ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରହ୍ଲାଦ ଦୋରାଙ୍କ ଶେଷକୃତ୍ୟ

ମାଲକାନଗିରି : ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି, ମାଲକାନଗିରି ଜିଲ୍ଲାର ବରପୁତ୍ର, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ପ୍ରହ୍ଲାଦ ଦୋରାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ମର ଶରୀର ପୈତୃକ ଗ୍ରାମ ମାଥିଲି ବ୍ଲକ୍‌ର ପାଙ୍ଗାମ ଠାରେ ପହଞ୍ଚିଥିଲା। ଆଜି ସକାଳେ ଗାର୍ଡ ଅଫ୍ ଅନର୍ ପରେ ପାଙ୍ଗାମ ନଦୀ ତୁଠରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାର ଲୋକଙ୍କ ସହ ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ଯୋଗ ଦେଇଥିଲେ। ଏପରିକି ପାଙ୍ଗାମ ଅଞ୍ଚଳ ପୂରା ଲୋକାରଣ୍ୟ ହୋଇଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ବର୍ଗତ ଦୋରା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲୋକଙ୍କ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ ଜଣେ ବିଶିଷ୍ଟ ଆଇନଜୀବୀ ଭାବେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଆଦିବାସୀଙ୍କ ନ୍ୟାଯ୍ୟ ଦାବି ପାଇଁ ମଧ୍ୟ ସ୍ବର୍ଗତ ଦୋରା ଲଢ଼େଇ କରି ଆସୁଥିଲେ।

ସମ୍ବନ୍ଧିତ ଖବର