ମୋଦି ସକାଳୁ ଚା’ପିଉଛନ୍ତି, କହୁଛନ୍ତି କଫି ଭଲ ଲାଗୁଛି: ପ୍ରକାଶ

ଓଡ଼ିଶା ଜନଚେନତା ମଞ୍ଚର ସମ୍ମିଳନୀ

ଭୁବନେଶ୍ବର : ମୋଦିଜୀଙ୍କ ସକାଳ ଆରମ୍ଭ ହେଉଛି ମିଛରୁ। ମୋଦିଜୀ ସକାଳୁ ଚା’ ପିଉଛନ୍ତି, ହେଲେ କହୁଛନ୍ତି କଫି ଭଲ ଲାଗୁଛି। ‘ୟୁ-ଟର୍ଣ୍ଣ’ର ବିଶେଷଜ୍ଞ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜିଏସ୍‌ଟିକୁ ବିରୋଧ କରୁଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ କହୁଛନ୍ତି ଜିଏସ୍‌ଟି ଭଲ। ନିର୍ବାଚନ ସମୟରେ ତାଙ୍କୁ ଦେଶରେ ଦେଖିବାକୁ ମିଳୁଛି। ନଚେତ୍ ଏନ୍‌ଆରଆଇ ପ୍ରବାସୀ ଭାରତୀୟ ପାଲଟି ଯାଉଛନ୍ତି। ଆଜି ଏଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ଅମିତ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଚ୍ଛଲ୍ୟ କରିଛନ୍ତି ସିନେ ଅଭିନେତା ପ୍ରକାଶ ରାଜ।

ଓଡ଼ିଶା ଜନଚେତନା ମଞ୍ଚ ପକ୍ଷରୁ ଆଜି ଉତ୍କଳ ମଣ୍ଡପରେ ‘ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ’ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଜ କହିଲେ, ମୋଦିଙ୍କୁ ଦେଖିଲେ ବିକ୍ରମ-ବେତାଳ କାହାଣୀ ଭଳି ମନେ ହେଉଛି। ଏକ ପାର୍ଟଟାଇମ୍ ପ୍ରଧାନମନ୍ତ୍ରୀ ଭାବେ ସେ କାମ କରୁଛନ୍ତି। ଅମିତ ଶାହଙ୍କ କୌଣସି ବିଶ୍ବସନୀୟତା ନାହିଁ। ଫେକ୍ ନ୍ୟୁଜ୍‌ର ଜୋରଦାର ପ୍ରଚାର ପ୍ରସାର ହେଉଛି। ସେହିପରି ଯୋଗୀ ଆଦିତ୍ୟନାଥ ହେଉଛନ୍ତି ନାମକରଣ ବିଶେଷଜ୍ଞ। ବିକାଶ ବିଷୟରେ ସେମାନେ କିଛି ଜାଣନ୍ତି ନାହିଁ। ପ୍ରତିଦିନ ସକାଳୁ ଶୋକ ଦିବସ ପାଳନ କରିବାକୁ ପଡ଼ୁଛି। ବିଜେପି ଓ ଆରଏସ୍‌ଏସ୍‌ର ବିଚାରଧାରା ଏଥିପାଇଁ ଦାୟୀ। ସେମାନେ ଦେଶକୁ ଧ୍ବଂସ କରିଦେବାକୁ ବସିଛନ୍ତି। ଦେଶର ସମ୍ବିଧାନକୁ ପରିବର୍ତନ ଓ ଜାଳି ଦେବାକୁ ଚାହୁଛନ୍ତି। ସେମାନଙ୍କ ବିଚରାଧାରା ଭାରତ ପାଇଁ ଠିକ୍ ନୁହେଁ। ଧର୍ମ ହେଉଛି ଜଣେ ବ୍ୟକ୍ତିର ନିଜସ୍ବ। ଧର୍ମ ନାଁରେ ଆମର ଭାବପ୍ରବଣତା ସହିତ ଖେଳି ଚାଲିଛନ୍ତି। ଦେଶବାସୀଙ୍କୁ ସାଫ୍ରନ୍ ଟେରର୍‌ ବା ନାରଙ୍ଗୀ ଆତଙ୍କବାଦକୁ ବୁଝିବାକୁ ପଡ଼ିବ। ଗୁଇନ୍ଦା ରିପୋର୍ଟ କହୁଛି ସନାତନ ସଂସ୍ଥା ଆତଙ୍କ ଚଳାଇବାକୁ ଯୋଜନା କରୁଛି। ସେମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ମିଳୁଛି। ହିନ୍ଦୁ ରାଷ୍ଟ୍ର ନାଁରେ ସେମାନେ ଲୋକମାନଙ୍କୁ ମାରିବାକୁ ପ୍ରସ୍ତୁତ ଅଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ୫ ବର୍ଷ ତଳେ ଦେଶର ନାଗରିକମାନେ ଏକ ଭୁଲ୍ କରିଥିଲେ। ଏହାର ଅର୍ଥ ନୁହେଁ ଯେ ଦେଶବାସୀ ଏହି ଭୁଲ୍‌ରେ ସୁଧାର ଆଣି ପାରିବେନି। ସୁଶାସନ ପାଇଁ ଲୋକମାନେ ବିଜେପିକୁ ଭୋଟ ଦେଇଥିଲେ। ହେଲେ ଯୁବପିଢ଼ିଙ୍କୁ ଚାକିରି, ଚାଷୀଙ୍କ ସମସ୍ୟା, ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବା ପରିବର୍ତ୍ତେ ଧର୍ମ ନାଁରେ ଲୋକଙ୍କୁ ଭାଗ ଭାଗ କରିବାରେ ଲାଗିଛନ୍ତି। କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ସଂପୂର୍ଣ୍ଣ ରାଜ୍ୟ ଏକତ୍ର ହୋଇଯାଇଥିଲା। ହେଲେ ସାବରିମାଳା ମନ୍ଦିର ଘଟଣାରେ ବିଜେପି ରାଜ୍ୟକୁ ଭାଗ ଭାଗ କରିବାକୁ ଯୋଜନା କରୁଛି। ସ୍ଥାନୀୟ ବିଜେପି ନେତା ଏହାକୁ ରାଜନୀତି କରିବାର ଏକ ବଡ଼ ସୁଯୋଗ ବୋଲି କହୁଛନ୍ତି। ତେଣୁ ଯେତେବେଳେ ବି ଏଭଳି ଫାଶୀବାଦ ଓ ଏକଛତ୍ରବାଦ ଶାସନ ଆରମ୍ଭ ହୋଇଛି, ଲୋକମାନେ ଏକାଠି ହୋଇ ଏହାକୁ ବିରୋଧ କରିଛନ୍ତି। ତେଣୁ ଆଉ ୨/୩ ମାସ ରହିଲା। ଏହାପରେ ଆମେ ଆଉ ସେମାନଙ୍କ ବିଷୟରେ ଆଲୋଚନା କରିବା ନାହିଁ। ଶାସକ ଦଳ ଉପରେ ଚାପ ପ୍ରଯୋଗ ନ କଲେ ସେମାନେ ଆମକୁ ଏଭଳି ଭୁଆଁ ବୁଲାଇ ଚାଲିଥିଲେ। ମୁଁ କୌଣସି ନିଜସ୍ବ ଏଜେଣ୍ଡା ନେଇ ଦେଶ ସାରା ବୁଲୁନାହିଁ। ଲୋକମାନଙ୍କ କଥା କହିବାକୁ ଚାହୁଁଛି ବୋଲି ଶ୍ରୀ ରାଜ କହିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ସମ୍ବିଧାନକୁ ସମ୍ମାନ ନ ଦେଇ ସୁସ୍ଥ ଗଣତନ୍ତ୍ର ପରମ୍ପରା ସୃଷ୍ଟି ହୋଇପାରିବ ନାହିଁ। ସ୍ବାଧୀନତା ପରେ ଦେଶର ପ୍ରଥମ ସନ୍ତ୍ରାସବାଦୀ ଯିଏକି ଗାନ୍ଧୀଙ୍କୁ ହତ୍ୟା କରିଥିଲା ତା’ର ମନ୍ଦିର କରିବାକୁ କିଛି ଲୋକ ଚାହୁଛନ୍ତି। ସେହିପରି ରାଜ୍ୟର ସମସ୍ୟା ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଲକ୍ଷାଧିକ ବେକାର ଅଛନ୍ତି। ଅନେକ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ସୁରକ୍ଷାକର୍ମୀଙ୍କଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ଚାକିରି କରୁଛନ୍ତି। ହେଲେ ରାଜ୍ୟ ସରକାର ‘ପିଠା’ ପ୍ରତିଯୋଗିତା କରୁଛନ୍ତି। ମହିଳା ସଂରକ୍ଷଣ ନାଁରେ ଭୋଟ ହାତେଇବାକୁ ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ।

ମଞ୍ଚର ଆବାହକ ଜନାର୍ଦ୍ଦନ ପତି କହିଲେ, ବିଜେପି ଓ ଆରଏସ୍‌ଏସ୍‌ ଦେଶର ସମ୍ବିଧାନକୁ ଧ୍ବଂସ କରିବାକୁ ବସିଛନ୍ତି। ସ୍ବାଧୀନତା ପରେ ବି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟର ରାଜ୍ୟପାଳ ପର୍ଯ୍ୟନ୍ତ ଶହ ଶହ ଆରଏସ୍‌ଏସ୍ କର୍ମୀ ଭାରତର ଶାସନ ଗାଦିରେ ବସିଛନ୍ତି। ଯାହାକି ଦେଶ ପାଇଁ ବିପଦ। ଏହି ସାଂପ୍ରଦାୟିକ ଶକ୍ତିମାନଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ପଡ଼ିବ ବୋଲି ଶ୍ରୀ ପତି ଆହ୍ବାନ ଦେଇଥିଲେ। ଏହି ଅବସରରେ ଶ୍ରୀ ପତିଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଅଯୋଧ୍ୟା’ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ସ୍ବାଧୀନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସକ ଅଶ୍ବିନୀ ମିଶ୍ର, ପ୍ରଫେସର ବିଜୟ ବହିଦାର, ମନୋରଂଜନ ମହାନ୍ତି, ସିପିଆଇଏମ୍‌ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର ଆଶିଷ କାନୁନ୍‌ଗୋ, ଉର୍ମିମାଳା ଦାସ, ସୁରେଶ ପାଣିଗ୍ରାହୀ, ସମାଜବାଦୀ ପାର୍ଟିର ରବି ବେହେରା, ଆରପିଆଇର ଶେଖ ଅବଦୁଲ ୱାଲି, ମକସୁଦ ଅଲ୍ଲୀ ଓ ସାରଦା ପ୍ରସନ୍ନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅମିୟ ପାଣ୍ଡବ, ରାଧାକାନ୍ତ ସେଠୀ, ପ୍ରଦୀପ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର