କଟକ : କଟକ ଜିଲ୍ଲାର ଆଠଗଡ଼ରେ ଉଦ୍ଧାର ହୋଇ ଜଙ୍ଗଲରେ ଛଡ଼ାଯାଇଥିବା ବଜ୍ରକାପ୍ତାକୁ ନେଇ ଟୁଇଟ୍ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର। ତାଙ୍କ ଟୁଇଟ୍ରେ ସେ ଗଣମାଧ୍ୟମରେ ପ୍ରକାଶିତ ଆଠଗଡ଼ର ପୂର୍ବତନ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କ ସୂଚନା ସଂପର୍କିତ ପୋଷ୍ଟକୁ ଟୁଇଟ୍ କରିବା ସହିତ ବନବିଭାଗ ଅଧିକାରୀଙ୍କୁ ପ୍ରଂଶସା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକର ନିଜ ଟୁଇଟ୍ରେ ମାଫିଆଙ୍କ କବଳରୁ ଛୋଟ ବଜ୍ରକାପ୍ତାକୁ ଉଦ୍ଧାର ଜଙ୍ଗଲରେ ଛାଡ଼ି ଦିଆଯିବା ଘଟଣାର ପ୍ରଶଂସା କରିଥିଲେ। ଏଥିସହିତ ସେ ଉଲ୍ଲେଖ କରିଥିଲେ ଯେ, ବଜ୍ରକାପ୍ତା ଭଳି ଏକ ବିରଳ ସ୍ତନ୍ୟପ୍ରାୟୀକୁ ସାରାବିଶ୍ବରେ ଏହାର କାତି ପାଇଁ ବ୍ୟାପକଭାବେ ଚେରାଚାଲାଣ କରାଯାଉଛି। ସେମାନଙ୍କ କାତି ସବୁ ଚାଇନିଜ୍ ମେଡିସିନ୍ରେ ବ୍ୟବହାର କରାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଆଠଗଡ଼ ବନଖଣ୍ଡ ପକ୍ଷରୁ ତତ୍କାଳୀନ ଡିଏଫ୍ଓଙ୍କ ଉଦ୍ୟମରେ କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନାୟାଗଡ଼ ତଥା ବିଭିନ୍ନ ଜିଲ୍ଲାର ୩୦ଜଣ ମାଫିଆ ଓ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଏବେ ବି ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ୫୦ରୁ ଅଧିକ ଫେରାର ରହିଛନ୍ତି। ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍ର ବିଦେଶ ଲିଙ୍କ ଓ ବାହାର ରାଜ୍ୟ ସହିତ ରହିଥିବା ଲିଙ୍କ୍ର ତଦନ୍ତ କରିବା ପାଇଁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍ (ୱାଇଲଡ ଲାଇଫ୍) ହରିଶଙ୍କର ଉପାଧ୍ୟାୟ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍କୁ ଚିଠି ଲେଖିଛନ୍ତି। ପୂର୍ବରୁ ଏସ୍ଟିଏଫ୍ର ଦୁଇ ଜଣିଆ ଟିମ୍ ଓ ଡବ୍ଲୁସିସିବିର ଦୁଇଜଣିଆ ଟିମ୍ ଆଠଗଡ଼ରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bajrakapta.jpg)