‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ: ସାମ୍ବାଦିକମାନେ ଶାସକଙ୍କ ତୃତୀୟ ନୟନ ଭଳି କାର୍ଯ୍ୟ କରନ୍ତୁ

କଟକ : ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ ସଂଗ୍ରାମ କରି ଜନସାଧାରଣଙ୍କୁ ହକ୍ ପ୍ରଦାନ କରିବା ସହିତ ମୂଲ୍ୟବୋଧଭିତ୍ତିକ ସମାଜ ଗଢ଼ିବାରେ ସମ୍ବାଦପତ୍ର ପ୍ରମୁଖ ଭୂମିକା ନିର୍ବାହ କରି ଆସିଛି। କିନ୍ତୁ ଅସତ୍ୟର ଆଶ୍ରୟ ନେଉଥିବା ଲୋକେ ହିଁ ଗଣମାଧ୍ୟମକୁ ଭୟ କରିଥାନ୍ତି। ଏହା କହିଛନ୍ତି ମଣିପୁର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜ‌ଷ୍ଟିସ୍ ଲକ୍ଷ୍ମୀକାନ୍ତ ମହାପାତ୍ର। ଦୈନିକ ‘ପ୍ରଜାତନ୍ତ୍ରର ୭୫ତମ ପ୍ରତି‌ଷ୍ଠା ଦିବସ ସମାରୋହକୁ ଉଦ୍‌ଘାଟନ କରି ଜଷ୍ଟିସ୍ ମହାପାତ୍ର କହିଲେ ଯେ ନ୍ୟାୟିକ ବ୍ୟବସ୍ଥାରେ ଥିବାରୁ ସେ ପ୍ରଥମେ ସମ୍ବାଦପତ୍ରଠାରୁ ଦୂରେଇ ରହୁଥିଲେ। କିନ୍ତୁ ପରେ ବୃତ୍ତିଗତ ଜୀବନରେ ଗଣମାଧ୍ୟମ ସହାୟତାରେ ସେ ତିନିଟି ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ କରି ପାରିଥିଲେ।

ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରିବାରେ ସେ ବିଶ୍ବାସ କରନ୍ତି ନାହିଁ। ଗଣତନ୍ତ୍ରର ପ୍ରଥମ ତିନିଟି ସ୍ତମ୍ଭ ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଗଣମାଧ୍ୟମକୁ ଏକ ପ୍ରତିଦ୍ବନ୍ଦ୍ବୀ ଭାବେ ସାମନା ନ କରିବା ପାଇଁ ଏଭଳି ଚତୁର୍ଥ ସ୍ତମ୍ଭର ଆଖ୍ୟା ଦେଇଛନ୍ତି। ସାମ୍ବାଦିକମାନେ ଏଥିରେ ବିଶ୍ବାସ ନ କରି ଏମାନଙ୍କ ତୁଳନାରେ ଏକ ସୁଉଚ୍ଚ ବତୀଖୁଣ୍ଟ ସଦୃଶ ହେବା ଉଚିତ। ଏହା ହେଲେ ସାମ୍ବାଦିକମାନେ ଅନ୍ୟ ତିନିଟି ବର୍ଗଙ୍କ ପାଇଁ ଆଲୋକବର୍ତ୍ତିକା ହୋଇ ପାରିବେ। ସାଧାରଣ ଭାବେ ବର୍ତ୍ତମାନର ଶାସକମାନଙ୍କର ଦୁଇଟି ନୟନ ରହିଛି। ପ୍ରଥମଟି ହେଉଛନ୍ତି ପ୍ରଶାସକ ଓ ଅନ୍ୟଟି ହେଉଛନ୍ତି ଦଳୀୟ ନେତୃବୃନ୍ଦ। ଦଳୀୟ ନେତୃବୃନ୍ଦଙ୍କ ପ୍ରତିନିଧି ଭାବେ ବର୍ତ୍ତମାନ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୋଟିଏ ନୟନ ହୋଇଥିବା ବେଳେ ବରି‌ଷ୍ଠ ପ୍ରଶାସକମାନେ ତାଙ୍କର ଅନ୍ୟ ନୟନ ଭଳି କାର୍ଯ୍ୟ କରୁଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ନୟନ ଭାବେ ପ୍ରଶାସକଙ୍କ ପକ୍ଷରୁ ୫ଟି ସଚିବ ଶ୍ରୀଯୁକ୍ତ ପାଣ୍ଡିଆନ୍ ‌କାର୍ଯ୍ୟ କରୁଥିବା ବେଳେ ବିଜେଡିର ସଂଗଠନ ସଂପାଦକ ବବି ଦାସ ଦଳୀୟ ନେତୃବୃନ୍ଦଙ୍କ ପ୍ରତିନିଧି ଭାବେ ଦ୍ବିତୀୟ ନୟନର କାର୍ଯ୍ୟ କରୁଛନ୍ତି। ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଦଳର ଭଲମନ୍ଦ ବୁଝୁଛନ୍ତି। କିନ୍ତୁ ପୁରୁଣା କାଳର ରାଜା ମହାରାଜାମାନଙ୍କ ଭଳି ବର୍ତ୍ତମାନର ଶାସକମାନଙ୍କର ବି ତୃତୀୟ ନୟନର ଆବଶ୍ୟକତା ରହିଛି। ରାଜା ମହାରାଜାମାନେ ନିଜ ରାଜ୍ୟର ସ୍ଥିତି ଜାଣିବା ପାଇଁ ଛଦ୍ମବେଶରେ ଅନ୍ଧାରୀ ବିଜେ କରୁଥିଲେ। ତେଣୁ ବର୍ତ୍ତମାନ ସମୟରେ ଗଣମାଧ୍ୟମକୁ ଶାସକମାନଙ୍କ ତୃତୀୟ ନୟନ ଭଳି କାର୍ଯ୍ୟ କରିବାକୁ ପଡିବ। ଆମ ପରଂପରାରେ ଶିବଙ୍କର ତୃତୀୟ ନୟନ ରହିଛି ବୋଲି ବିଶ୍ବାସ କରାଯାଏ। ତେଣୁ ସାମ୍ବାଦିକମାନଙ୍କୁ ଶିବଙ୍କ ଭଳି ହେବାକୁ ପଡିବ। ଶିବଙ୍କ ଅନ୍ୟନାମ ଗୁଡିକ ହେଉଛି ଆଶୁତୋଷ ଏବଂ କୃତୀବାସ। ସାମ୍ବାଦିକମାନ‌େ ଶିବଙ୍କ ଭଳି ଅଳ୍ପକେ ସନ୍ତୁଷ୍ଟ ରହି ସର୍ବଦା ସତର୍କ ରହିଲେ, ଅବକ୍ଷୟ-ଆକ୍ରାନ୍ତ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିବେ। ଏହି ଅବସରରେ ପ୍ରଜାତନ୍ତ୍ରର ପ୍ରତିଷ୍ଠାତା ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆରମ୍ଭ କାଳରେ ‘ପ୍ରଜାତନ୍ତ୍ର ଓ ‘ସମ୍ବାଦ ମଧ୍ୟରେ ସଉତୁଣୀ ଭଳି ସଂପର୍କ ରହିଥିଲା। ସମ୍ବାଦପତ୍ରର ସଂଜ୍ଞାକୁ ନେଇ ଡକ୍ଟର ମହତାବଙ୍କ ସହ ମତପ୍ରାର୍ଥକ୍ୟ ଥିଲା। ଡକ୍ଟର ମହତାବ କହୁଥିଲେ ଯେ ସମ୍ବାଦପତ୍ର ଏକ ଶିଳ୍ପ ନୁହେଁ। ସାମ୍ବାଦିକତା ହେଉଛି ଏକ ସେବାମୂଳକ ବୃତ୍ତି। କିନ୍ତୁ ଆମେ ସମ୍ବାଦପତ୍ରକୁ ଶିଳ୍ପ ଭାବେ ଗ୍ରହଣ କରୁଥିଲୁ। କିନ୍ତୁ ଆଜି ମୁଁ ମୋ ମତ ବଦଳାଇ ଡକ୍ଟର ମହତାବଙ୍କ ମତକୁ ଶ୍ରଦ୍ଧା ଆଉ ସମ୍ମାନର ସହ ଗ୍ରହଣ କରୁଛି। ବାସ୍ତବିକ ସାମ୍ବାଦିକତା ହେଉଛି ଭିନ୍ନ ଏକ ବୃତ୍ତି। ଯେତେ‌ବେଳେ ଅନ୍ୟ ସମସ୍ତେ ଶୋଇ ଯାଆନ୍ତି, ‌ସେତେବେଳେ ସାମ୍ବାଦିକଙ୍କୁ ଚେଇଁ ରହିବାକୁ ହୁଏ। ସମ୍ବାଦପତ୍ରକୁ ଏବେ ବାଛିବାକୁ ପଡିବ ଯେ ତାହା ପାଠକଙ୍କ ପାଇଁ ହେବା ଆବଶ୍ୟକ ନା ବିଜ୍ଞାପନଦାତାଙ୍କ ପାଇଁ? ସମ୍ବାଦପତ୍ର ପାଇଁ ପାଠକ ହେଉଛନ୍ତି ଭଗବାନ ସଦୃଶ। ପାଠକୀୟ ଶ୍ରଦ୍ଧା, ସ୍ବୀକୃତି ସମ୍ବାଦପତ୍ରର ଶ୍ରେଷ୍ଠ ପୁଞ୍ଜି। ଗ୍ରାହକ ଓ ପାଠକମାନେ ମଧ୍ୟ ସମ୍ବାଦପତ୍ରର ସମସ୍ୟାକୁ ହୃଦୟଙ୍ଗମ କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମାରୋହରେ ଅଧ୍ୟକ୍ଷତା କରି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଥିଲେ ଯେ ସମାଜରେ ଯାହା ଘଟୁଛି, ତାହାର ପ୍ରକୃତ ଚିତ୍ର, ନିରପେକ୍ଷ ଓ ସତ୍ୟ ସମ୍ବାଦ ହିଁ ଗଣମାଧ୍ୟମରେ ପ୍ରତିଫଳିତ ହେବା ଉଚିତ। ସମାରୋହର ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ-ସଂପାଦକ ଏ. ସୂର୍ଯ୍ୟପ୍ରକାଶ କହିଥିଲେ ଯେ ଭାରତରେ ବିବିଧତା ମଧ୍ୟରେ ଏକତା, ଅଖଣ୍ଡତା ଓ ଗଣତନ୍ତ୍ର ପ୍ରତି ସମ୍ମାନ ବିଶ୍ବରେ ଅନ୍ୟ କେଉଁ ରାଷ୍ଟ୍ରରେ ଦେଖାଯାଏ ନାହିଁ। ଏହା ସତ୍ତ୍ବେ ବାକ୍‌ ସ୍ବାଧୀନତା ନାମରେ ସାମାଜିକ ଗଣମାଧ୍ୟମରେ ବ୍ୟବସ୍ଥାପକ ଓ ନ୍ୟାୟିକ ବ୍ୟବସ୍ଥାକୁ ସମ‌ାଲୋଚନା କରିବା, ଅପଶବ୍ଦ ବ୍ୟବହାର ହେଉଥିବା ନେଇ ସୂ‌ର୍ଯ୍ୟପ୍ରକାଶ କ୍ଷୋଭ ପ୍ରକାଶ କରିଥିଲେ।

ପ୍ରାରମ୍ଭିକ ସୂଚନା ଦେଇ ପ୍ରଜାତନ୍ତ୍ରର ସଂପାଦକ ତଥା କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଗଣତନ୍ତ୍ରରେ ଦଳୀୟ ରାଜନୀତି ପାଇଁ ଜନ ପ୍ରତିନିଧିଙ୍କ ଭିନ୍ନ ମତକୁ ସମ୍ମାନ ଓ ସ୍ବୀକୃତି ଦିଆଯାଉ ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏଥିପାଇଁ ଆଇନ ପ୍ରଣୟନ କରୁଥିବା ସଂସଦୀୟ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି। ଗୃହର ଅଧିକାଂଶ ସଭ୍ୟ ବଦଳି, ପୋଷ୍ଟିଂ, ନିଯୁକ୍ତି, ଠିକାଦାରି, ଦେବାନେବା ଭଳି କାର୍ଯ୍ୟରେ ସଂପୃକ୍ତ ରହୁଥିବା ଦେଖାଯାଉଛି ବୋଲି ଶ୍ରୀ ମହତାବ କହିଥିଲେ।

ସମ୍ବନ୍ଧିତ ଖବର