ଝାରସୁଗୁଡ଼ା: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଅର୍ପଣ ରଥ ବୁଲିଥିଲା। କେଉଁଠି ୪ ଦିନ ତ ଆଉ କେଉଁଠି ୭ ଦିନ ଲେଖାଏଁ ରଥ ବୁଲିଲା। ଝାରସୁଗୁଡ଼ା ଜିଲ୍ଲାର ୩ଟି ମ୍ୟୁନିସିପାଲିଟି ଓ ୫ଟି ବ୍ଲକରେ ଅର୍ପଣ ରଥ ବୁଲିବା ବାବଦରେ ଖର୍ଚ୍ଚ େହାଇଛି ପ୍ରାୟ ୩ କୋଟି ଟଙ୍କା। ବିଲ୍‌ ବି ହୋଇଛି। େହଲେ ବିନ‌ା ଟେଣ୍ଡରରେ ସମସ୍ତ କାମ କରାଯାଇଥିବାରୁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ହିସାବ କାହା ପାଖରେ ନାହିଁ। ଏହି କାରଣରୁ ବିଲ୍‌ ପାସ୍‌ ହୋଇପାରୁନାହିଁ। ଏସବୁ କାମ କରିଥିବା ଲୋକେ ସମ୍ପୃକ୍ତ ବ୍ଲକ ଓ ମ୍ୟୁନିସିପାଲିଟି ଅଫିସ୍‌କୁ ଧାଇଁ ନୟାନ୍ତ ହେଲେଣି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲ୍ଲପାଳ ଅବୋଲୀ ସୁନୀଲ ନରୱଣେଙ୍କୁ ପଚାରିବାରେ, ସେ କହିଥିଲେ, ସେବେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପାଣ୍ଠିରୁ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଆସିଥିଲା। ଯଦି କେଉଁଠି ଏଯାଏ କାମ କରିଥିବା ଲୋକଙ୍କୁ ସେମାନଙ୍କ ପାଉଣା ମିଳିନି, ତାହା ସେ ବୁଝିବେ।
ଝାରସୁଗୁଡ଼ା ଜିଲ୍ଲାରେ ଅର୍ପଣ ରଥ ୭ ଦିନ ବୁଲିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ସମୟରେ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ୨୪ଟି ୱାର୍ଡ, ବ୍ରଜରାଜନଗର ମ୍ୟୁନିସିପାଲିଟିର ୨୩ଟି ୱାର୍ଡ ଓ ବେଲପାହାଡ଼ ମ୍ୟୁନିସିପାଲିଟିର ୧୧ଟି ୱାର୍ଡ ସମେତ ଝାରସୁଗୁଡ଼ା, କିର୍ମିରା, କୋଲାବିରା, ଲଇକେରା ଓ ଲଖନପୁର ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଅର୍ପଣ ରଥ ପରିକ୍ରମାଠାରୁ ଆରମ୍ଭ କରି ପ୍ରସାଦ ବଣ୍ଟନ, ପ୍ରତି ୱାର୍ଡରେ ସଂକୀର୍ତ୍ତନ, ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣର ସିଧା ପ୍ରସାରଣ, ଏଠାରୁ ପୁରୀ ନେଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବା ଭଳି କାର୍ଯ୍ୟକ୍ରମ ହୋଇଥିଲା।

Advertisment

ଏଥିପାଇଁ ସହରାଞ୍ଚଳର ପ୍ରତି ୱାର୍ଡରେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିବା ନେଇ ଗାଇଡ୍‌ଲାଇନ୍‌ ଆସିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ନିୟମ ଲାଗୁ ହୋଇଥିଲା। ଜିଲ୍ଲାବ୍ୟାପୀ ତିଆରି ହୋଇଥିବା ୨୦ଟି ରଥ ପାଇଁ ବିନା ଟେଣ୍ଡରରେ ଗାଡ଼ି ଲାଗିଥିଲା। ବାଜା, ସଙ୍କୀର୍ତ୍ତନ ଦଳ ଚୟନ କ୍ଷେତ୍ରରେ ମଧ୍ୟ କୌଣସି ସରକାରୀ ନିୟମର ଅନୁପାଳନ ହୋଇନଥିଲା। ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ଏହି କାର୍ଯ୍ୟକ୍ରମ ବାବଦରେ ୩୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍‌ ହୋଇଛି। ବ୍ରଜରାଜନଗର ଓ ବେଲପାହାଡ଼ ମ୍ୟୁନିସିପାଲିଟିରେ ପ୍ରାୟ ୨୦ ଲକ୍ଷ ଟଙ୍କା ଲେଖାଏ ବିଲ୍‌ କରାଯାଇଛି। ସେହିଭଳି ଗ୍ରାମାଞ୍ଚଳକୁ ହିସାବକୁ ନେଲେ ଲଇକେରା ବ୍ଲକର ୧୧ଟି ପଞ୍ଚାୟତ ଥିବା ବେଳେ ଏଠାରେ ପଞ୍ଚାୟତରେ ରଥ ଓ ଏହାର ଆନୁଷଙ୍ଗିକ ଖର୍ଚ୍ଚ ବାବଦକୁ ବ୍ଲକ ପ୍ରଶାସନ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ପ୍ରତିଟି ଗାଁରେ ସଙ୍କୀର୍ତ୍ତନ, ଲୋକାର୍ପଣର ସିଧା ପ୍ରସାରଣ ବ୍ୟବସ୍ଥା ଓ ପ୍ରସାଦ ସେବନ ପାଇଁ ପ୍ରତି ପଞ୍ଚାୟତକୁ ଦେଢ଼ ଲକ୍ଷଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ପ୍ରତି ପଞ୍ଚାୟତରୁ ବସ୍‌ ଯୋଗେ ଶ୍ରଦ୍ଧାଳୁଙ୍କୁ ପୁରୀ ନେବା ପାଇଁ ବି ହୋଇଥିବା ଖର୍ଚ୍ଚ ବ୍ଲକ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ମିଳିତ ଭାବେ ବହନ କରିଥିଲେ। ଯେଉଁଥିରେ ବ୍ଲକ ପ୍ରଶାସନକୁ ପ୍ରାୟ ୬୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ପଡ଼ିଥିବା ଜଣାପଡ଼ିଛି। ଗ୍ରାମାଞ୍ଚଳଗୁଡ଼ିକରେ ବ୍ଲକ ପ୍ରଶାସନ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପ୍ରକଳ୍ପ ପାଇଁ ଆସିଥିବା ପ୍ରାଥମିକ ପର୍ଯ୍ୟାୟ ପାଣ୍ଠିରୁ ଏହି ଖର୍ଚ୍ଚ ତୁଲାଯାଇଛି। କିନ୍ତୁ ମ୍ୟୁନିସିପାଲିଟିରେ ଜଣେ ଜଣେ ଅଧିକାରୀ ଏହି କାର୍ଯ୍ୟକ୍ରମ ଦାୟିତ୍ବରେ ରହି ସମସ୍ତ ଖର୍ଚ୍ଚ କରାଇଥିଲେ। ସେଗୁଡ଼ିକ ପାଇଁ କୌଣସି ସ୍ବତନ୍ତ୍ର ପାଣ୍ଠି ଆସି ନ ଥିଲା। ଫଳସ୍ବରୂପ ଏବେ କାମ କରିଥିବା ଲୋକଙ୍କୁ ବି ସେମାନଙ୍କର ଟଙ୍କା ଦିଆଯାଇପାରୁନି।