ଭର୍ତ୍ତୃହରିଙ୍କୁ ଦଳ କାହିଁକି ଗୁରୁତ୍ବ ଦେଉନି, ତାହା ଆଶ୍ଚର୍ଯ୍ୟ କରୁଛି: ଧର୍ମେନ୍ଦ୍ର

ପ୍ରଜାତନ୍ତ୍ରର ବିଷୁବ ମିଳନ ଉଦ୍‌ଘାଟିତ

କଟକ : ‘ସାରାଦେଶରେ ନଭେମ୍ବର ୨୬ ତାରିଖକୁ ଏବେ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ଏହି ନିଷ୍ପତ୍ତି ପଛରେ ସାଂସଦ ଭର୍ତ୍ତୃହରି ମହତାବଙ୍କର ପ୍ରମୁଖ ଭୂମିକା ରହିଛି। କିନ୍ତୁ ଦଳ (ବିଜେଡି) କ’ଣ ପାଇଁ ତାଙ୍କୁ ଏବେ ଗୁରୁତ୍ବ ଦେଉନି, ତାହା ମୋତେ ଆଶ୍ଚର୍ଯ୍ୟ କରୁଛି।’ ପ୍ରଜାତନ୍ତ୍ର ପରିସର ବିଷୁବ ମଣ୍ଡପରେ ଆଜି ସଂଧ୍ୟାରେ ଆୟୋଜିତ ୭୨ତମ ବିଷୁବ ମିଳନ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏଭଳି ବକ୍ତବ୍ୟ ଏବେ ରାଜ‌ନୈତିକ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ହୋଇଛି। ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନ ତଳେ ଉନ୍ମୋଚନ କରିବା ଅବସରରେ ଭର୍ତ୍ତୃହରିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେହି କାର୍ଯ୍ୟକ୍ରମରେ ବି ଅନ୍ୟତମ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏଭଳି ପରକୁ ପର ପ୍ରଶଂସା କରିବା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଆଜି ପ୍ରଖ୍ୟାତ ସାହିତ୍ୟିକ ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩ ଦିନିଆ ବିଷୁବ ମିଳନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ସହିତ ବିଷୁବ ମିଳନ ଭଳି କାର୍ଯ୍ୟକ୍ରମ ଆମକୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରୁଛି ବୋଲି କହିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶାର ଇତିହାସ ବେଶ୍ ସମୃଦ୍ଧ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ତାର ପ୍ରତିଷ୍ଠାର ଶହେ ବର୍ଷ ପୂର୍ତ୍ତି ୨୦୩୬ରେ ପାଳନ କରିବ। ଆମ ରାଜ୍ୟର ସାରସ୍ବତ ସାଧକ ମାନଙ୍କର କୃତିକୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରିବାକୁ ଶ୍ରୀ ପ୍ରଧାନ ଆହ୍ବାନ ଦେବା ସହିତ ଓଡ଼ିଆ ସାହିତ୍ୟ କୃତିକୁ ଅଧିକରୁ ଅଧିକ ଅନ୍ୟ ଭାଷାରେ ଅନୁବାଦ କରାଯିବା ଉପରେ ଗୁରୁତ୍ବ ଦେଇଥିଲେ। ଡକ୍ଟର ପ୍ରତିଭା ରାୟଙ୍କୁ ‘ଯାଜ୍ଞସେନୀ’ ପାଇଁ ଯେଉଁ ସମ୍ମାନ ମିଳିଛି ତାହା ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ଗୌରବ ଆଣି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଦେଶରେ କରୋନା ଟିକା ଅଭାବ ସଂପର୍କିତ ଡକ୍ଟର ପ୍ରତିଭା ରାୟଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଥିଲେ ଯେ ୧୦ କୋଟି ଟିକା ଦେବା ପାଇଁ ଚୀନ ୧୦୩ ଦିନ ନେଇଥିବା ବେଳେ ଆମେରିକା ୮୯ ଦିନ ସମୟ ନେଇଥିଲା। କିନ୍ତୁ ଭାରତରେ ୮୫ ଦିନରେ ୧୦ କୋଟି ଟିକା ଦିଆଯାଇ ପାରିଛି। ଦେଶରେ କରୋନା ଟିକାର ଆଗକୁ କୌଣସି ଅଭାବ ରହିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ବରଂଜନ କହିଥିଲେ ଯେ ସାହିତ୍ୟ ମିଳନର କଥା କୁହେ। ଏହା ବ୍ୟକ୍ତିକୁ ବ୍ୟକ୍ତି ସହିତ, ଇତିହାସକୁ ବର୍ତ୍ତମାନ ସହିତ, ପ୍ରବୀଣଙ୍କୁ ନବୀନ ସହିତ ଯୋଡ଼ିଥାଏ।

ଡକ୍ଟର ପ୍ରତିଭା ରାୟ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଓଡ଼ିଆ ଜାତିର ମାର୍ଗଦର୍ଶକ ଭାବେ ବର୍ଣ୍ଣନା କରିଥିଲେ। ଡକ୍ଟର ମହତାବ ଏକାଧାରରେ ଜଣେ ରାଜନୈତିକ, ସାହିତ୍ୟିକ, ସଂପାଦକ ଓ ସଂସ୍କୃତିସଂପନ୍ନ ବ୍ୟକ୍ତି ଥିଲେ। ଡକ୍ଟର ମହତାବ ତରୁଣ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବା ସହିତ ଆଗକୁ ବଢିବାର ପ୍ରେରଣା ଦେଉଥିଲେ ବୋଲି ଡକ୍ଟର ରାୟ କହିଥିଲେ।

ପ୍ରଜାତନ୍ତ୍ର ପ୍ରଚାର ସମିତିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବ ବିବରଣୀ ପାଠ କରିଥିବା ବେଳେ ଝଙ୍କାରର ସଂପାଦକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା ଝଙ୍କାରର ଅନ୍ୟତମ ସଂପାଦକ ତରୁଣ କୁମାର ସାହୁ। ଏହି ଅବସରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦ କରିଥିବା ଶଙ୍କରଲାଲ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର