କଟକ ଲୋକସଭା ଆସନରେ ପୁଣି ଜଣେ ଆଇପିଏସ୍‌

ପ୍ରଥମ ଲଢେଇରେ ବିଜୁଙ୍କ ଠାରୁ ହାରିଥିଲେ ଅନାଦି, ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘଦିନରୁ ସଂପର୍କରେ ଥିଲି: ପ୍ରକାଶ

କଟକ : ରାଜ୍ୟ ପୁଲିସ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାରେ ଶ୍ରୀ ମିଶ୍ର ହେଉଛନ୍ତି ଦ୍ବିତୀୟ ଆଇପିଏସ ଅଫିସର।

୧୯୯୬ ସାଧାରଣ ନିର୍ବାଚନରେ ପ୍ରଥମ ବରିଷ୍ଠ ଆଇପିଏସ ଅଫିସର ଭାବେ ଅନାଦି ସାହୁ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପୁଲିସ ବିଭାଗର ଆଇଜି ପଦବିରେ କାର୍ଯ୍ୟ କରୁଥିବା ଶ୍ରୀ ସାହୁ ସେହି ବର୍ଷ ଚାକିରିରୁ ଇସ୍ତଫା ଦେଇ କଂଗ୍ରେସ ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହି ନିର୍ବାଚନରେ ଶ୍ରୀ ସାହୁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ବିଜୁ ପଟ୍ଟନାୟକ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

ବିଜୁ ବାବୁ ସେହି ନିର୍ବାଚନରେ ୩ ଲକ୍ଷ ୪୪ ହଜାର ୯୨ ଖଣ୍ଡ ଭୋଟ ପାଇଥିବା ବେଳେ ଅନାଦି ସାହୁ ପାଇଥିଲେ ୨ ଲକ୍ଷ ୮୬ ହଜାର ୮୨୬ ଖଣ୍ଡ ଭୋଟ। ୫୭ ହଜାର ୮୦୭ ଖଣ୍ଡ ଭୋଟରେ ଅନାଦି ସାହୁ ବିଜୁ ବାବୁଙ୍କଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ବିଜୁ ବାବୁ ଆସ୍କା ଲୋକସଭା ଆସନରୁ ବି ବିଜୟୀ ହୋଇଥିବାରୁ କଟକ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ବିଜୁ ବାବୁ ଇସ୍ତଫା ଦେବା ପରେ ପୁଣି କଟକ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଅନାଦି ସାହୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ତାଙ୍କ ବିରୋଧରେ ଜନତା ଦଳର ପ୍ରାର୍ଥୀ ହୋଇଥିଲେ ବର୍ତ୍ତମାନର ସାଂସଦ ଭର୍ତ୍ତୃହରି ମହତାବ। ୧୯୯୬ ଉପନିର୍ବାଚନରେ ଅନାଦି ସାହୁ ୨ ଲକ୍ଷ ୬୯ ହଜାର ୭୭୩ ଖଣ୍ଡ ଭୋଟ ପାଇଥିବା ବେଳେ ଭର୍ତ୍ତୃହରି ପାଇଥିଲେ ୨ ଲକ୍ଷ ୪୨ ହଜାର ୧୬୬ ଖଣ୍ଡ ଭୋଟ। ୨୭ ହଜାର ୬୦୭ ଖଣ୍ଡ ଭୋଟରେ ଭର୍ତ୍ତୃହରିଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନାଦି ସାହୁ।

ଦୀର୍ଘ ୨୩ ବର୍ଷ ପରେ ୨୦୧୯ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ପୁଲିସ ବିଭାଗର ପୂର୍ବତନ ମୁଖ୍ୟ ତଥା ଜଣେ ବରିଷ୍ଠ ଆଇପିଏସ୍ ଅଫିସର ଭାବେ ପ୍ରକାଶ ମିଶ୍ର ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ଏହାର ଫଳାଫଳ କ’ଣ ହେବ, ତାହାକୁ ନେଇ ବିଭିନ୍ନ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି।

ଅନ୍ୟପଟେ କଟକରୁ ବିଜେପି ପ୍ରାର୍ଥୀ ଭାବେ ପ୍ରକାଶଙ୍କ ନାମ ଘୋଷଣା ପରେ ସେ ଆଜି ସିଡିଏ ସ୍ଥିତ ଦଳର କାର୍ଯ୍ୟାଳୟରେ ଉପସ୍ଥିତ ରହି ତାଙ୍କ ପ୍ରାର୍ଥିତ୍ବ ସଂପର୍କରେ ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ ତାଙ୍କର କୌଣସି ରଣନୀତି ନାହିଁ। ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିବା ହେଉଛି ତାଙ୍କର ପ୍ରାଥମିକତା ବୋଲି କହିଛନ୍ତି।

ପ୍ରକାଶ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୀର୍ଘ ଦିନ ଧରି ସଂପର୍କରେ ଥିଲେ। କେବଳ ସବୁଜ ସଙ୍କେତକୁ ଅପେକ୍ଷା କରୁଥିଲେ। ଲୋକେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନ ମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ସେ ଯଦି ନିର୍ବାଚନରେ ବିଜୟୀ ହେବେ ତେବେ ଗଲା ୨୦ ବର୍ଷରେ ଯାହା ନହୋଇଛି, ତାହା ୫ ବର୍ଷ ଭିତରେ କଟକ ପାଇଁ କରି ଦେଖାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର