ସ୍ବାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି : ଗଣତନ୍ତ୍ର ପ୍ରତି ଆସ୍ଥା ଦେଖାଇଲେ ୨୫ ଗାଁର ଲୋକ, ଲାଲବାହିନୀର ନାଲି ଆଖିକୁ ଡରିଲେନି

ମାଲକାନଗିରି : ଲାଲଗଡ଼ର ସ୍ବାଭିମାନ ଅଞ୍ଚଳରେ ଆଜି ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିଜ ଅଞ୍ଚଳର ଉନ୍ନତି ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ। ନିଜ ସମସ୍ୟା ସଂପର୍କରେ ଆଲୋଚନା କରି ପ୍ରଶାସନକୁ ତୁରନ୍ତ ସମାଧାନ ପାଇଁ ମଧ୍ୟ ନିବେଦନ କରିଛନ୍ତି। ଲାଲବାହିନୀର ନାଲିଆଖି ଯୋଗୁଁ ସବୁବେଳେ ଚୁପ୍ ରହୁଥିବା ଅଞ୍ଚଳବାସୀ ନିଜ ହକ୍ ପାଇଁ ସ୍ବର ଉଠାଇବା ଘଟଣା ଗଣତନ୍ତ୍ର ପ୍ରତି ଲୋକଙ୍କର ରହିଥିବା ବିଶ୍ବାସକୁ ବି ଆଜି ଦର୍ଶାଇଛି।

ମାଲକନାଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଅନ୍ତର୍ଗତ ମୁଦୁଲିଗୁଡାଠାରେ ପ୍ରାୟ ୨୫ ଖଣ୍ଡ ଗାଁର ଲୋକେ ଆଜି ଏକ ଶୋଭାଯାତ୍ରା‌େର ଆସି ଏହି ବିରାଟ ପ୍ରଜାମେଳିର ଆୟୋଜନ କରିଥିଲେ। ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ଅପହଞ୍ଚ ଅଂଚଳ କୋରକୋଣ୍ଡା ବ୍ଲକ୍‌ର ନାକାମାମୁଡି ପଞ୍ଚାୟତ ନକ୍ସଲଙ୍କ ଗଡ଼ ରୂପେ ପରିଚିତ। ଏହି ଅଞ୍ଚଳକୁ ବାଲିମେଳା ଜଳଭଣ୍ଡାର ସଭ୍ୟ ଜଗତଠାରୁ ବିଚ୍ଛିନ୍ନ କରି ରଖିଛି। ମୁଦୁଲିଗୁଡାଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପାଇଁ ଗତ ୨୦୦୩ ମସିହାରୁ ବାରମ୍ବାର ଦାବି ହୋଇ ଆସୁଛି। ନିର୍ବାଚନ ସମୟରେ ଏହି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ପରବର୍ତୀ ସମୟରେ ସମସ୍ତେ ଭୁଲି ଯାଉଛନ୍ତି। ତେଣୁ ଆଜି ମୁଦୁଲିଗୁଡା, ନାରିଙ୍ଗଜୋଲା, ଜଲାଗୁଡା, ବଡଅଣ୍ଟିଆଗୁଡା, ସିରାଗୁଡା, ପାଙ୍ଗାପଡା, ସୁରିପଡା, ଅଙ୍ଗୁରଗୁଡା, ବଟିଗୁଡା, ବାୟାଗୁଡା ଭଳି ୨୫ଟି ଗ୍ରାମର ଗ୍ରାମବାସୀ ଏକାଠି ହୋଇ ମୁଦୁଲିଗୁଡାଠାରେ ପଞ୍ଚାୟତ କାର୍ଯ୍ୟାଳୟ କରିବାକୁ ଦାବି କରିଛନ୍ତି। ବର୍ତମାନ ସେମାନେ ନାକାମାମୁଡି ପଞ୍ଚାୟତ ଅଧୀନରେ ରହିଥିବା ବେଳେ ପାହାଡ଼, ନଦୀ ଓ ଘଞ୍ଚ ଜଙ୍ଗଲ ଗାଁ ଗୁଡ଼ିକୁ ଘେରି ରହିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ଅଂଗରଗୁଡାଠାରୁ ୬୦ କିଲୋମିଟର ଲଞ୍ଚରେ ଯାତ୍ରା କରି ଡାଇକ-୩ରେ ପହଞ୍ଚିବାକୁ ପଡ଼ୁଛି। ସେଠାରୁ ପୁଣି ୫ କିଲୋମିଟର ବାଟ ଚାଲିଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ସେହିପରି ଗାଁଠାରୁ ବ୍ଲକ କାର୍ଯ୍ୟାଳୟର ଦୂରତା ୮୦କିଲୋମିଟର। ନିଜ ସମସ୍ୟା ଜଣାଇବା ପାଇଁ ବ୍ଲକ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ପୂରା ଦୁଇ ଦିନ ଲାଗି ଯାଉଛି। ଏଥିପାଇଁ ସେମାନଙ୍କ ଦାବି ଥିଲା ନାକାମାମୁଡ଼ି ପଞ୍ଚାୟତକୁ ଦୁଇ ଭାଗ କରିବା ସହ ମୁଦୁଲିଗୁଡାରେ ନୂଆ ପଞ୍ଚାୟତ କରି ପ୍ରଥମେ ପାନୀୟ ଜଳର ସୁବିଧା କରାଯାଉ। ବିଦ୍ୟାଳୟ, ଖେଳ ପଡ଼ିଆ, ଶିକ୍ଷକ ନିଯୁକ୍ତି, କ୍ରୀଡ଼ା ସାମଗ୍ରୀ ଦେବା ସହ ପଞ୍ଚାୟତରେ ହଷ୍ଟେଲ ନିର୍ମାଣ କରାଯାଉ। ପଞ୍ଚାୟତରେ ଚିକିତ୍ସାଳୟ ସହ ଆମ୍ବୁଲାନସ ଲଞ୍ଚ୍‌ର ବ୍ୟବସ୍ଥା। ବିଚ୍ଛିନ୍ନାଞ୍ଚଳ ପାଇଁ ଆଉ ଦୁଇଟି ଯାତ୍ରୀବାହୀ ଲଞ୍ଚ୍‌ର ସୁବିଧା କରାଯାଉ। ପଶୁ ଚିକିତ୍ସାଳୟ ଖୋଲିବା ସହ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ। ୧୦ଟି ମୋଟର ଚାଳିତ ଡଂଗା ଦିଆଯାଉ। ପ୍ରତିବର୍ଷ ବାଲିମେଳା ଡ୍ୟାମରେ ମାଛ ଯାଆଁଳ ଛଡାଯାଉ। ପ୍ରତ୍ୟେକ ଗ୍ରାମରେ ଦେଶୀ ଡଂଗା ସହ ମାଛ ଜାଲ ପ୍ରଦାନ କରାଯାଉ। ବର୍ଷା ପବନରେ ଭାଙ୍ଗି ଯାଇଥିବା ଘର ବାବଦରେ କ୍ଷତିପୂରଣ ପ୍ରଦାନ କରିବାକୁ ଏବଂ ବିଦ୍ୟୁତ ନଥିବା ଗ୍ରାମରେ ବିଦ୍ୟୁତ ଯୋଗାଇ ଦେଇ ରାସ୍ତାଘାଟର ଉନ୍ନତି କରାଯାଉ। ଏହା ବ୍ୟତୀତ ରାସନ କାର୍ଡ ଏବଂ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାକୁ ଆଜି ହୋଇଥିବା ପ୍ରଜାମେଳିରେ ଦାବି କରାଯାଇଥିଲା।

ପ୍ରଶାସନ ଏହିସବୁ ଦାବିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାକୁ ପଦକ୍ଷେପ ଗ୍ରହଣ ନ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥି‌େଲ।

ସମ୍ବନ୍ଧିତ ଖବର