ମୋତେ ଯେତେ ଭାଙ୍ଗିଲେ ବି ମୁଁ ହାର ମାନିବିନି, ମୁଁ ଅଟକିବିନି: ପ୍ରକୃତି ମିଶ୍ର

ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କଲେ ଅଭିନେତ୍ରୀ ପ୍ରକୃତି

ଭୁବନେଶ୍ବର: ଅଭିନେତା ବାବୁସାନ୍‌, ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ପ୍ରକୃତି ମିଶ୍ର ବିବାଦ ମାମଲାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁହଁ ଖୋଲିଛନ୍ତି। ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ପ୍ରକୃତି କହିଛନ୍ତି,  ମୋ ପ୍ରତି ହୋଇଥିବା ସମସ୍ତ ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରୁଛି । ମୋତେ ୮ ଜଣ ଗୁଣ୍ଡା ଆସି ଟଣା ଓଟରା କଲେ। ଜଣେ ନାରୀ ହୋଇ ବିନା କଥାବାର୍ତ୍ତାରେ ମୋର ସର୍ଟ ଭିଡ଼ାଭିଡି କଲେ ଓ ନିର୍ଯ୍ୟାତନା ଦେଲେ। ଘଟଣାସ୍ଥଳରେ ଲୋକେ ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ଚୁଟି ଟାଣିବା ସମୟରେ ‌ସେଲ୍‌ଫି ନେଉଥିଲେ। ଆମେ ଏଭଳି ଏକ ସମାଜରେ ବାସ କରୁଛେ। ସେ ସମାଜର ଝିଅମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେତେବେଳ ବି ଆପଣଙ୍କ ସହ ଏଭଳି କିଛି ଘଟଣା ଘଟେ ତେବେ ଦୟାକରି ମୋତେ ଫୋନ କରିବେ । କେହି ଛିଡା ହୁଅନ୍ତୁ କି ନାହିଁ ମୁଁ ଆପଣଙ୍କ ସହ ଛିଡା ହେବି ଦୃଢତାର ସହ । ତା ସହ ତୃପ୍ତି ଏବଂ ତାଙ୍କ ବାପାଙ୍କ ଉପରେ ମଧ୍ୟ ସେ ଅଭିଯୋଗ କରିଛନ୍ତି । ଯେଉଁଭଳି ମୋ ସହ ବ୍ୟବହାର କରାଗଲା ତାହା ସମାଜ ପାଇଁ ଗୋଟିଏ ଉଦାହରଣ ।

ଏକ ବଡ଼ ପ୍ରୋଜେକ୍ଟକୁ ନେଇ ଆମେ ଦୁଇ ଜଣ (ବାବୁସାନ୍‌ଙ୍କ ସହ) କାମ କରୁଥିଲୁ। ଏବେ କିନ୍ତୁ ସେହି ପ୍ରୋଜେକ୍ଟକୁ ମୁଁ ବନ୍ଦ କରୁଛି।

ନିଜ ବିରୋଧରେ ଥିବା ଅଭିଯୋଗ ନେଇ ପ୍ରକୃତି କହିଛନ୍ତି, ଯେଉଁ ଘର ପୂର୍ବରୁ ଭାଙ୍ଗି ସାରିଛି ତାକୁ ମୁଁ କଣ ଭାଙ୍ଗିବି । ଆକ୍ରମଣ କରିଥିବା ବ୍ୟକ୍ତି କେଉଁ ଘରୁ ଆସନ୍ତି ତାହା ଜଣାପଡିଗଲ।। ଜଣେ ନାରୀ ଆଉ ଜଣଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ଶେଷରେ ସେ କହିଛନ୍ତି ମୋତେ ରିଲ ଲାଇଫରୁ ରିଅଲ ଲାଇଫ ହିରୋଇନ କରିଥିବାରୁ ଧନ୍ୟବାଦ ।

ପ୍ରକୃତି କହିଛନ୍ତି ଯେ, ଯାହା ବି ହେଲା ଭଲ ହେଲା, ସମସ୍ତେ ଜାଣିଲେ ସେ କ’ଣ ଓ ମୁଁ କ’ଣ। ତୃପ୍ତିଙ୍କୁ ଟାର୍ଗେଟ କରି ପ୍ରକୃତି କହିଛନ୍ତି ଯେ, ଯଦି ଚାହୁଁଛ ତୁମ ସ୍ବାମୀ ବାହାରକୁ ନଯାଆନ୍ତୁ, ଶିକୁଳି ବାନ୍ଧି ରଖ। ଅନ୍ୟ ଝିଅକୁ ଯାଇ ଟଣା ଓଟରା କରି ରାସ୍ତାରେ ଅପଦସ୍ତ ହେଲ। ମୋ ଆଭିମୁଖ୍ୟ ‌କ’ଣ କେହି ବି ପଚାରି ନାହାନ୍ତି। ତାଙ୍କୁ ନେଇ ମୋର କୌଣସି ଅଭିଯୋଗ ନାହିଁ। ତାଙ୍କ ବ୍ୟବହାର ପାଇଁ ଯାହା ବି ହେବା କଥା ଆଇନ ଅନୁସାରେ ହେବ। ମୋତେ ଯେତେ ଭାଙ୍ଗିଲେ ବି ମୁଁ ହାର ମାନିବି ନାହିଁ। ମୁଁ ଅଟକିବିନି। ଆହୁରି ଆଗକୁ ବଢ଼ି ଚାଲିବି।

ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପ୍ରକୃତି କହିଛନ୍ତି ଯେ, ମୁଁ ଲିଭ୍‌ ଇନ୍‌ର ରୁହେନି। ମୁଁ ମୁମ୍ବାଇରେ ରୁହେ। ବାବୁସାନ୍‌ଙ୍କ ସହ ମୁଁ କାହିଁକି ଲିଭ୍‌ଇନ୍‌ରେ ରହିବି? ବାବୁସାନ ହେଉଛନ୍ତି ମୋର ଜଣେ ଭଲ ସାଙ୍ଗ। ତାଙ୍କର ପତ୍ନୀ ଫିଲ୍ମ ବିଷୟରେ କିଛି ଜାଣନ୍ତିନାହିଁ। ବାବୁସାନ୍‌ ମୋତେ ଏକଥା କହିଥିଲେ।

ସମ୍ବନ୍ଧିତ ଖବର