ପୁରୀ : ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅବସରରେ ଶ୍ରୀମନ୍ଦିରରେ ପ୍ରଳମ୍ୱାସୁର ବଧ ନୀତି ହୋଇଛି। ବଡ଼ଠାକୁର ଶ୍ରୀବଳଭଦ୍ର ରତ୍ନ ସିଂହାସନରେ ଭକ୍ତଙ୍କୁ ପ୍ରଳମ୍ୱାସୁର ବଧ ବେଶରେ ଦର୍ଶନ ଦେଇଛନ୍ତି। ଏହି ଅବସରରେ ଦୋଳମଣ୍ଡପ ସାହି ପକ୍ଷରୁ ପ୍ରଳମ୍ବାସୁର ବଧ ପ୍ରସ୍ତାବ ଆଗତ କରାଯାଇଥିଲା। ଶ୍ରୀକୃଷ୍ଣ, ଶ୍ରୀବଳରାମ, ଗୋପାଳକ ଓ ପ୍ରଳମ୍ବାସୁର ବେଶରେ ସାହିର ଲୋକେ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।
ପରମ୍ପରା ମୁତାବକ ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କେବଳ ବଡ଼ଠାକୁର ଶ୍ରୀବଳଭଦ୍ର ରତ୍ନ ସିଂହାସନରେ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରଳମ୍ୱାସୁରର ଏକ କାଠ ନିର୍ମିତ ମୂର୍ତ୍ତି ବଡ଼ଠାକୁରଙ୍କ ପାଦରେ ସମ୍ମୁଖ ଭାଗରେ ରହିଥିଲା। ପ୍ରଳମ୍ୱାସୁର କାନ୍ଧରେ ବଡ଼ଠାକୁର ବସିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁରାଣବର୍ଣ୍ଣିତ କଥାବସ୍ତୁ ଆଧାରରେ ଏହି ପରମ୍ପରା ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛି। ଶ୍ରୀକୃଷ୍ଣ ଓ ଶ୍ରୀବଳରାମ ଗୋପାଳକଙ୍କ ସହ ଯମୁନା ନଦୀ ତଟ ବୃନ୍ଦାବନ ଭୂମିରେ ଗାଈ ଚରାଉଥିବା ବେଳେ ରାଜା-ପ୍ରଜା ଖେଳ ଖେଳୁଥିଲେ। ମାମୁ କଂସଙ୍କ ନିର୍ଦ୍ଦେଶକ୍ରମେ ଏହି ଗୋପାଳକଙ୍କ ଗହଣରେ ଛଦ୍ମବେଶରେ ପ୍ରଳମ୍ୱାସୁର ପ୍ରବେଶ କରିଥିଲା। ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କୁ ଗୋପାଳ ବାଳକମାନେ ରାଜା ରୂପେ ବାଛି ଥିଲେ। ଉଭୟ ରାଜାଙ୍କ ସହ ଗୋପାଳକମାନେ ଭାଗ ବାଣ୍ଟି ହୋଇ ରହିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ବଳ କଷାକଷି ଖେଳ ହୋଇଥିଲା।
ଖେଳର ନିୟମ ଥିଲା, ଯିଏ ହାରିବ ସିଏ ବିଜେତାକୁ କାନ୍ଧରେ ବସାଇ ବୁନ୍ଦାବନ ଭୂମିରେ ଭଣ୍ଡାରୀ ନାମକ ବଟବୃକ୍ଷ ନିକଟକୁ ବୋହି ନେବ। ଯୁଦ୍ଧ ପର୍ଯ୍ୟାୟରେ ବଳରାମଙ୍କ ସହ ଛଦ୍ମବେଶୀ ପ୍ରଳମ୍ୱାସୁରର ଯୁଦ୍ଧ ପାଳି ପଡ଼ିଥିଲା। ପ୍ରଳମ୍ୱାସୁର ହାରିବାର ବାହାନା କରି ବଳରାମଙ୍କୁ କାନ୍ଧରେ ବସାଇଥିଲା। ତେବେ ବଟବୃକ୍ଷ ପାଖକୁ ବଳରାମଙ୍କୁ ନେବା ପରିବର୍ତ୍ତେ ପ୍ରଳମ୍ୱାସୁର ତାଙ୍କୁ କାନ୍ଧରେ ବସାଇ ଆକାଶମାର୍ଗକୁ ଉଠିଯାଇଥିଲା। ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କୁ ମାରି ପ୍ରଳମ୍ୱାସୁର କଂସ ରାଜାଠାରୁ ପୁରସ୍କାର ପାଇବା ଆଶାରେ ଏଭଳି କରିଥିଲା। ଶ୍ରୀବଳରାମ ଏହା ଜାଣି ପାରି ପ୍ରଳମ୍ୱାସୁରର ମୁଣ୍ଡରେ ନିର୍ଘାତ ମୁଷ୍ଟି ପ୍ରହାର କରିଥିଲେ। ଏହି ପ୍ରହାରରେ ପ୍ରଳମ୍ୱାସୁରର ମୁଣ୍ଡ ଶତଖଣ୍ଡ ହୋଇ ଗୋବର୍ଦ୍ଧନ ପର୍ବତ ନିକଟରେ ପଡିଥିଲା। ଏହି ବିଶ୍ବାସ ଆଧାରରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ଅବସରରେ ପ୍ରଳମ୍ୱାସୁର ବଧ ନୀତି ଅନୁଷ୍ଠିତ ହୋଇଆସୁଛି। ସନ୍ଧ୍ୟା ଧୂପ ପରେ ଏହି ବେଶ ଓଲାଗି ହୋଇ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଛି।