ରାହୁଲର ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡ଼ିଶାର ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପ୍ରଶଂସାର ସୁଅ

ଅଭିଜ୍ଞତା ବଖାଣିଲେ ଇନ୍‌ସପେକ୍ଟର ମହାବୀର ମହାନ୍ତି
ପାଣି ସ୍ତର କମାଇବାକୁ ଗାଁ ଲୋକମାନେ ଚଳାଇଥିଲେ ମୋଟର
ଡୋଲୋମାଇଟ୍‌ ପଥରକୁ କାଟିବା ବେଶ୍‌ ଆହ୍ବାନପୂର୍ଣ୍ଣ ଥିଲା

ଭୁବନେଶ୍ବର : ବୋରୱେଲରେ ଖସି ପଡ଼ିଥିବା ରାହୁଲର ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏନ୍‌ଡିଆରଏଫ୍‌। ଏହି ଟିମ୍‌ର ଇନ୍‌ସେପକ୍ଟର ମହାବୀର ମହାନ୍ତି ଦୀର୍ଘ ୪ଦିନର ଅପରେସନ୍‌ ସଂପର୍କରେ ଗଣମାଧ୍ୟମକୁ ନିଜର ସ୍ମୃତି ବଖାଣିଛନ୍ତି। ୪୫ ଡିଗ୍ରା ତାପମାତ୍ରାରେ ରାତି ଅନିଦ୍ରା ହୋଇ ଏନ୍‌ଡିଆରଏଫ୍‌ ଟିମ୍ କିଭଳି ଅପରେସନ୍‌କୁ ସଫଳତାର ସହ ଶେଷ କରିବାରେ ସକ୍ଷମ ହୋଇଥିଲା ତାହା ସଂପର୍କରେ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏଭଳି ଅପରେସନ୍‌ ଉଭୟ ଓଡ଼ିଶା ଓ ଛତିଶଗଡ଼ ପାଇଁ ନୂଆ ଥିଲା। ତେଣୁ ଏନ୍‌ଡିଆରଏଫ୍‌ ପାଇଁ ଏହା ଏକ ଆହ୍ବାନ ଥିଲା। ଗତ ୧୦ତାରିଖରେ ସଂଧ୍ୟା ୫ଟା ୪୫ରେ ‌ଗୋଟିଏ ପିଲା ବୋରୱେଲରେ ଖସି ପଡ଼ିଥିବା ସୂଚନା ମିଳିଥିଲା। ଭିଲାଇରୁ ଏନ୍‌ଡିଆରଏଫ୍‌ର ଏକ ଟିମ୍‌କୁ ପ୍ରସ୍ତୁତ କରାଯାଇଥିଲା। ଏହାସହ ମୁଣ୍ଡଳୀର ଏକ ଟିମ୍‌କୁ ମିଶାଇ ମୋଟ ୩୨ଜଣିଆ ଟିମ୍‌ ଗଠନ ହୋଇଥିଲା। ସଂଧ୍ୟା ୬ଟା ବେଳକୁ ଭିଲାଇର ଟିମ୍ ଘଟଣାସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଭିଲାଇରୁ ଘଟଣାସ୍ଥଳର ଦୂର ୨୭୫ କି.ମି.। ତେଣୁ ଏହି ସମୟ ଭିତରେ କିଛି ବି ଘଟିପାରେ। ଏହାକୁ ଆଶଙ୍କା କରି ରାସ୍ତାରେ ଯିବା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗରେ ରହିଥିଲୁ। ପିଲାକୁ କିଭଳି ଅକ୍ସିଜେନ ସପୋର୍ଟ ମିଳିପାରିବ ତାହା ଉପରେ ଆଲୋଚନା ହୋଇଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ କାରଣରୁ ସ୍ଲାବ୍ ଭୁଶୁଡ଼ିବାର ଆଶଙ୍କା ରହିଥିଲା। ତେଣୁ ଲୋକଙ୍କୁ ଘଟଣାସ୍ଥଳରୁ ହଟାଇବାକୁ ପରାମର୍ଶ ଦିଆଯାଇଥିଲା।

ଏନ୍‌ଡିଆରଏଫ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ‌କିଭଳି ରାହୁଲକୁ ବୋରୱେଲରୁ ବାହାର କରାଯିବ ସେଥିପାଇଁ ପ୍ଲାନିଂ ହୋଇଥିଲା। ବୋ‌ରୱେଲରେ ପାଣି ଥିବାରୁ ପାଣିସ୍ତରକୁ କମାଇବା ଲାଗି ଗାଁର ଯାହାର ଘରେ ‌ବୋରୱେଲକୁ ମୋଟର ସଂଯୋଗ ରହିଛି ତାହାକୁ ଚାଲୁ ରଖିବା ଲାଗି ନିବେଦନ କରାଯାଇଥିଲା। ପରେ ମେଡିକାଲ ଟିମ୍ ସହାୟତାରେ ଅକ୍ସିଜେନ୍ ଦିଆଯିବା ସହିତ ଅବଜରଭେସନ୍‌ରେ ରଖିବା ଲାଗି ସିସିଟିଭି କ୍ୟାମେରା ଲଗାଯାଇଥିଲା। ତେବେ ପିଲାଟି ଦିବ୍ୟାଙ୍ଗ ଥିବାରୁ ଏନ୍‌ଡିଆରଏଫ୍‌ ଟିମ୍‌ର ଭାଷା ବୁଝିବାରେ ତାକୁ କଷ୍ଟକର ହେଉଥିଲା। ତେଣୁ ସ୍ପିକର ଜରିଆରେ ତା’ର ବାପାମା’ଙ୍କ ସହିତ ଯୋଗାଯୋଗରେ ରଖାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନ୍‌ଡିଆରଏଫ୍‌ ଟିମ୍‌ରେ ସମସ୍ତଙ୍କୁ ଭିନ୍ନ ଭିନ୍ନ ଦାୟିତ୍ବ ଦିଆଯାଇଥିଲା। ରାହୁଲର ଲାଇଫ୍‌ ସପୋର୍ଟ ପାଇଁ ୩/୪ଜଣିଆ ଟିମ୍ ସ୍ବତନ୍ତ୍ରଭାବେ ନିୟୋଜିତ ହୋଇଥିବା ବେଳେ ଅନ୍ୟମାନେ ଗାତ ଖୋଳାଠାରୁ ଆରମ୍ଭ କରି ଅନ୍ୟ କାର୍ଯ୍ୟରେ ଲାଗିଥିଲେ। ୬୫ଫୁଟ୍‌ର ଗାତ ଖୋଳିବା ସହିତ ୨୦ଫୁଟ୍‌ର ଏକ ଟନେଲ ଖୋଳି ରାହୁଲ ନିକଟରେ ପହଞ୍ଚିବା ବଡ଼ ଚ୍ୟାଲେଞ୍ଜ ଥିଲା। ଯେତିକି ଖୋଳା ହେଉଥିଲା ସେତିକି ପଥରର ସ୍ତର ଆସୁଥିଲା। ଶେଷ ଆଡ଼କୁ ଡୋ‌ଲୋମାଇଟ ପଥର ସ୍ତର ପଡ଼ିଥିଲା। ମେସିନ୍ ସହାୟତାରେ ଏହି ପଥରକୁ କାଟିବା କଷ୍ଟକର ଥିଲା। ଯାହାଫଳରେ ରାହୁଲ ପାଖରେ ପହଞ୍ଚିବା ବିଳମ୍ବ ହୋଇଥିଲା। ପଥର କାଟିବା ସମୟରେ ଅଧିକ ଚାପ ଦେଲେ ବୋରୱେଲ ଭୁଶୁଡ଼ି ଯିବାର ଆଶଙ୍କା ରହିଥିଲା। ତେଣୁ ସୁରକ୍ଷିତ ଭାବେ ପିଲା ପାଖରେ କିଭଳି ପହଞ୍ଚିହେବ ତାହାକୁ ଟିମ୍ ଗୁରୁତ୍ବ ଦେଇଥିଲା।

ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଏସ୍‌ଡିଆରଏଫ୍‌ ଟିମ୍ ମଧ୍ୟ ବେଶ୍ ସହାୟତା ଦେଇଥିଲା। ସ୍ଥାନୀୟ ପୁଲିସ, ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିଥିଲା। ୪୫ ଡିଗ୍ରି ତାପମାତ୍ରାରେ ୪ଦିନ ଧରି ବିନା ନିଦ୍ରାରେ ଉଦ୍ଧାର କାର୍ଯ୍ୟକୁ ଜାରି ରଖିବା ଆହ୍ବାନପୂର୍ଣ୍ଣ ରହିଥିଲା। ମାତ୍ର ଏନ୍‌ଡିଆରଏଫ୍‌ ପ୍ରତି ଲୋକଙ୍କ ଭରସା ହିଁ ସଫଳତାର ସହ କାର୍ଯ୍ୟକୁ ଆଗେଇନେବା ସମ୍ଭବ ହୋଇଥିବା ଶ୍ରୀ ମହାନ୍ତି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ବର : ବୋରୱେଲରେ ଖସି ପଡ଼ିଥିବା ରାହୁଲକୁ ସଫଳତାର ସହତ ଉଦ୍ଧାର କରିବାରେ ସଫଳ ହୋଇଥିବା ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାରତୀୟ ସେନା, ଏନ୍‌ଡିଆରଏଫ୍‌, ଏଡିଆରଏଫ୍‌ ଓ ଅନ୍ୟମାନଙ୍କୁ ୧୦୦ ଘଣ୍ଟାର ଏହି ଅପରେସନ୍‌କୁ ସଫଳ କରିପାରିଥିବାରୁ ପ୍ରଶଂସା କରିବା ସହିତ ରାହୁଲର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର