ଜୟପୁର: ନିଜ ନିକଟରେ ଭୋଟର ପରିଚୟପତ୍ର ରହିଥିଲେ ସୁଦ୍ଧା ଜଣେ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରି ନଥିବା ଅଭିଯୋଗ ଉଠିଛି। ତାଙ୍କୁ ପ୍ରାର୍ଥୀ ହେବାରେ ପ୍ରଶାସନ ଓ ସରକାରୀ କଳ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ଜୟପୁର ବ୍ଲକର ହାଡ଼ିଆ ପଂଚାୟତର ସିରାଗୁଡ଼ା ଗାଁର ରଘୁନାଥ ପୁଜାରୀଙ୍କ ପତ୍ନୀ ପ୍ରମିଳା ପୁଜାରୀ। ପ୍ରମିଳା ଏହି ପଂଚାୟତ ନିର୍ବାଚନରେ ହାଡ଼ିଆ ପଂଚାୟତର ସରପଂଚ ପ୍ରାର୍ଥୀ ହେବାକୁ ନାମାଙ୍କନଦାଖଲ କରିବାକୁ ଆଜି ହାଡିଆ ପଂଚାୟତ କାର୍ଯ୍ୟାଳୟକୁ ଯାଇଥିଲେ।
ତେବେ ତାଙ୍କ ନାଁ ଭୋଟର ତାଲିକାରେ ନଥିବା ଦର୍ଶାଇ ପଂଚାୟତ ସଂପ୍ରସାରଣ ଅଧିକାରୀ ତାଙ୍କୁ ଫେରାଇ ଦେଇଥିଲେ। ସେ ତାଙ୍କ ଭୋଟର ପରିଚୟପତ୍ର ଦେଖାଇବା ସତ୍ବେ ପଂଚାୟତ ଭୋଟର ତାଲିକାରେ ତାଙ୍କ ନାଁ ନଥିବାରୁ ସେ ପ୍ରାର୍ଥୀ ହୋଇ ପାରିବେ ନାହିଁ ବୋଲି ପିଇଓ କହିଥିବା କହିଛନ୍ତି ପ୍ରମିଳା। ସେ ଜୟପୁର ବିଡିଓଙ୍କୁ ଭେଟି ଏ ନେଇ ଅବଗତ କରିବାରେ ସେ ବି ସେହି ସମାନରୁପ କଥା କହିଥିବା କହିଛନ୍ତି ପ୍ରମିଳା। ତାଙ୍କୁ ୨୩ବର୍ଷ। ସମ୍ବିଧାନ ଦେଇଥିବା ମୌଳିକ ଅଧିକାରରୁ ବଂଚିତ କାହିଁକି କରାଯାଉଛି ବୋଲି ପ୍ରମିଳା ଓ ତାଙ୍କ ସମର୍ଥକ ମାନେ ପ୍ରଶ୍ନ କରିଛନ୍ତି। ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ନ ଦେଲେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।