ଭୁବନେଶ୍ବର: ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ଗତ ସପ୍ତାହରେ ଶ୍ରୀ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ଉନ୍ମୋଚନ ହେବା ପରେ ଶ୍ରୀ ମିଶ୍ର ଚର୍ଚ୍ଚାରେ ଥିଲେ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କର ଏକାଧିକ ଉପଦେଷ୍ଟା ଥିବାବେଳେ ଏଥିରେ ଆଇଏଏସ୍ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନର ବିଜେପି ସରକାରରେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଆଜି ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ମୁଖ୍ୟ ସଚିବଙ୍କୁ ମୁଖ୍ୟ ଆବାସିକ କମିସନର ଭାବେ ଅତିରିକ୍ତ ଦାୟିତ୍ବ
ସୂଚନାଯୋଗ୍ୟ ଯେ ବର୍ତ୍ତମାନର ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର ଗତ ଅଗଷ୍ଟ ମାସରୁ କାର୍ଯ୍ୟକାଳ ଶେଷ ହୋଇଥିଲା। ରାଜ୍ୟ ସରକାର ନୂଆ କମିସନର ନିଯୁକ୍ତି ଦେବାରେ ବିଳମ୍ବ କରିବାରୁ ଶ୍ରୀ ପାଢ଼ୀ ପୂର୍ବଭଳି କାର୍ଯ୍ୟ ଜାରି ରଖିଥିଲେ। ଅପରପକ୍ଷେ ଗତ ୨୪ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଦିଲ୍ଲୀରେ ମୁଖ୍ୟ ଆବାସିକ କମିସନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ମୁଖ୍ୟ ସଚିବଙ୍କ ନିଯୁକ୍ତି ସଂକ୍ରାନ୍ତ ନିର୍ଦ୍ଦେଶନାମା ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ହଟହଟା ହୋଇଛି। ଏଥିରେ ମୁଖ୍ୟ ସଚିବଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ସଂକ୍ରାନ୍ତରେ ଉଲ୍ଲେଖ ରହିଥିଲା। ପରେ ଆଜି ପୁଣି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି ଯେ ଗତ ୨୪ତାରିଖରେ ବାହାରିଥିବା ନିର୍ଦ୍ଦେଶନାମାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପଢ଼ାଯାଉ। ଅର୍ଥାତ୍ ଶ୍ରୀ ଆହୁଜା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/28/XCFjqcriH2EFTbZowd7D.jpg)