ଭୁବନେଶ୍ବର/ଯାଜପୁର/ ବିଞ୍ଝାରପୁର : ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ବିଞ୍ଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପାଇଁ ମହଙ୍ଗା ପଡ଼ିଛି। ପ୍ରମିଳାଙ୍କ ନିର୍ବାଚନ ପ୍ରଚାର ଉପରେ ରାଜ୍ୟ ନିର୍ବାଚନ କମିସନର ରୋକ୍ ଲଗାଇଛନ୍ତି। ଶ୍ରୀମତୀ ମଲ୍ଲିକ ଫେବ୍ରୁଆରି ୧୪ ତାରିଖ ପୂର୍ବାହ୍ନ ୧୦ଟାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ କୌଣସି ପ୍ରକାରର ପ୍ରଚାର କରିପାରିବେନି।
ବୈଦ୍ୟୁତିକ ଗଣମାଧ୍ୟମ, ଖବରକାଗଜ, ସାମାଜିକ ଗଣମାଧ୍ୟମରେ ସାକ୍ଷାତକାର ମଧ୍ୟ ଦେଇପାରିବେନି ବୋଲି କମିସନର୍ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ବାଚନ କମିସନଙ୍କ ପକ୍ଷରୁ ଅବଗତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଗତ ବୁଧବାର ଦିନ ବିଞ୍ଝାରପୁର ବ୍ଲକ୍ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ବସ୍ତିଠାରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ମାଛ ଚିହ୍ନରେ ଏବଂ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ପ୍ରଚାର କରିବା ବେଳେ ପ୍ରମିଳା ଭୋଟରଙ୍କୁ ପରୋକ୍ଷରେ ଧମକ ଦେଇ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ନଦେଲେ ପରେ ଭତ୍ତା, ରାସନ କାର୍ଡ, ରାସ୍ତା, ଘର ପାଇଁ କେହି ଆଉ ମୋ ପାଖକୁ ଆସିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ବିରୋଧୀ ସମାଲୋଚନା କରିଥିଲେ। ନିର୍ବାଚନ କମିସନଙ୍କ ନିକଟରେ ମଧ୍ୟ ଅଭିଯୋଗ ପହଞ୍ଚିଥିଲା। ଯାଜପୁର ଜିଲ୍ଲାପାଳ ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଶ୍ରୀମତୀ ମଲ୍ଲିକଙ୍କ ଉତ୍ତର ମିଳିବା ପରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଯାଜପୁର ଜିଲ୍ଲାପାଳ ଫେବ୍ରୁଆରି ୧୧ ଏବଂ ୧୩ରେ ରାଜ୍ୟ ନିର୍ବାଚନ କମିସନଙ୍କୁ ଚିଠି ଲେଖି ଜଣାଇଥିଲେ। ଏହାକୁ ବିଚାର କରି କମିସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।