ବିଜେପି ପ୍ରାର୍ଥୀ ପଦୁ ମାଝୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଦୋରା

ମାଲକାନଗିରି : ବିଜେପି ପ୍ରାର୍ଥୀ ଘୋଷଣା ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ଟେକିଛି ବିଦ୍ରୋହ। ଗତକାଲି ଦଳ ପଦୁ ମାଝୀଙ୍କୁ ପ୍ରାର୍ଥୀ କରିବା ପରେ ସିଧାସଳଖ ବିରୋଧ କରିବା ଆରମ୍ଭ କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା। ଦଳ ଜଣେ ପୁରୁଖା ନେତାଙ୍କୁ ଅଣଦେଖା କରିଥିବା ନେଇ ଅଭିଯୋଗ କରିଛନ୍ତି ପ୍ରହ୍ଲାଦଙ୍କ ସମର୍ଥକ। ଏହାପରେ ଆଜି ମାଲକାନଗିରି ଠାରେ ଶ୍ରୀ ଦୋରା ଏକ ସମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ପଦୁ ମାଝୀଙ୍କ ବିରୋଧରେ ବହୁ ସଂଗିନ ଅଭିଯୋଗ ଆଣିଛନ୍ତି। ଯେପରି, ସେ ଜଣେ ଗଂଜେଇ ବେପାରୀ। ଚାକିରି ନଛା‌ଡ଼ି କେମିତି ସେ ବିଜେପିରେ ସାମିଲ ହେଲେ। ସେହିପରି ସେ ଆଦିବାସୀ ନୁହଁନ୍ତି, ଓବିସି ବର୍ଗର। ଏନେଇ ସେ ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ଜାତି ପ୍ରମାଣ ପତ୍ର ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏହାସହିତ ତାଙ୍କ ସଂପତ୍ତିର ପରିମାଣକୁ ବି ଯାଞ୍ଚ କରିବାକୁ ଦାବି କରିଛନ୍ତି।

ଦଳ ତାଙ୍କୁ ଅଣଦେଖା କରିଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦୋରା କହିଥିଲେ ଯେ, ନିଶ୍ଚିତ ରୂପେ ଅଣଦେଖା କରାଯାଇଛି। ଏପରିକି ଦଳ ଯେଉଁ ଭଳି ଭାବେ ପ୍ରାର୍ଥୀ ଚୟନ କରିଛି ତାହା ଆତ୍ମହତ୍ୟା ସଦୃଶ ବୋଲି ସେ କହିଛନ୍ତି।

ଅପରପକ୍ଷରେ ପଦୁ ମାଝୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଆଦିବାସୀ ଏବଂ ତାଂକ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ଜଣେ ବରିଷ୍ଠ ନେତା ହୋଇ ଏଭଳି ମନ୍ତବ୍ୟ ଦେବା ହାସ୍ୟାସ୍ପଦ ବୋଲି କହିଥିଲେ। ବହୁ ପୂର୍ବରୁ ଚାକିରି ଛାଡ଼ି ଦେଇଥିବା ବେଳେ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର