ଜାତୀୟ ରାଜପଥ ଉନ୍ନତୀକରଣରେ ଓଡ଼ିଶା ମଡେଲକୁ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶାରେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯେଉଁଭଳି ସହଯୋଗ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ସଚିବ ଗିରିଧର ଅରାମାନେ କହିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ହେଉଥିବା ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଯୁଗ୍ମ ସମୀକ୍ଷା ହୋଇଥିବାବେଳେ ଏଥିରେ ସଡ଼କ ପରିବହନ ମନ୍ତ୍ରଣାଳୟ ସଚିବ କହିଥିଲେ ଯେ, ଓଡ଼ିଶାରେ ଜାତୀୟ ରାଜପଥ ଉନ୍ନତୀକରଣ ନେଇ ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ଡିଏଫ୍‌ଓ, ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସହଯୋଗ ପ୍ରଶଂସନୀୟ। ରାସ୍ତାର ଆଲାଇନ୍‌ମେଣ୍ଟ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଜମି ଅଧିଗ୍ରହଣ, କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ତରରେ ପୂର୍ଣ୍ଣ ସହଯୋଗ ମିଳୁଛି। ତେଣୁ ଏନ୍‌ଏଚ୍‌ଏଆଇର କର୍ମଚାରୀମାନେ ଜିଲ୍ଲାପାଳ, ଡିଏଫ୍‌ଓମାନଙ୍କ ସହ ନିୟମିତ ଯୋଗା‌େ‌ଯାଗରେ ରହିବା ସହ ପ୍ରକଳ୍ପ ଅଗ୍ରଗତିରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିବାକୁ ଶ୍ରୀ ଅରାମାନେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ସବୁ ପାଇଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏହା ସହ ପାରାଦୀପରୁ ଭଦ୍ରସାହି-ବଡ଼ବିଲ ପର୍ଯ୍ୟନ୍ତ ଏକ ଅର୍ଥନୈତିକ କରିଡରର ଉନ୍ନତୀକରଣ କରିବାକୁ ମୁଖ୍ୟ ସଚିବ କହିଛନ୍ତି। ଏଥିପାଇଁ ୧୦୦ମିଟରର ରୋଡ୍‌ ଅଫ୍‌ ୱେ ପାଇଁ ଜମି ଅଧିଗ୍ରହଣ କରିବାକୁ କୁହାଯାଇଛି।

Mapio.net

ଏହି ବୈଠକରେ ଏନ୍‌ଏଚ୍‌ଏଆଇର ଅତିରିକ୍ତ ମହାନିର୍ଦ୍ଦେଶକ ଧର୍ମାନନ୍ଦ ଷଡଙ୍ଗୀ ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସୂଚନା ଦେଇ କହିଥିଲେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୮ଟି ଜାତୀୟ ରାଜପଥର ୫୭୫୩ କିମି ରାସ୍ତା ଅଛି। ଏନ୍‌ଏଚ୍‌ଏଆଇ ୧୯ଟି ଏନ୍‌ଏଚ୍‌ର ୨୯୨୦କିମି ରାସ୍ତାର ରକ୍ଷଣାବେକ୍ଷଣ କରୁଥିବାବେଳେ ପୂର୍ତ୍ତ ବିଭାଗ ୧୯ଟି ଏନ୍‌ଏଚ୍‌ର ୨୮୩୩କିମି ରାସ୍ତାର ରକ୍ଷଣାବେକ୍ଷଣ କରୁଛି। ସେହିପରି ୨୪୩କିମି ରାସ୍ତାକୁ ୬ଥାକିଆ କରାଯାଇଥିବାବେଳେ ୧୪୮୬କିମି ରାସ୍ତାକୁ ଚାରିଥାକିଆ, ୧୯୩୪କିମି ରାସ୍ତାକୁ ପେଭର୍‌ ବ୍ଲକ୍‌ ସହ ଦୁଇ ଥାକିଆ, ୧୨୫୭କିମି ରାସ୍ତାକୁ ଦୁଇ ଥାକିଆ, ୮୩୪କିମି ରାସ୍ତାକୁ ଏକ ଥାକିଆ ରାସ୍ତା କରାଯାଇଛି। ଏହାସହ ଏନ୍ଏଚ୍‌ଏଆଇ ପକ୍ଷରୁ ୨୦ଟି ପ୍ରକଳ୍ପରେ ୯୦୧କିମି ରାସ୍ତାର ଉନ୍ନତୀକରଣ ପାଇଁ ୧୫୦୧୫କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ପୂର୍ତ୍ତ ବିଭାଗ ଦ୍ବାରା ୩୧ଟି ପ୍ରକଳ୍ପରେ ୧୧୪୬କିମି ରାସ୍ତା ପାଇଁ ୩୦୮୮କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ପୂର୍ତ୍ତ ସଚିବ କ୍ରିଷନ କୁମାର କହିଥିଲେ, ପାଣିକୋଇଲି-ରିମୁଳି ସେକ୍ସନର ଏନ୍‌ଏଚ୍‌-୨୦ ରାସ୍ତା କାମ ଦ୍ରୁତଗତିରେ ହେଉଛି। ବେଲବାହାଳି ବ୍ରିଜ୍‌ର ଗୋଟିଏ ପାର୍ଶ୍ବ ଜାନୁଆରି ପ୍ରଥମ ସପ୍ତାହରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବାବେଳେ ଏହି ପ୍ରକଳ୍ପ ଆସନ୍ତା ଜୁନ୍‌ ସୁଦ୍ଧା ସରିବ। ଏହାସହ ବିଭିନ୍ନ ପ୍ରକଳ୍ପ ଉପରେ ପୂର୍ତ୍ତ ସଚିବ ଆଲୋଚନା କରିଥିଲେ।

brnl.in

ଏହି ବୈଠକରେ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ହସ୍ତାନ୍ତର, ଅନୁକମ୍ପା ରାଶି ପ୍ରଦାନ, ପଶୁପକ୍ଷୀ ଯାତାୟତ ରାସ୍ତା, ହାତୀ କରିଡର, ଭିୟୁପି, ଯାତ୍ରୀବାହୀ ବସ୍‌ଗୁଡ଼ିକର ଟୋଲ୍‌ ଫି’ ଜନିତ ବିବାଦ ଉପରେ ଆଲୋଚନା ସହ ସମାଧାନ କରାଯାଇଛି।

ଏନ୍‌ଏଚ୍‌ଏଆଇ ସଦସ୍ୟ ମହାବୀର ସିଂହ, ରାଜସ୍ବ ବିଭାଗ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ, ପରିବହନ କମିସନର ଅରୁଣ ବୋଥ୍ରା, ଏନ୍‌ଏଚ୍‌ଏଆଇର ସିଜିଏମ୍‌ ରାମ ପ୍ରସାଦ ପଣ୍ଡା ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର