତି ଓଡ଼ିଆ ସଙ୍ଗୀତ ଜଗତ ପାଇଁ ରତ୍ନଭଣ୍ଡାର ସଦୃଶ। କିନ୍ତୁ ଅନେକ ସମୟରେ ଚର୍ଚ୍ଚା ହୁଏ, ଏହି ଦୁଇ କିଂବଦନ୍ତି ସଂଗୀତଜ୍ଞଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା। ଏପରିକି ଦିନେ, ଉଭୟଙ୍କ ମଧ୍ୟରେ କଥା କଟାକଟି ହାତାହାତି ପର୍ଯ୍ୟନ୍ତ ଯାଇଥିଲା ବୋଲି ଚର୍ଚ୍ଚା ହୁଏ। କିନ୍ତୁ ତାହା ସଂପୂର୍ଣ୍ଣ ଗୁଜବ। ଉଭୟ ସମସ୍କନ୍ଧ ହୋଇଥିବାରୁ ସେମାନଙ୍କ ମଧ୍ୟରେ ବୃତ୍ତିଗତ ପ୍ରତିଯୋଗିତା ଥିଲା। ସେମାନଙ୍କ ମଧ୍ୟରେ କେବେ ବି ବ୍ୟକ୍ତିଗତ ବିବାଦ ନଥିଲା। ଉଭୟ ପରସ୍ପରର କଳାକୁ ସମ୍ମାନ ଦେବା ସହ ସଙ୍ଗୀତ ତିଆରିରେ ସହଯୋଗ ବି କରୁଥିଲେ। ୬୦ ଦଶକର କଥା, ସଙ୍ଗୀତ ସଂଯୋଜନା ପାଇଁ ପ୍ରଫୁଲ୍ଲଙ୍କୁ ଏକ ହାର୍ମୋନିୟମ୍‌ର ଆବଶ୍ୟକତା ପଡ଼ିଥିଲା। ସେତେବେଳେ ସେ ଅକ୍ଷୟଙ୍କଠାରୁ ହାର୍‌ମୋନିୟମ୍‌ ମାଗି ନେଇଥିଲେ। ଖାଲି ସେଇଥର ନୁହେଁ, ପ୍ରାୟ ସମୟରେ ପ୍ରଫୁଲ୍ଲ ଅକ୍ଷୟଙ୍କଠାରୁ ହାର୍‌ମୋନିୟମ୍‌ ନେଉଥିଲେ। ଏଥିରୁ ଉଭୟଙ୍କ ସଂପର୍କ କେତେ ମଧୁର ଥିଲା, ତାହା ଜଣାପଡ଼େ।

ଅକ୍ଷୟଙ୍କ ସହ ନିଜର ବ୍ୟକ୍ତିଗତ ସଂପର୍କରେ ପ୍ରଫୁଲ୍ଲ କହିଥିଲେ, ଅକ୍ଷୟ ସହ ମୋର ସଂଯୋଗ ବହୁତ ପଛରେ ଘଟିଲା। ମୋ ନିର୍ଦ୍ଦେଶନାରେ ସେ ଗୀତ ଗାଇବା ପାଇଁ ରାଜି ହୋଇଯିବା ଖବର ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ‘ପୂଜା’ ଚଳଚ୍ଚିତ୍ର ପାଇଁ ତାଙ୍କୁ ପ୍ରଶାନ୍ତ ନନ୍ଦ ଯୋଗାଯୋଗ କରିଥିଲେ। ସେ ଯେତେବେଳେ ମୋ’ଠାରୁ ଗୀତଗୁଡ଼ିକ ଶିଖିଲେ। ସେତେବେଳେ ମୁଁ ଅନୁଭବ କଲି, ତାଙ୍କ ଭିତ‌ରେ ଶିଳ୍ପୀର ଶୃଙ୍ଖଳା ଭରି ରହିଛି। ମୋ’ଠାରୁ ଯଥେଷ୍ଟ ଅଧିକ ତାଙ୍କର ଅନୁଭବ ଥିଲେ ମଧ୍ୟ ଜଣେ ଅବୋଧ ଛାତ୍ର ପରି ମୋ’ଠାରୁ ଗୀତଗୁଡ଼ିକ ଶିଖିଥିଲେ। ତାଙ୍କର ଏ ମହନତା ଦେଖି ମୋ ମୁଣ୍ଡ ନଇଁଗଲା। ‘ପୂଜା’ ଚଳଚ୍ଚିତ୍ର ପରେ ମୁଁ ତାଙ୍କୁ ଆଉ ଦୁଇଟି ଚଳଚ୍ଚିତ୍ରରେ ଗୀତ ବୋଲାଇଛି। ଆମର ଏ ବୁଝାମଣା ‘ମା ଓ ମମତା’ କଥାଚିତ୍ରର ସଂଗୀତ ରଚନା ସମୟରୁ ଆରମ୍ଭ ହୋଇଯାଇଥିଲା। ‘ମା ଓ ମମତା’ର ସଂଗୀତ ନିର୍ଦ୍ଦେଶକ ଭାବେ ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କ ନାମ ଲେଖାଯାଇଥିଲେ ମଧ୍ୟ ସେ ଚଳଚ୍ଚିତ୍ରର ୩ଟି ଗୀତ ଅକ୍ଷୟ ମହାନ୍ତି ଏବଂ ୩ଟି ଗୀତର ସ୍ବର ଓ ରଚନା ଆମ ଦୁଇଜଣଙ୍କର ଥିଲା। ଏ ରହସ୍ୟ ପ୍ରାୟ ସମସ୍ତେ ଜାଣିଥିଲେ। ଅକ୍ଷୟ ମହାନ୍ତିଙ୍କ ପ୍ରକୃତ କଳାକୃତି ପ୍ରକାଶ କରିବାକୁ ମୁଁ ଆଉ ସୁଯୋଗ ପାଇନଥିଲି ବୋଲି ସ୍ବର୍ଗତ କର କହିଥିଲେ।

ଅକ୍ଷୟ-ପ୍ରଫୁଲଙ୍କ ଘଟସୂତ୍ର ୪ଟି ଚଳଚ୍ଚିତ୍ରରେ ଘଟିଥିଲା। ‘ପୂଜା’ ଚଳଚ୍ଚିତ୍ରରେ ହିପ୍‌ ହିପ୍‌ ହୁର୍‌ରେ.. ଗାଡ଼ି ଯାଏ ଗଡ଼ିରେ ଗୀତ.. ସଙ୍ଗୀତର ସଂଯୋଜନା ପ୍ରଫୁଲ୍ଲ କର କରିଥିବା ବେଳେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି। ‘ମା ଓ ମମତା’ ଚଳଚ୍ଚିତ୍ରର କିଏ ସାତ କିଏ ସତର… ଓ ଦିନରେ ବସନ୍ତ ଆମେ ରାତିରେ ବାସନ୍ତୀ… ଗୀତ ଉଭୟଙ୍କ ପାଇଁ ମାଇଲଖୁଣ୍ଟ ପ୍ରମାଣିତ ହୋଇଥିଲା। କିଏ ସାତ କିଏ ସତର… ଗୀତର ସ୍ବର ସଂଯୋଜନା ପ୍ରଫୁଲ୍ଲ କର କରିଥିବା ବେଳେ ଗାଇଥିଲେ ଅକ୍ଷୟ ମହାନ୍ତି। ଦିନରେ ବସନ୍ତ ଆମେ ରାତିରେ ବାସନ୍ତୀ… ସଙ୍ଗୀତରେ ଉଭୟଙ୍କ ଯୁଗଳବନ୍ଦୀ କାଳଜୟୀ ହୋଇ ରହିଛି। ସେହିଭଳି ‘ଭୁଲି ହୁଏନା’ ଚଳଚ୍ଚିତ୍ରରେ ବେଗି ବେଗି ଜନକୀ ଆମ୍ମା… ଉଭୟ ମିଶି ଗାଇଥିଲେ। ଏହି ସବୁ ଗୀତ ଓଡ଼ିଆ ଶ୍ରୋତାଙ୍କୁ ଆମୋଦିତ କରିବା ସହ ଉଭୟଙ୍କ ଯୁଗଳବନ୍ଦୀର ସମସ୍ତ ଗୀତ ସୁପରହିଟ୍ ହୋଇଥିଲା। ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ରରେ ଉଭୟ ଗୀତ ଗାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା। ପରେ ଉଭୟ ଏକାଠି ଆଉ କାମ କରିବାର ସୁଯୋଗ ପାଇ ନଥିଲେ ବି ବ୍ୟକ୍ତିଗତସ୍ତରରେ ଯୋଡ଼ି ହୋଇଥିଲେ।

ସମ୍ବନ୍ଧିତ ଖବର