ଭୁବନେଶ୍ବର: ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ନିର୍ଦ୍ବନ୍ଦ୍ବରେ ସେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତାପରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା। ୨୦୨୨ ଜୁନ୍ ମାସରେ ଶ୍ରୀ ପାତ୍ର ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କଲେ। ଗତ ମେ’ ମାସରେ ଶ୍ରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ସେବେ ଠାରୁ ବାଚସ୍ପତି ପଦବି ଖାଲି ପଡ଼ିଥିଲା। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହେଲେଣି। ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୦ ମସିହାରୁ ଲଗାତାର ୫ ଥର ବିଞ୍ଝାରପୁରରୁ ନିର୍ବାଚିତ ହୋଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ୨୦୧୯ରୁ ୨୦୨୨ ଯାଏ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୨୨ ଜୁନ୍ ମାସରେ ସେ ନବୀନଙ୍କ କ୍ୟାବିନେଟ୍ରେ ସାମିଲ ହୋଇ ରାଜସ୍ବ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/pramila-malik-1.jpg)