କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର: ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ନିଜର ଇସ୍ତଫା ପତ୍ରରେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରିଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସ ଦଳରେ ରହିଆସିଥିଲେ। ଗତ ବିଧାନସଭା ନିର୍ବାଚନରେ ପ୍ରକାଶ ବେହେରା ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିଲେ।

ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ ବୋଲି ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ଏଥିସହ ସେ ଲେଖିଛନ୍ତି କି ୨୦ ବର୍ଷ ଧରି  ସେ କଂଗ୍ରେସ ପାଇଁ କାମ କରିଛନ୍ତି । କିନ୍ତୁ ଦଳ ତାଙ୍କୁ ଅବହେଳା କରିଛି। ସେଥିପାଇଁ ଦୁଃଖର ସହିତ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପିରେ ଯୋଗ ଦେଇପାରନ୍ତି। ବିଜେପି ସହ ପ୍ରକାଶ ଯୋଗାଯୋଗରେ ଥିବା ଖବର ମିଳିଛି ।

ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା । ପ୍ରକାଶ ମଧ୍ୟ ଏହାକୁ ସିଧାସଳଖ ଖଣ୍ଡନ କରିନଥିଲେ ମଧ୍ୟ ଏନେଇ ସ୍ପଷ୍ଟ ସଂକେତ ମଧ୍ୟ ଦେଇ ନ ଥିଲେ । ଏପରିକି ବିଭିନ୍ନ ସମୟରେ ନବୀନଙ୍କ ଫଟୋ ସହ ପ୍ରକାଶଙ୍କର ଫଟୋ ଥିବା ହୋର୍ଡିଂ ଓ ବ୍ୟାନର ସାଲେପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହାଛଡା ପ୍ରକାଶ ମଧ୍ୟ ବିନା ଦଳୀୟ ଚିହ୍ନରେ ଏକ ବଡ ରାଲି କରିଥିବାର ଦେଖିବାକୁ ମିଳିଥିଲା । ଯାହା ପ୍ରକାଶଙ୍କ ବିଜେଡିକୁ ଆସିବା ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ଏଭଳି ପୂର୍ବାନୁମାନ ଏବେ ଭୁଲ ହେବାକୁ ଯାଉଛି । ପ୍ରକାଶ ସବୁଜ ଗଡରେ ଏଣ୍ଟ୍ରି କରିବା ବଦଳରେ ଗେରୁଆ ରଙ୍ଗରେ ନିଜକୁ ରଙ୍ଗିନ କରିବାକୁ ଅଣ୍ଟା ଭିଡିଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର