ସାବାସ୍‌ ମ୍ୟାଡ଼ମ୍‌ ସଂଘମିତ୍ରା 

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ଆଜି ମାନବିକତାର ପରିଚୟ ଦେଖାଇଛନ୍ତି। ମେୟର ଭାବେ ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିବା ଶ୍ରୀମତୀ ଦଳେଇ ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀ ହୋଇଥିବା ବେଳେ ସେ ବିଭିନ୍ନ ସମୟରେ ଲୋକଙ୍କ ସେବାରେ ନିଜକୁ ଜଡ଼ିତ କରିଥାନ୍ତି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ  ସ୍ଥାନୀୟ ବିଜିପୁର ଠାରେ ଜଣେ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ। ଏହି ସମୟରେ ମେୟର ଶ୍ରୀମତୀ ଦଳେଇ ସେହି ରାସ୍ତା ଦେଇ ଯାଉଥିଲେ।

ରାସ୍ତାକଡ଼ରେ ଭିଡ଼କୁ ଦେଖି ଗାଡ଼ି ଅଟକାଇବା ସହ ଘଟଣା ସଂପର୍କରେ ପଚାରିଥିଲେ। ଏହି ସମୟରେ ଉପସ୍ଥିତ ଜନତା ଅଚେତ ଛାତ୍ରୀଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ମେୟର ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡ଼ିରେ ଅଚେତ ଛାତ୍ରୀଙ୍କୁ ମେଡ଼ିକାଲ ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଚିକିତ୍ସା ପରେ ଛାତ୍ରୀ ଜଣକ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ସେଭଳି ଗତ କିଛି ମାସ ପୂର୍ବେ ମେୟର ଶ୍ରୀମତୀ ଦଳେଇ ଦିଗପହଣ୍ଡି ଯିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ରାସ୍ତାରେ ପଡ଼ିଥିବା ଜଣେ ଆହତ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭିର୍ତ୍ତି କରିଥିଲେ। ମ୍ୟାଡ଼ମ୍‌ ସଂଘମିତ୍ରାଙ୍କ ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର