ଭୁବନେଶ୍ବର : କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ଦିିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ଼ରେ ଏମ୍‌ସ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଦାବି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଏନ୍‌ଟିପିସି ଦ୍ବାରା ସୁନ୍ଦରଗଡ଼ରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ କ୍ୟାମ୍ପସ୍‌ ନିର୍ମାଣ ଶେଷ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିନି। ଏହି ପ୍ରସଙ୍ଗରେ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ତେଣୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଦେଶକୁ ଶକ୍ତି ନିରାପତ୍ତା ଯୋଗାଣ ଏବଂ ଇସ୍ପାତ ଓ ଲୁହାପଥର ଉତ୍ପାଦନରେ ଜାତୀୟ ଅଭିବୃଦ୍ଧି କ୍ଷେତ୍ରରେ ସୁନ୍ଦରଗଡ଼ର ଅବଦାନକୁ ବିଚାରକୁ ନେଇ କେନ୍ଦ୍ର ସରକାର ଜିଲ୍ଲାରେ ଏମ୍‌ସ୍‌ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ। ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କର ଏହା ଦୀର୍ଘ ଦିନର ଦାବି ଅଟେ। ଏହା ସହ ତାଳଚେରରେ ଏମ୍‌ସିଏଲ୍ ପକ୍ଷରୁ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ସରିଛି। ଏହା କାର୍ଯ୍ୟକ୍ଷମ ହେଲେ ଢେଙ୍କାନାଳ ଓ ଅନୁଗୁଳର ଲୋକମାନେ ଉପକୃତ ହୋଇପାରିବେ। ତେଣୁ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

Advertisment

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କ୍ଲିନ୍ ଏନର୍ଜି ସେସ୍‌ ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଶାରୁ ସଂଗ୍ରହ ହେଉଥିବା ସେସ୍‌ରୁ ଅତି କମ୍‌ରେ ୬୦% ଅଂଶ ଓଡ଼ିଶାକୁ ଦେବା ପାଇଁ ସେ ଦାବି କରିଥିଲେ। ୨୦୨୦-୨୧ରେ ଓଡ଼ିଶା ୧୫୩.୮୫ ମିଲିଅନ୍ ଟନ୍‌ କୋଇଲା ଉତ୍ପାଦନ କରିଥିଲା, ଯାହା କି ଦେଶର ମୋଟ୍‌ କୋଇଲା ଉତ୍ପାଦନର ୨୫%। ଭାରତ ସରକାର ଟନ୍ ପିଛା ୪୦୦ ଟଙ୍କା କ୍ଲିନ୍ ଏନର୍ଜି ସେସ୍‌ ସଂଗ୍ରହ କରୁଥିଲେ, ଯାହାର ପରିମାଣ ୫୦ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏହାର ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୦ ହଜାର କୋଟି ଟଙ୍କା ଓଡ଼ିଶାକୁ ଦିଆଯାଉ। ଏହି ଅର୍ଥକୁ ରାଜ୍ୟ ସରକାର କୋଇଲା ଖଣି ଅଞ୍ଚଳ ଓ ପ୍ରଭାବିତ ଲୋକଙ୍କ ଅର୍ଥନୈତିକ ବିକାଶରେ ବ୍ୟବହାର କରିବେ। କୋଭିଡ୍‌ ପରବର୍ତ୍ତୀ ସମୟରେ ଓଡ଼ିଶାର ବିକାଶରେ ଏହା ସହାୟ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଆଲୋଚନା ସମୟରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନ୍‌ଭେ ଉପସ୍ଥିତ ଥିଲେ।