ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)ରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ରାଉରକେଲା ଆଜାଦ ବସ୍ତିର ସୋଏବ ଅଫତାବଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ରାଉରକେଲା ପାଇଁ ଗୌରବ ଆଣିଥିବା ସୋଏବଙ୍କୁ ସହରର ବିଭିନ୍ନ ସଂଗଠନ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କୁ ନେଇ କେବଳ ରାଉରକେଲା ବା ଓଡ଼ିଶା ନୁହେଁ, ସାରା ଭାରତରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା। କିଭଳି ଥିଲା ସୋଏବଙ୍କ ନିଟ୍ ଯାତ୍ରା? କେଉଁ କେଉଁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାଙ୍କୁ? ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜସ୍ଥାନର କୋଟାରୁ ‘ସମ୍ବାଦ’ ସହ ଟେଲିଫୋନ୍ ସାକ୍ଷାତକାରରେ ମନଖୋଲି କଥା ହୋଇଛନ୍ତି ସୋଏବ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବାଦ: ସଫଳତା ପାଇଁ ଶୁଭେଚ୍ଛା। ନିଟ୍ ଟପ୍ପର ହେବାର ଯାତ୍ରା କେମିତି ଥିଲା?
ସୋଏବ: ଯାତ୍ରା ଯଦିଓ କଷ୍ଟକର ନ ଥିଲା, ତେବେ ସହଜ ବି ନ ଥିଲା। ୨୦୧୮ ଏପ୍ରିଲ ମାସରେ ମାଟ୍ରିକ୍ ପାସ୍ କଲାପରେ କୋଟାକୁ ଆସିଥିଲି। ପ୍ରଥମେ ମାର୍କ ଭଲ ରହୁ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭଲ ନମ୍ବର ରହିଲା। ଏଣୁ ମନୋବଳ ବି ବଢ଼ିଲା। ତା’ପରେ ଆଉ ପଛକୁ ଫେରି ଚାହିଁନି। ଲକ୍ଷ୍ୟପଥରେ ପରିଶ୍ରମ କରି ଚାଲିଲି, ଏବଂ ଆଜି ସଫଳତାର ସ୍ବାଦ ଚାଖୁଛି।
ସମ୍ବାଦ: ଇତିହାସ ରଚିବ ବୋଲି ଆଶା ଥିଲା?
ସୋଏବ: ସତ କହିବାକୁ ଗଲେ ଟପର ହେବି ବୋଲି କେବେ ବି ଆଶା କରିନଥିଲି। କିନ୍ତୁ ଶ୍ରେଷ୍ଠ ୫୦ କିମ୍ବା ଶ୍ରେଷ୍ଠ ୧୦୦ ଭିତରେ ରହିବି ବୋଲି ବିଶ୍ବାସ ଥିଲା। ପ୍ରକୃତରେ ମୁଁ ଟପର ହେବା ଉଦ୍ଦେଶ୍ୟରେ ବି ପଢ଼ୁ ନ ଥିଲି। କେବଳ କର୍ତ୍ତବ୍ୟ କରି ଚାଲିଥିଲି, ଆଉ ତା’ର ଫଳ ସ୍ବରୂପ ଏହି ସଫଳତା ମିଳିଛି।
ସମ୍ବାଦ: ତେବେ ନିଟ୍ କାହିଁକି? ଅନ୍ୟ କୌଣସି କ୍ଷେତ୍ରକୁ ବି ବାଛି ପାରିଥାନ୍ତ?
ସୋଏବ: ଡାକ୍ତର ଏକ ବୃତ୍ତି ନୁହେଁ; ଏହା ହେଉଛି ଲୋକଙ୍କୁ ସେବା କରିବାର ଏକ ମହାନ ମାଧ୍ୟମ। ମୋ’ ମନରେ ବି ଲୋକଙ୍କୁ ସେବା କରିବାର ଇଚ୍ଛା ଥିଲା। ଖାସ୍ ଏଥିପାଇଁ ଡାକ୍ତର ହେବାକୁ ଛୋଟବେଳୁ ପ୍ରବଳ ଇଚ୍ଛା ଥିଲା।
ସମ୍ବାଦ: କୋଟାରେ ମା’ ଓ ଭଉଣୀଙ୍କ ସହ ରହି ପ୍ରସ୍ତୁତି କରିବା ପଛରେ କାରଣ କ’ଣ?
ସୋଏବ: ମାଟ୍ରିକ୍ ଯାଏ ରାଉରକେଲାରେ ରହି ପାଠ ପଢ଼ୁଥିଲି। ଏହାପରେ ହଠାତ୍ ରାଉରକେଲା ଛାଡ଼ି କୋଟାରେ ଛାତ୍ରାବାସରେ ରହିଲେ, ଘରୋଇ ଖାଦ୍ୟ ସହ ବିଭିନ୍ନ ନିତିଦିନିଆ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାନ୍ତା। ଏଣୁ ଯେମିତି ମୁଁ କେବଳ ପାଠପଢ଼ା ଏବଂ ପରୀକ୍ଷା ପ୍ରସ୍ତୁତିରେ ବ୍ୟସ୍ତ ରୁହେ, ସେଥିପ୍ରତି ମା’ ମଧ୍ୟ ମୋ ସହ କୋଟା ଆସିଥିଲେ। ମା’ ଓ ଭଉଣୀ ପାଖରେ ରହୁଥିଲେ, ଯାହାକି ମୋତେ ଲକ୍ଷ୍ୟପଥରେ ଆଗେଇବାକୁ ଅଧିକ ପ୍ରେରଣା ଦେବାସହ ଦୈନନ୍ଦିନ ସମସ୍ୟାରୁ ଦୂରେଇ ରଖିଥିଲା।
ସମ୍ବାଦ: ସଫଳତାର ଶ୍ରେୟ କାହାକୁ ଦେବ?
ସୋଏବ: ଯଦି ମୁଁ ଆଜି ସଫଳ ହୋଇଛି, ତା’ହେଲେ ଏଥିରେ ମୋ ମା’ଙ୍କର ୯୦ ପ୍ରତିଶତ ଅବଦାନ ରହିଛି। ଏହାବାଦ୍ ବାପା, ଭଉଣୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭୂମିକା ଅତୁଳନୀୟ।
ସମ୍ବାଦ: ଏବେ ଭବିଷ୍ୟତ ଲକ୍ଷ୍ୟ କ’ଣ?
ସୋଏବ: ଏମ୍ସ ଦିଲ୍ଲୀରେ ପଢ଼ିବି। ସେଠାରେ ଆମପାଇଁ ଯାହାସବୁ ଗବେଷଣାମୂଳକ କାର୍ଯ୍ୟକ୍ରମ ଉପଲବ୍ଧ, ସେଥିରେ ସାମିଲ ହେବି। ଜ୍ଞାନ ବିକାଶ କରିବାର କୌଣସି ବି ସୁଯୋଗ ହାତଛଡ଼ା କରିବିନି। ତେବେ ଭବିଷ୍ୟତରେ ଜଣେ ହୃଦ୍ରୋଗ ବିଶେଷଜ୍ଞ ହେବାକୁ ଇଚ୍ଛା ଅଛି।
ସମ୍ବାଦ: କ’ଣ ଥିଲା ଟାଇମ୍ ଟେବୁଲ? ଦିନକୁ କେତେ ଘଣ୍ଟା ପରିଶ୍ରମ କରୁଥିଲେ?
ସୋଏବ: ସକାଳ ୭ଟାରୁ ଦିନ ଦେଢ଼ଟା ଯାଏ କଲେଜ ଯାଉଥିଲି। ଅଧଘଣ୍ଟାର ବିରତି ପରେ ଦିନ ୨ଟାରୁ ସନ୍ଧ୍ୟା ୭ଟା ଯାଏ କୋଚିଂ ନେଉଥିଲି। ଘରକୁ ଆସିବା ପରେ ୩/୪ ଘଣ୍ଟା ନିଜେ ପାଠ ପଢ଼ୁଥିଲି। ତେବେ ଛୁଟି ଦିନ, ଯଥା ରବିବାର କିମ୍ବା ଅନ୍ୟ କୌଣସି ସରକାରୀ ଛୁଟି ଦିନରେ ୧୦/୧୨ ଘଣ୍ଟା ପଢ଼ୁଥିଲି।
ସମ୍ବାଦ: ଲକ୍ଡାଉନ୍ରେ ସବୁ ଛାତ୍ରଛାତ୍ରୀ ଘରକୁ ଫେରି ଆସିଥିଲେ। ତୁମେ କିନ୍ତୁ ସେଠାରେ ରହି ପ୍ରସ୍ତୁତି ଜାରି ରଖିଥିଲ?
ସୋଏବ: ମା’ ଓ ଭଉଣୀ ମୋ ସହ କୋଟାରେ ରହୁଥିବାବେଳେ ବାପା ରାଉରକେଲାରେ ରହୁଥିଲେ। ଲକ୍ଡାଉନ୍ବେଳେ ରାଉରକେଲାକୁ ଫେରି ଆସିବାକୁ ବାପା ପ୍ରସ୍ତାବ ଦେଇଥିଲେ। ମାତ୍ର ଯଦି ଘରକୁ ଯାଇଥାନ୍ତି, ତା’ହେଲେ ପ୍ରସ୍ତୁତିରେ କିଛିଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ଅବଶ୍ୟ ସେତେବେଳକୁ ପ୍ରସ୍ତୁତି ପ୍ରାୟ ସରି ସାରିଥିଲା; କିନ୍ତୁ କୌଣସି ପରିସ୍ଥିତିରେ ବି ପ୍ରସ୍ତୁତି ସହ ସାଲିସ୍ କରିବାକୁ ଚାହିଁ ନ ଥିଲି। ଏଣୁ ଲକ୍ଡାଉନ୍ରେ ଏଠାରେ ରହି ପ୍ରସ୍ତୁତିକୁ ତ୍ବରାନ୍ବିତ କରିଥିଲି। ପ୍ରକୃତରେ ଲକ୍ଡାଉନ୍ ମୋ’ପାଇଁ କିଛି ପରିମାଣରେ ବରଦାନ ସାବ୍ୟସ୍ତ ହୋଇଛି।
ସମ୍ବାଦ: ପାଠ ପଢ଼ା ବ୍ୟତୀତ ଆଉ କ’ଣ ପସନ୍ଦ?
ସୋଏବ: ଗତ ଅଢ଼େଇ ବର୍ଷ ହେଲା କେବଳ ନିଟ୍ ପ୍ରସ୍ତୁତିରେ ଲାଗିଥିଲି। ଏଣୁ ଏ ସମୟରେ ଅନ୍ୟ ଦିଗକୁ ଧ୍ୟାନ ଯାଇନି। ହଁ, ହାଇସ୍କୁଲ ସମୟରେ କିନ୍ତୁ ଚିତ୍ରାଙ୍କନ ପ୍ରତି ରୁଚି ଥିଲା। ଭଲ ଚିତ୍ର ଆଙ୍କୁଥିଲି। କିନ୍ତୁ କୋଟାକୁ ଆସିବା ପରଠାରୁ ଆଉ ଚିତ୍ରାଙ୍କନ ପାଇଁ ସମୟ ମିଳିନି।
ସମ୍ବାଦ: ତା’ହେଲେ ଗତ ଅଢ଼େଇ ବର୍ଷ କେବଳ ପାଠପଢ଼ାରେ ବିତିଛି?
ସୋଏବ: ମୋଟାମୋଟି କହିବାକୁ ଗଲେ, ଏହା ହିଁ ସତ। ତେବେ ଟେଷ୍ଟ୍ ଶେଷ ହେବାପରେ କିଛି ସମୟ ମିଳୁଥିଲା। ଏହି ସମୟରେ ୟୁଟ୍ୟୁବ୍ରୁ ହାସ୍ୟରସାତ୍ମକ ଭିଡିଓ ଦେଖୁଥିଲି। ଏହାବାଦ୍ ହାତଗଣତି କିଛିଟା କିଛି ବଲିଉଡ୍ ଫିଲ୍ମ ଦେଖିଛି।
ସମ୍ବାଦ: ଓଡ଼ିଶାରେ ସେବା ଦେବାର ଇଚ୍ଛା ରହିଛି?
ସୋଏବ: ଭବିଷ୍ୟତରେ ଯଦି ସୁଯୋଗ ମିଳେ, ତା’ହଲେ ନିଶ୍ଚିତଭାବେ ରାଜ୍ୟବାସୀଙ୍କୁ ସେବା ଯୋଗାଇବି। ତେବେ ଏବେଠୁ ଏସବୁ ଭାବନି। ଆଗକୁ ଆହୁରି ବହୁତ କିଛି ଉପଲବ୍ଧି ହାସଲ କରିବାକୁ ହେବ।
ସମ୍ବାଦ: ନିଟ୍ ପାଇଁ ପ୍ରସ୍ତୁତି ଚଲାଇଥିବା ଛାତ୍ରଛାତ୍ରୀଙ୍କୁ କ’ଣ କହିବେ?
ସୋଏବ: ଯାହାବି ଲକ୍ଷ୍ୟ ରହିଛି, ତାକୁ ହାସଲ କରିବାକୁ ନିଷ୍ଠାର ସହ ପରିଶ୍ରମ କର। ଲକ୍ଷ୍ୟପଥରେ ସମସ୍ୟା ଦେଖାଦେବ। ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ବି ପଡ଼ିବ। କିନ୍ତୁଏଥିରେ ଭାଙ୍ଗି ନ ପଡ଼ି, ହତୋତ୍ସାହିତ ନ ହୋଇ, ସମସ୍ୟାକୁ ସୁଯୋଗରେ ରୂପାନ୍ତର କରିବାକୁ ପଡ଼ିବ। ତା’ପରେ ସଫଳତା ମିଳିବା ନିଶ୍ଚିତ।