ଯାଜପୁର : ଚଳିତ ପଞ୍ଚାୟତ ନିର୍ବାଚନରେ ଖଣିଖାଦାନ ଓ ଶିଳ୍ପାଞ୍ଚଳକୁ ନେଇ ଗଠିତ ସୁକିନ୍ଦା ନିର୍ବାଚନମଣ୍ଡଳୀର ରାଜନୀତି ପୁଣି ସରଗରମ ହୋଇଉଠିଛି। ଏହି ନିର୍ବାଚନମଣ୍ଡଳୀ ଦୀର୍ଘବର୍ଷ ଧରି ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ ଓ ତାଙ୍କ ପୁଅ ତଥା ବର୍ତ୍ତମାନର ବିଧାୟକ ଇଂ.ପ୍ରୀତିରଞ୍ଜନ ଘଡ଼ାଇ(ଡାନି)ଙ୍କ ନିୟନ୍ତ୍ରଣରେ ରହି ଆସିଥିବାବେଳେ ଏବେ ଏଠାରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରଫୁଲ୍ଲଙ୍କ ଅନୁଗତ ଏବେ ଡାନିଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି।

Advertisment

ଡ. ଘଡ଼ାଇଙ୍କ ଅନୁଗତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଶାନ୍ତ (ଲୁଲୁ) ରାୟଙ୍କ ପତ୍ନୀ ଲଲିତା ରାୟ। ସେ ୨୦୧୨-୧୭ ଦାନଗଦୀ ବ୍ଲକ୍ ଅଧ୍ୟକ୍ଷା ଥିଲେ। ଏବେ ବିଜେପି ସମର୍ଥନରେ ଖପୁରିଆପଦାରୁ ଶ୍ରୀମତୀ ରାୟ ସମିତି ସଭ୍ୟା ପାଇଁ ପ୍ରାର୍ଥିନୀ ହୋଇଛନ୍ତି। ସେହିପରି ସ୍ବାଧୀନ ଭାବେ ଜିତି ବିଜେଡି ସମର୍ଥନରେ ୨୦୧୭ରେ ବ୍ଲକ ଅଧ୍ୟକ୍ଷା ହୋଇଥିଲେ ଲୋପାମୁଦ୍ରା ପଟ୍ଟନାୟକ। ଏଥର ୧୦ ସେ ନମ୍ବର ଜୋନ୍‌ରୁ ବିଜେପି ଟିକେଟରେ ଜିଲ୍ଲା ପରିଷଦ ଓ ନଛିପୁରାରୁ ସମିତି ସଭ୍ୟା ପାଇଁ ପ୍ରାର୍ଥିନୀ ହୋଇଛନ୍ତି। ସେହିପରି ଡ. ଘଡାଇଙ୍କ ଅତ୍ୟନ୍ତ ଅନୁଗତ ଗତ ୨ଥର ବ୍ଲକ ଉପାଧ୍ୟକ୍ଷ ଥିବା ସୁଧାଂଶୁ ଭଞ୍ଜ ମଧ୍ୟ ବିଜେପି ଶିବିରରେ। ଶ୍ରୀ ଭଞ୍ଜଙ୍କର ପତ୍ନୀ ପ୍ରତିଭା ଭଞ୍ଜ ବିଜେପି ସମର୍ଥନରେ ଧୂଳିଗଡ଼ ପଞ୍ଚାୟତରୁ ପ୍ରାର୍ଥିନୀ ହୋଇଛନ୍ତି।

publive-image ପ୍ରୀତିରଂଜନ ଘଡ଼ାଇ

୨୦୧୭‌ରେ ବିଜେଡି ଟିକେଟରୁ ୮ନମ୍ବର ଜୋନ୍‌ରୁ ପ୍ରାର୍ଥୀ ହୋଇଥିବା ପ୍ରତାପ କୁମାର ଧୀର ୨୦୧୯ରେ ବିଜେପିରେ ଯୋଗଦେବା ସହିତ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ଉପନିର୍ବାଚନରେ ବିଜେପିରୁ ଏଠାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏବେ ପ୍ରତାପ ନିଜ ପଞ୍ଚାୟତ ଦେଉଳକଣରୁ ସମିତି ସଭ୍ୟ ପ୍ରାର୍ଥୀ ‌ହୋଇଛନ୍ତି। ରାଣୀପଡ଼ା ପଞ୍ଚାୟତର ୨୦୧୨ରେ ସରପଞ୍ଚ ଓ ୨୦୧୭ରେ ସମିତି ସଭ୍ୟ ହୋଇଥିବା ବିଜୟ କୁମାର ଦାସ ବିଜେଡି ଛାଡ଼ି ବିଜେପି ଶିବିରରେ ସାମିଲ ହୋଇଛନ୍ତି।

ବିଶେଷକରି, ଦାନଗଦୀ ବ୍ଲକ୍ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଡକ୍ଟର ଘଡ଼ାଇଙ୍କ ଶିବିର ଏହି ସେନାପତିମାନେ ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଶିବିର ଛାଡ଼ି ବିଜେପି ଶିବିରରେ ଯୋଗଦେଇ ବେଶ ହଟଚମଟ ସୃଷ୍ଟି କରିଛି।

ଦାନଗଦୀ ଭଳି ସୁକିନ୍ଦାରେ ମଧ୍ୟ କିଛି ବ‌ିଜେଡି ନେତା ଶିବିର ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ବିଶ୍ବଜିତ ରାଜ(ବାବୁନି)। ବିଶ୍ବଜିତ୍‌ ବିଜେପି ସମର୍ଥନରେ ଆମ୍ ପୋଳବା ପଞ୍ଚାୟତରୁ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ହାତୀବାରି ଅଞ୍ଚଳ‌ର ଅତା ପଞ୍ଚାୟତର ପ୍ରଭାବଶାଳୀ ନେତା ଅଚ୍ୟୁତ ପଟ୍ଟନାୟକ ବିଜେପି ସମର୍ଥନରେ ତାଙ୍କ ପତ୍ନୀ ଲୋପାମଦ୍ରା ପଟ୍ଟନାୟକଙ୍କୁ ଏଥର ସରପଞ୍ଚ ପ୍ରାର୍ଥିନୀ କରିଛନ୍ତି। ଗତ ୨ଟି ସାଧାରଣ ନିର୍ବାଚନରେ ପିତା ଡ. ଘଡ଼ାଇଙ୍କ ଭିତ୍ତିଭୂମିକୁ ପୁତ୍ର ଡାନି ସମ୍ଭାଳି ନେବା ସହିତ ନିଜର ସଙ୍ଗଠନ ମଜଭୁତ କରିବାରେ ଲାଗିଛନ୍ତି। ଏହି ପରିସ୍ଥିତି ବିଜେପି ଶିବିର ଚଳିତ ନିର୍ବାଚନରେ କିପରି ନିଜର ସ୍ଥିତି ଜାହିର କରୁଛି, ତା ଉପରେ ସମସ୍ତଙ୍କର ନଜର।