ପର୍ଯ୍ୟଟନ ଶିଳ୍ପ ବିକାଶର ନୂଆ ସମ୍ଭାବନା: ପ୍ରହେଡ଼ି ଜଳପ୍ରପାତ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ୍‌ରେ ପ୍ରକୃତିପ୍ରେମୀଙ୍କ ନଜରରେ ପଡ଼ିଛି ଆଉ ଏକ ମନଲୋଭା ଓ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରହେଡ଼ି ଜଳପ୍ରପାତ। ସରମୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରାହେଡ଼ିପଙ୍କା ଗ୍ରାମ ନିକଟସ୍ଥ ପ୍ରହେଡ଼ି ଜଳପ୍ରପାତକୁ ପ୍ରକୃତି କେଉଁ ଆବାହମାନ କାଳରୁ ଲୋକଙ୍କୁ ମନମୁଗ୍ଧ କରିବା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ କରିବା ପାଇଁ ସୃଷ୍ଟିକର୍ତ୍ତା ସୃଷ୍ଟି କରିଥିଲେ ହେଁ ଏହାର ସୌନ୍ଦର୍ଯ୍ୟ କାହାରିକୁ ଆକୃଷ୍ଟ କରି ନଥିଲା। ବଣର ମାଳତୀ ବନେ ମଉଳି ଯାଉଥିଲା। ହେଲେ ଏହି କିଛିଦିନ ହେଲା କିଛି ପର୍ଯ୍ୟଟକ ସେହି ଅଞ୍ଚଳର କେତେକ ଲୋକଙ୍କ ଠାରୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରହେଡ଼ି ଜଳପ୍ରପାତ ଥିବା ସୂଚନା ପାଇ ସେଠାରେ ପହଞ୍ଚି ଏହାକୁ ଆବିଷ୍କାର କରିଥିବା ଜଣାପଡ଼ିଛି ।

ପ୍ରହେଡ଼ି ଜଳପ୍ରପାତ ସରମୁଳି ଗ୍ରାମରୁ ୩ କିଲୋମିଟର ଦୂର ପ୍ରାହେଡ଼ିପଙ୍କା ଗ୍ରାମ ନିକଟରେ ଅବସ୍ଥିତ । ଗଦାପୁର ଗ୍ରାମ ଠାରୁ ୧୫ କିଲୋମିଟର ଦୂର ଏବଂ ଦାରିଙ୍ଗବାଡ଼ି ଠାରୁ ୪୫ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏହି ପର୍ଯ୍ୟଟନସ୍ଥଳୀ ନେଇ ଅଳ୍ପ କେତେକ ପର୍ଯ୍ୟଟକଙ୍କୁ ଛାଡ଼ିଦେଲେ ବହୁ ସଂଖ୍ୟକ ପର୍ଯ୍ୟଟକ ସହିତ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆଡ଼ୁଆଳରେ ରହିଥିବା ଆଲୋଚନା ହେଉଛି । ଦାରିଙ୍ଗବାଡ଼ି ଇକୋ ରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଶାସନ ଏହି ପ୍ରହେଡ଼ି ଜଳପ୍ରପାତ ଦର୍ଶନ କରିବାର ସୁବିଧା ଯୋଗାଇଦେବା ସହ ଏହାର ଉନ୍ନତି କାରଣର ବିକାଶ କରି ସେହି ଅଞ୍ଚଳକୁ ଦୃଷ୍ଟି ଦେବାକୁ ଅଞ୍ଚଳ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର