ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ।

Advertisment

ଗତକାଲି ବିଜେଡି ତରଫରୁ ତାଙ୍କୁ ପ୍ରାର୍ଥୀ ଭାବେ ବିଧିବଦ୍ଧ ଘୋଷଣା କରାଯାଇଥିଲା। ଯେହେତୁ ଆଉ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି, ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ଶ୍ରୀମତୀ ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ। ଆସନ୍ତା ୨୨ ତାରିଖରୁ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ତାଙ୍କରି ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।

ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ବ ଗ୍ରହଣ କରିବେ। ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା। ୨୦୨୨ ଜୁନ୍ ମାସରେ ଶ୍ରୀ ପାତ୍ର ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କଲେ। ଗତ ମେ’ ମାସରେ ଶ୍ରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ସେବେ ଠାରୁ ବାଚସ୍ପତି ପଦବି ଖାଲି ପଡ଼ିଥିଲା। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହେଲେଣି। ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୦ ମସିହାରୁ ଲଗାତାର ୫ ଥର ବିଞ୍ଝାରପୁରରୁ ନିର୍ବାଚିତ ହୋଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ୨୦୧୯ରୁ ୨୦୨୨ ଯାଏ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୨୨ ଜୁନ୍‌ ମାସରେ ସେ ନବୀନଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇ ରାଜସ୍ବ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଥିଲେ।