ମମିତା ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବିକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା

ଭୁବନେଶ୍ୱର: ମମିତାଙ୍କ ମୃତ୍ୟୁ ଘଟଣା ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ସବୁ କ୍ଷେତ୍ରରେ ସିବିଆଇ କଣ ଠିକ୍ ତଦନ୍ତ କରିଛି ? ରାଜ୍ୟ ପୁଲିସରେ ଭଲ ଅଧିକାରୀ ଅଛନ୍ତି, ସେମାନେ ତଦନ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଦୋଷୀ କେବେ ଖସି ଯିବନି । କେନ୍ଦ୍ରରେ ତାଙ୍କର ସରକାର ଅଛନ୍ତି ବୋଲି ସିବିଆଇ କଥା କହୁଛନ୍ତି । ବିରୋଧୀ ଯାହା ଦାବି କରିବେ ସରକାର କ’ଣ ସେୟା କରିବେ ? ମନ୍ତ୍ରୀ ଇସ୍ତଫା ଦେଲେ କ’ଣ ନ୍ୟାୟ ମିଳିବ ? ପ୍ରାଇଭେଟ୍ ସ୍କୁଲକୁ ସରକାର ଅନୁକମ୍ପା ଦିଅନ୍ତି । ନିରପେକ୍ଷ ତଦନ୍ତ ଚାଲିଛି, ଯିଏ ଦୋଷୀ ସେ ଦଣ୍ଡ ପାଇବ । ସେପଟେ, କଂଗ୍ରେସ ନେତା ନରସିଂହ ମିଶ୍ର ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଏହି ମାମଲାର ଏସଆଇଟି ତଦନ୍ତ ଦାବି କରିଛନ୍ତି । ଏହା ସହ ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ।

ମମିତା ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହୁଅନ୍ତି ତେବେ ପୁଣି ମନ୍ତ୍ରୀ ପଦକୁ ଫେରି ପାରିବେ । କିନ୍ତୁ ବର୍ତ୍ତମାନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରେ ଅଛନ୍ତି, ସେପର୍ଯ୍ୟନ୍ତ ତଦନ୍ତ ବାଟବଣା ହେବ । ତେଣୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଦିବ୍ୟଶଙ୍କର । ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଞ୍ଚଳରେ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ । ଏହି ସ୍କୁଲର ମାଲିକ ଏହି ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି ।

ପୀଡ଼ିତାଙ୍କ ପରିବାର ତରଫରୁ ତାଙ୍କ ବିରୁଦ୍ଧରେ ଯେଉଁ ସବୁ ସଙ୍ଗୀନ ଅଭିଯୋଗ ଅଣାଯାଉଛି, ଏହା ଆହୁରି କଷ୍ଟଦାୟକ । ଏହି ବେସରକାରୀ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲୁଛି ଏବଂ ଓଡ଼ିଶାର ଶାସକ ଦଳର ମନ୍ତ୍ରୀ ଓ ନେତା ମାନଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ । ଓଡ଼ିଶା ଭଳି ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଇବା ଉଦବେଗଜନକ । ଏହା ଏକ ସାଧାରଣ ଅପରାଧ ନୁହେଁ। ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଆଇନ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସମ୍ବନ୍ଧିତ ଖବର