୨୨ ଦିନର ଚିକିତ୍ସା ପରେ ଗୋଟିଏ କିଡ଼ନି ସହ ପ୍ରମିତ କରୋନାକୁ ହରାଇଲେ

ଜୟପୁର: ଦୃଢ଼ ମନୋବଳ ଓ ଆତ୍ମବିଶ୍ବାସ ରହିଲେ ଲୋକେ ମୃତ୍ୟୁକୁ ବି ଜିତି ପାରିବେ । ଯେତେ ବଡ଼ ପରିସ୍ଥିତି ଆସିଲେ ବି ତାହାକୁ ଠିକ୍ ଭାବେ ମୁକାବିଲା କରିବାକୁ ପଡ଼ିବ। ଏହାର ପ୍ରମାଣ ଦେଇଛନ୍ତି ଗୋଟିଏ କିଡ଼ନି ସହ ବଂଚୁଥିବା ପ୍ରମିତ ପରିଚ୍ଛା। ସେ କରୋନା ମହାମାରୀକୁ ହରାଇ କୋଭିଡ୍ ହସ୍ପିଟାଲରେ ୨୨ଦିନ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଛନ୍ତି।

କୁନ୍ଦ୍ରା ବ୍ଲକର ଡଙ୍ଗରପାଉଁଶୀ ପ୍ରମିତଙ୍କର ୨୦ବର୍ଷ ତଳେ ଦୁଇଟି ଯାକ କିଡ଼ନି (ବୃକକ୍ ) ଖରାଫ ହୋଇ ଯାଇଥିଲା। ତାଙ୍କ ମା ତାଙ୍କୁ ଗୋଟିଏ କିଡ଼ନି ଦେଇଥିଲେ। ଗତ ୨୦ବର୍ଷ ହେବ ସେ ଗୋଟିଏ କିଡ଼ନିରେ ଚାଷ ଓ ବେପାର କରି ନିଜ ପତ୍ନୀ ଓଗୋଟିଏ ଝିଅକୁ ନେଇ ପରିବାର ଚଳାଇ ଆସୁଛନ୍ତି। ଗତ ମାସର ଶେଷ ସପ୍ତାହରେ ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ। ଓକ୍ସିଜେନ୍ ସ୍ତର କମିବାରୁ ସେ କୋଭିଡ୍ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ।

ସାଧାରଣ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ପରେ ତାଙ୍କୁ ଅଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୧୫ଦିନ କାଳ ମରଣ ସହ ସଂଘର୍ଷ କରିଥିବା କହିଛନ୍ତି ପ୍ରମିତ। ଗୋଟିଏ କିଡ଼ନି ରହିଥିବାରୁ କରୋନା ମହାମାରୀକୁ ସେ ହରାଇ ପାରିବେ କି ନାହିଁ , ସୁସ୍ଥ ହେବେ କି ନାହିଁ ବୋଲି ବହୁ ସଂଦେହରେ ରହିଥିଲୁ ବୋଲି କହିଛନ୍ତି କୋଭିଡ୍ ହସ୍ପିଟାଲର ଏଏମଓ ଡ.ଆଶିଷ ପାଣିଗ୍ରାହୀ। ତେବେ ସେ କରୋନା ମହାମାରୀକୁ ହରାଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଛନ୍ତି। ମନରେ ଭୟ ନ ରଖି ନିଜକୁ କିଭଳି ବଂଚାଇବେ ସେ ଦିଗରେ ନିଜର ଚେଷ୍ଟା ଓ ପ୍ରୟାସ ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରମିତ।

ସମ୍ବନ୍ଧିତ ଖବର