ହେଲିକପ୍ଟରରେ ସୁପ୍ରିମୋଙ୍କର ସହଯାତ୍ରୀ ସାଜିଲେ ବିଜେଡିର ଆସ୍କା ସାଂସଦ ପ୍ରାର୍ଥୀ ପରୀ ମା’ ଓରଫ ପ୍ରମିଳା ବିଶୋୟୀ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ
ଭୁବନେଶ୍ୱର : ୭୦ ବର୍ଷ ବୟସରେ ପୂରଣ ହେଲା ସ୍ୱପ୍ନ । ଦୀର୍ଘ ବର୍ଷ ପରେ ଆକାଶରେ ଉଡିଲେ ପରୀ ମା’ । ଯିଏ ଦିନେ କେବଳ ହେଲିକପ୍ଟର ଓ ଉଡାଜାହାଜକୁ ଆକାଶରେ ଉଡିବାର ଦେଖିଥିଲେ ଆଜି ସେ ହେଲିକପ୍ଟରରେ ବିଜେଡି ସୁପ୍ରିମୋଙ୍କର ସାଜିଛନ୍ତି ସହଯାତ୍ରୀ । ଆକାଶପୃଷ୍ଠରୁ ନିଜ ଅଞ୍ଚଳକୁ ଦେଖି ବେଶ ଖୁସି ହୋଇଯାଇଥିଲେ ପରୀ ମା’ । ଆମେ କହୁଛୁ ବିଜେଡିର ଆସ୍କା ସାଂସଦ ପ୍ରାର୍ଥୀ ପରୀ ମା’ ଓରଫ ପ୍ରମିଳା ବିଶୋୟୀଙ୍କ କଥା ।
Sambad is now on WhatsApp
Join and get latest news updates delivered to you via WhatsApp
ବେକରେ ବିଜେଡି ଉତ୍ତରୀୟ, ପାଖରେ ସହଯାତ୍ରୀ ଭାବେ ବସିଥାନ୍ତି ବିଜେଡି ସୁପ୍ରିମୋ । ମଝି ଆକାଶରେ ଚାଲିଥିଲା ଗରମାଗରମ ଆଲୋଚନା । ଆଉ ଏହି ଆଲୋଚନାରେ ଭାଗ ନେଇଥିବା ଅନ୍ୟ ଜଣେ ଚର୍ଚ୍ଚିତ ଚେହେରା ଥିଲେ ଆସ୍କା ସାଂସଦ ପ୍ରାର୍ଥୀ ପ୍ରମିଳା ବିଶୋୟୀ । ପ୍ରମିଳାଙ୍କୁ ନେଇ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । କେବଳ ମଞ୍ଚ ଉପରେ ନୁହେଁ ହେଲିକପ୍ଟରରେ ସାଥୀରେ ନେବା ସହ ପ୍ରମିଳାଙ୍କୁ ପୂରା ଆସ୍କା ନିର୍ବାଚନମଣ୍ଡଳୀ ବୁଲାଇଛନ୍ତି ନବୀନ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ପୂର୍ବରୁ କେବେ ହେଲିକପ୍ଟରରେ ବସିବା ତ ଦୂରର କଥା ପାଖରୁ ଦେଖିନଥିବା ପରୀ ମା’ଙ୍କ ହେଲିକପ୍ଟରରେ ବସିବା ସ୍ୱପ୍ନକୁ ପୂରା କରିଛନ୍ତି ବିଜେଡି ମୁଖିଆ।
ନିଜ ନିଷ୍ଠାପର କାର୍ଯ୍ୟ ପାଇଁ ତୃଣମୂଳସ୍ତରର ନେତା ସାଜିଥିବା ପ୍ରମିଳା ବିଶୋଇଙ୍କ ସହିତ ଏକାଠି ଯାତ୍ରା କରି ଖୁସି। ସେ ମିଶନଶକ୍ତି ନାରୀଙ୍କ ପ୍ରତୀକ। ମୁଁ ମୋ ରାଜନୀତି ଜୀବନ ଆରମ୍ଭ କରିଥିବା ଆସ୍କାରୁ ତାଙ୍କୁ ଲୋକସଭାରେ ଦେଖିବା ନେଇ ମୁଁ ଉତ୍ସାହିତ। ଏହା ହେବ ଲକ୍ଷ ଲକ୍ଷ ସଶକ୍ତ ମହିଳାଙ୍କ ପାଇଁ ବାସ୍ତବ ସମ୍ମାନ। #ଘରେଘରେଶଙ୍ଖ pic.twitter.com/t7v1uOTF2l
— Naveen Patnaik (@Naveen_Odisha) April 13, 2019
ରୋକଠୋକ କହୁଥିବା ପ୍ରମିଳା ମଝି ଆକାଶରେ ମଧ୍ୟ ନବୀନଙ୍କ ସହ ଗରମାଗରମ ଆଲୋଚନା କରିବାକୁ ଭୁଲି ନାହାନ୍ତି । ଆଉ ନବୀନ ମଧ୍ୟ ପ୍ରମିଳାଙ୍କ କଥା ଶୁଣି ସ୍ମିତ ହାସ୍ୟ ଦେଉଥିବାର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏପରିକି ନବୀନ ନିଜେ ଏହାର ଫଟୋ ନିଜର ଟ୍ୱିଟର ପେଜରେ ସେୟାର କରିଛନ୍ତି। ମିଶନ ଶକ୍ତିର ସଦସ୍ୟାଙ୍କୁ ପାଲାର୍ମେଣ୍ଟରେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ନବୀନ ।
ଏହା ପ୍ରଥମ ଥର ନୁହେଁ ଯେବେ ନବୀନ ମହିଳାଙ୍କୁ ଦେଖାଇଥିବା ସ୍ୱପ୍ନ ପୂରଣ କରିଛନ୍ତି । ଏହାପୂର୍ବରୁ ସଂସଦକୁ ୩୩ ପ୍ରତିଶତ ମହିଳା ପଠାଇବାକୁ ନବୀନ ଯେଉଁ କଥା ଦେଇଥିଲେ ତାହା ଅନୁଯାୟୀ ଲୋକସଭାର ୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ନିଜ କଥା ରଖିଥିଲେ ନବୀନ । ଏପରିକି ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ପୋତ୍ସାହନ ଦେଇ ଆସିଛନ୍ତି ନବୀନ । ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମାର ସୁବିଧା ଦେଇ ମହିଳାଙ୍କ ମନ ଜିଣିବାକୁ ସବୁବେଳେ ପ୍ରୟାସ କରି ଆସିଛନ୍ତି ନବୀନ । ଖାସକରି ଯେତେବେଳେ ନବୀନ ଆସ୍କା ଲୋକସଭା ପ୍ରାର୍ଥୀ ଭାବେ ପ୍ରମିଳାଙ୍କ ନାଁ ଘୋଷଣା କରିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଜଣେ ସାଧାରଣ ଏସଏଚଜି ମହିଳା ପ୍ରମିଳାଙ୍କୁ ପାର୍ଲାମେଣ୍ଟ ପଠାଇବାକୁ ନବୀନ ଯେଉଁ ପଦକ୍ଷେପ ନେଇଥିଲେ ତାହାକୁ ଚାରିଆଡୁ ପ୍ରଂଶସା କରାଯାଇଥିଲା ।