ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି ଦେଖିବାକୁ ମିଳିଛି | ଏଥର ପ୍ରଜାମେଳିରେ ଯୋଡ଼ାଆମ୍ବରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ବିରୋଧ କରାଯାଇଥିବାବେଳେ ସ୍ୱାଭିମାନ ଅଂଚଳରୁ ପୁଲିସ ୫ ଜଣଙ୍କୁ ନକ୍ସଲ ଆଖ୍ୟା ଦେଇ ଉଠାଇ ନେଇଥିବା ଅଭିଯୋଗ ହୋଇଛି | ପଣସପୁଟ ଗ୍ରାମ ପଞ୍ଚାୟତର ଗୋରାସେତୁ ଠାରେ ପାଞ୍ଚଟି ପଞ୍ଚାୟତର ଶହ ଶହ ଲୋକ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରଜାମେଳିରେ ଏକଜୁଟ ହୋଇଥିଲେ ।

Advertisment

ଯୋଡ଼ାଆମ୍ବ ପଞ୍ଚାୟତ ସ୍ଥିତ ଦାରଲାବେଡ଼ା ଖଜୁରୀଗୁଡ଼ା ଛକ ସମୁଖରେ ନୂତନ କରି ସ୍ଥାପନ କରାଯାଇଥିବା ବିଏସଏଫ କ୍ୟାମ୍ପ ଉଠାଯାଉ ବୋଲି ଏହି ମେଳିରେ ନାରା ଲଗାଇଥିଲେ । କ୍ୟାମ୍ପ ପ୍ରତିଷ୍ଠା ପରେ ଯୋଡ଼ାମ୍ଭ ପଂଚାୟତର ଶିମିଳିପଦର ଗ୍ରାମର ବାସୁ ଖିଲ ଓ ଅନ୍ୟ ୪ ଜଣଙ୍କୁ ପୁଲିସ ନକ୍ସଲ ସନ୍ଦେହରେ ଉଠାଇନେଇଥିଲା |

publive-image

ଏହା ସହ ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦିଆଯାଉଥିବାର ପ୍ରଜାମେଳିରେ ଉପସ୍ଥିତ ଲୋକମାନେ ଅଭିଯୋଗ କରିଥିଲେ | ପୁଲିସ ସ୍ୱାଭିମାନ ଅଞ୍ଚଳରେ ନିଜର ଆଭିମୁଖ୍ୟକୁ ବଦଳାଇବା ସହ ତୁରନ୍ତ ୫ ଜଣ ନିରୀହ ଗ୍ରାମବାସୀଙ୍କୁ ମୁକ୍ତ କରନ୍ତୁ ବୋଲି ଦାବି କରିଥିଲେ | ଆଗାମୀ ଦିନରେ ଯୋଡ଼ାଆମ୍ବରୁ ବିଏସଏଫ କ୍ୟାମ୍ପକୁ ନ ଉଠାଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଥିଲେ |